ପୃଷ୍ଠା:Aama Madhusudan.pdf/୧୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କବଳିତ କରି ରଖାଯାଇପାରିଥାନ୍ତା । ଏହି କ୍ଷେତ୍ରରେ ବିହାରର କିଛି ନେତୃବର୍ଗଙ୍କର ଚକ୍ରାନ୍ତର ବହୁଳ ପ୍ରମାଣ ରହିଛି । ସେହିପରି ସ୍ୱାଧୀନତା ପ୍ରାପ୍ତିବେଳକୁ ଓଡ଼ିଶା ଓ ଛତିଶିଗଡ଼ର ଗଡ଼ଜାତମାନେ ମିଶି ପୂର୍ବାଞ୍ଚଳ ଦେଶୀୟ ଗଡ଼ଜାତ ସଂଘ ଗଠିତ କରିଥିବାରୁ ଅବଶେଷରେ ତାହା କିଭଳି ପରିସ୍ଥିତିରେ ପହଞ୍ଚିଥାନ୍ତା ତାହା ମଧ୍ୟ ଅଚିନ୍ତନୀୟ । ଶେଷରେ ଓଡ଼ିଆଭାଷୀ ଅଞ୍ଚଳ ସବୁ ବିଘଟନ ଆଉ ବିଭାଜନ ପରିସ୍ଥିତି ମଧ୍ୟରେ କ୍ରମଶଃ ନିଶ୍ଚିହ୍ନ ସ୍ଥିତିକୁ ପ୍ରାପ୍ତ ହୋଇଥାନ୍ତା ।
ବିଂଶ ଶତାବ୍ଦୀର ଶେଷ ବେଳକୁ ୨୦୦୧ ସାଲରେ ଓଡ଼ିଆଭାଷୀ ବ୍ୟକ୍ତିମାନଙ୍କର ସଂଖ୍ୟା ଶତକଡ଼ା ହାରରେ, ୧୯୩୧ ସାଲର ତୁଳନାରେ ପ୍ରାୟ ରହିଛି ଅପରିବର୍ତ୍ତିତ । ନୂତନ ଓଡ଼ିଶା ପ୍ରଦେଶ ସ୍ଥାପନାବେଳକୁ ଓଡ଼ିଆଭାଷୀ ଜନସଂଖ୍ୟା ନବମ ସ୍ଥାନରେ ରହିଥିଲା ବେଳେ, ବିଂଶ ଶତାବ୍ଦୀ ଶେଷବେଳକୁ ଦେଶର ଓଡ଼ିଆଭାଷୀ ଜନସଂଖ୍ୟା ପ୍ରାୟ ଦଶମ ସ୍ଥାନରେ ରହିଛି । ତାହା ଶତକଡ଼ା ହିସାବରେ ପ୍ରଦତ୍ତ କରାଯାଉଛି ।
(୧) ହିନ୍ଦୀ-୪୦.୨୨%, (୨)ବଂଗାଳୀ-୮.୩୦%, (୩)ତେଲ୍‍ଗୁ-୭.୮୭%, (୪) ମରାଠୀ- ୪.୮୫%, (୫) ତାମିଲ୍‍-୬.୩୨%, (୬) ଉର୍ଦ୍ଧୁ-୬.୧୮%, (୭) ଗୁଜୁରାଟୀ-୪.୮୫%, (୮) କନ୍ନଡ଼- ୩.୯୧%, (୯) ମାଲାୟଲମ୍‍-୩.୬୨%, (୧୦) ଓଡ଼ିଆ ୩.୩୫%, (୧୧) ପଞ୍ଜାବୀ-୨.୭୯%
