ପୃଷ୍ଠା:Aama Madhusudan.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଭର୍ଣ୍ଣରଙ୍କ ପର୍ଯ୍ୟନ୍ତ । ଏସବୁଥିରେ ତାଙ୍କର ସ୍ୱଚ୍ଛନ୍ଦ ପ୍ରବେଶ ଥିଲା । ବ୍ରିଟେନ୍‍ର ପ୍ରଧାନମଂତ୍ରୀ ସାର୍‍ ରାମ୍‍ସେ ମ୍ୟାକ୍‍‌ଡୋନାଲ୍‍ଡ଼ ମଧୁସୂଦନଙ୍କୁ ଓଡ଼ିଶାର ମୁକୁଟ ବିହୀନ ଅଧୀଶ୍ୱର ବୋଲି ଆଖ୍ୟାୟିତ କରୁଥିବାବେଳେ ବଙ୍ଗର ଗଭର୍ଣ୍ଣର ବୋର୍ଡଲୀନ ମଧୁସୁଦନଙ୍କୁ ବଙ୍ଗଳା ବିଧାନ ସଭାର ସର୍ବଶ୍ରେଷ୍ଠ ତାର୍କିକ ରୂପେ ରୋମର ପ୍ରସିଦ୍ଧ ସମାଲୋଚକ ସିନେଟର 'କେଟୋ' ନାମରେ ସମ୍ବର୍ଦ୍ଧିତ କରିଥିଲେ ।

ଏହାଛଡ଼ା ବିଶ୍ୱାସ ହରାଇଥିବା ନିର୍ବାଚିତ ପ୍ରତିନିଧିମାନଙ୍କର ପ୍ରତ୍ୟାହାର ବ୍ୟବସ୍ଥା ସମ୍ବଳିତ ସ୍ୱାୟତ୍ତଶାସନ ଆଇନ ପ୍ରଣୟନ ହେବାର ପ୍ରାୟ ୪ ବର୍ଷ ପରେ, ଲଣ୍ଡନର କେକ୍ସଟନ୍‍ ହଲ୍‍‌ରେ ୧୯୨୭ ସାଲରେ ଅତ୍ୟନ୍ତ ମାର୍ମିକ ଭାବରେ ପ୍ରକାଶ କରି ବିହାର ଲାଟ୍‍ ସାର୍‍ ହେନେରୀ ଓ୍ୱିଲର୍‍ କହିଥିଲେ, ମଧୁସୂଦନ ବିହାର ଓଡ଼ିଶାର ମନ୍ତ୍ରୀ ରୂପେ ଏପରି ନୂତନ ବ୍ୟବସ୍ଥାମାନ ଖଞ୍ଜି ଦେଇଛନ୍ତି, ଯାହାକୁ ହାସଲ କରିବାଲାଗି ଏ ଦେଶର ସ୍ୱାୟତ୍ତଶାସନ ଅନୁଷ୍ଠାନମାନଙ୍କୁ ଆହୁରି କିଛିବର୍ଷ ଅପେକ୍ଷା କରିବାକୁ ପଡ଼ିବ ।" ଆଶ୍ଚର୍ଯ୍ୟ ଲାଗେ ପାର୍ଲାମେଣ୍ଟୀୟ ଗଣତନ୍ତ୍ରର ମୂଳପୀଠ ଇଂଲଣ୍ଡର ଉଦାର ସାମ୍ବିଧାନିକ ଓ ଶାସକୀୟ ବ୍ୟବସ୍ଥା ମଧ୍ୟରେ ଯାହା ଚିନ୍ତା ତଥା ଉପସ୍ଥାପନା କରିବାକୁ ବ୍ରିଟିଶ୍‍ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ପକ୍ଷରେ ସମ୍ଭବପର ହୋଇନଥିଲା, ପରାଧୀନ ଭାରତର ସଂକୁଚିତ ବୈଧାନିକ ବ୍ୟବସ୍ଥା ମଧ୍ୟରେ ଏପରି ପ୍ରଗତିଶୀଳ ଆଇନର ସଂଯୋଜନ କରିପାରିଥିଲେ ମଧୁସୂଦନ । ଏଥିରୁ ସୂଚିତ ହୁଏ ତାଙ୍କର ଗଣତନ୍ତ୍ର ପ୍ରତି ଅକୁଣ୍ଠ ସମର୍ଥନ ଓ ପ୍ରତିବଦ୍ଧତା ଯାହା ମଧ୍ୟରେ ତାଙ୍କର ପ୍ରମୁଖ ବୁଦ୍ଧିମତ୍ତା ଓ ଶାଣିତ ଚିନ୍ତାଧାରାର ଝଲକ ଫୁଟିଉଠେ ।