ଏହା ସମସ୍ତ ବିସ୍ମୟ ମଧ୍ୟରେ ସବୁଠାରୁ ବିସ୍ମୟାତୀତ ବିସ୍ମୟ ଯେ ପରାଧୀନ ଭାରତରେ, ଓଡ଼ିଆଭାଷୀ ଜନସଂଖ୍ୟା, ଅନ୍ୟଭାଷୀ ସଂଖ୍ୟାଙ୍କ ତୁଳନାରେ ଦଶମ ସ୍ଥାନରେ ରହିଥିଲା ବେଳେ ୧୯୩୬ ସାଲରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇ ପ୍ରତିଷ୍ଠିତ ହୋଇଥିଲା । ଓଡ଼ିଆଭାଷୀ ସଂଖ୍ୟାଠାରୁ ତେଲୁଗୁ, ମରାଠୀ, ତାମିଲ, ଗୁଜୁରାଟୀ, କନ୍ନଡ଼ ଆଉ ମାଲାୟଲମ୍‍ଭାଷୀ ଜନସଂଖ୍ୟା ବହୁପରିମାଣରେ ଅଧିକ ହୋଇଥିଲେ ମଧ୍ୟ, ସେମାନଙ୍କଦ୍ୱାରା ଅଧ୍ୟୁଷିତ ରାଜ୍ୟ ଆନ୍ଧ୍ର, ମହାରାଷ୍ଟ୍ର, ତାମିଲ୍‍ନାଡ଼ୁ, କର୍ଣ୍ଣାଟକ ଆଉ କେରଳ ଏପରିକି ପଞ୍ଜାବ ରାଜ୍ୟ ମଧ୍ୟ ସ୍ୱାଧୀନତା ପ୍ରାପ୍ତିର ବହୁ ବର୍ଷ ପରେ ସ୍ଥାପିତ ହୋଇଥିଲା । ଏହାହିଁ ଦେଶ ମିଶ୍ରଣ ନେତୃବର୍ଗଙ୍କର ଅଦ୍‍ଭୁତ ପରାକାଷ୍ଠା, ଯୁଗୋପଯୋଗୀ ସାମର୍ଥ୍ୟ, ଗରିମାଦୀପ୍ତ ନେତୃତ୍ୱକୁ ପ୍ରତିପାଦନ କରେ ।
ମୁଖ୍ୟତଃ ମଧୁସୂଦନ ଦାସ, ପାରଳା ମହାରାଜା, ଧରଣୀଧର ମିଶ୍ର ଆଦି ବହୁ ଉତ୍ସର୍ଗୀକୃତ ଗରିମାମୟ ନେତୃପୁରୁଷଙ୍କର ସମନ୍ୱିତ ଉଦ୍ୟମ ଯୋଗୁଁ ବିଭିନ୍ନ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣରେ ୧୯୩୬ ସାଲରେ ଯେଉଁ ଓଡ଼ିଶା ପ୍ରଦେଶ ସୃଷ୍ଟିହେଲା, ତାହାରି ଫଳରେ ଏହି ପ୍ରଦେଶ ବିପୁଳ ଖଣି, ଜଳ, ଅରଣ୍ୟ ଆଦି ପ୍ରାକୃତିକ ସମ୍ପଦର ଅଧିକାରୀ ହୋଇପାରିଲା । ସେହି ଉଦୀପ୍ତ ନେତୃବର୍ଗଙ୍କର ଅଧିନାୟକତ୍ୱରେ ସଂଚାଳିତ ତାପùର୍ଯ୍ୟପୂର୍ଣ୍ଣ ଦେଶ ମିଶ୍ରଣର ପ୍ରକ୍ରିୟା ଯୋଗୁଁ ରତ୍ନଗର୍ଭା ଓଡ଼ିଶାର ଭୂମିତଳେ ଭାରତର ସର୍ବାଧିକ ପରିମାଣର ବକ୍ସାଇଟ୍‍, ମାଙ୍ଗାନିଜ୍‍, କୋଇଲା ଆଉ ଲୁହାପଥର ଗଚ୍ଛିତ ହୋଇ ରହିଛି ।