ସାମ୍ବିଧାନିକ ବ୍ୟବସ୍ଥାର କ୍ରମବିକାଶ ମଧ୍ୟରେ ସ୍ୱାଧୀନ ଭାରତର ପରିକଳ୍ପନା କରୁଥିବା ମଧୁସୂଦନଙ୍କ ପ୍ରତି ଶ୍ରଦ୍ଧାଂଜଳି ଅର୍ପଣ କରି ବିହାରର ଆଉ ଜଣେ ଗଭର୍ଣ୍ଣର ମିଷ୍ଟର ଏମ୍‍. ଜି ହାଲେଟ୍‍ କହିଛନ୍ତି, 'ମିଷ୍ଟର ଦାସଙ୍କ ପରି ଜନନାୟକମାନେ ଶାସନର ଭାରତୀୟକରଣରେ ଯେଉଁ ଉଜ୍ଜ୍ୱଳ ପରଂପରା ସୃଷ୍ଟି କରିଛନ୍ତି, ତାହା ହିଁ ଭାରତରେ ରାଜନୈତିକ ପକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି ।'

ଅସାଧାରଣ ଧୀସମ୍ପନ୍ନ ମଧୁସୂଦନଙ୍କ ଚିନ୍ତା ଓ ଚେତନାର ଚକ୍ରବାଳକୁ ଛୁଇଁବାପାଇଁ ବହୁ ଭାରତୀୟ ଜନନାୟକ ମଧ୍ୟ ସମର୍ଥ ହୋଇପାରି ନଥିଲେ । ସେତେବେଳର ସମଗ୍ର ଭାରତରେ ଯେଉଁ ରାଜନୈତିକ ଶକ୍ତିଗୁଡ଼ିକ କାର୍ଯ୍ୟ କରୁଥିଲା, ତାହାକୁ ଗଭୀର ଭାବେ ଅନୁଧ୍ୟାନ କରି ଭାରତର ଶାସକୀୟ ଅଳିନ୍ଦ ମଧ୍ୟରେ, ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଏ, ତାହାକୁ ଗଭୀର ଭାବେ ପ୍ରଭାବିତ କରି ମଧୁସୂଦନ ସ୍ୱତନ୍ତ୍ର ଓଡ଼ିଶା ଗଠନ କରିବାକୁ ସମର୍ଥ ହୋଇଥିଲେ । ତହିଁରେ ଜନ ଆନ୍ଦୋଳନର ଭୂମିକା ଅପେକ୍ଷାକୃତ ଗୌଣ ଥିଲା ।

୧୯୦୦ ସାଲରେ ମଧୁସୂଦନ ବଡ଼ଲାଟ ଲଡର଼୍ କର୍ଜନଙ୍କ ପାଖରେ ଅତ୍ୟନ୍ତ ମାର୍ମିକ ଭାବରେ ଦାବି ଉପସ୍ଥାପନା କରିବା ପରେ ଲର୍ଡ କର୍ଜନ ଏହାକୁ ଆଧାର କରି ଓଡ଼ିଆ ଭାଷାଭାଷୀ ଅଂଚଳର ମିଶ୍ରଣ ଦାବିକୁ ସ୍ୱୀକୃତି ପ୍ରଦାନ କରିଥିଲେ ୧୯୦୩ ସାଲ୍‍ର ଡିସେମ୍ବର ୩ ତାରିଖରେ, (ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାର ୨୭ ଦିନ ପୂର୍ବରୁ) ରିସ୍‍ଲେ ସର୍କୁଲାର

୨୦ ଆମ ମଧୁସୂଦନ