ପୃଷ୍ଠା:Aama Madhusudan.pdf/୨୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବସ୍ତିକୁ ଯାଇ ତିନିଜଣ ପାଣ ପରିବାରଙ୍କ କୁଟୀରକୁ ଯାଇ ଆଉ ଅନ୍ତରଂଗତାର ଆବେଦନରେ ସେମାନଙ୍କୁ ବିହ୍ୱଳିତ କରିଥିଲେ । ମହିଳାମାନଙ୍କ ସହିତ ଅତ୍ୟନ୍ତ ସ୍ୱଚ୍ଛ ଅନ୍ତଃକରଣରେ କଥାବାର୍ତ୍ତା ହେଲେ । ତେଣୁ ସେମାନେ ନିଭୃତ ଅନ୍ତରର ବେଦନା ଅଜାଡ଼ି ଦେଇଥିଲେ ଆଶ୍ୱାସନାର ହୃହୟସ୍ରାବୀ ସ୍ପର୍ଶରେ । ଭେଦାଠାରୁ ସତ୍ୟଭାମାପୁର ଥିଲା ମାତ୍ର ଅଳ୍ପ ଦୂରର ପଥ । ତାହା ଥିଲା ମଇମାସର ରୌଦ୍ରଦୀପ୍ତ ତେଇଶି ତାରିଖ । ବାପୁଜୀଙ୍କ ନିବିଡ଼ ହୃଦୟର ଆବେଗରେ ରସାଣିତ ଥିଲା ସେହି ସ୍ୱର୍ଣ୍ଣିମ ଦିବସଟି । ଆପଣାର ମାର୍ଗଦର୍ଶକଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ବାପୁଜୀଙ୍କପାଇଁ କିଭଳି ମହିମାନ୍ୱିତ ଥିଲା, ତାହା ପ୍ରକୃତରେ ଅକଳ୍ପନୀୟ । ଭେଦା ଯାତ୍ରା ପରେ ବାପୁଜୀ ପହଞ୍ଚିଥିଲେ ଅପରାହ୍‍ଣ ବେଳାରେ ସତ୍ୟଭାମାପୁରଠାରେ । ସୂର୍ଯ୍ୟର ମାଧୁର୍ଯ୍ୟଭରା ରକ୍ତିମ କିରଣରେ ଛାଇ ସବୁ ଲମ୍ବିଯାଇଥିଲା । ଏଠାରେ ଅନ୍ୟସ୍ଥାନ ପରି ଟଙ୍କା ଥଳି ମଧ୍ୟ ଭେଟି ଦିଆଗଲା । ମଧୁସୂଦନଙ୍କର ସଂର୍ପକୀୟା ବୋହୂ ଉର୍ମିଳା ଦେବୀ ମଧ୍ୟ ଅଳଂକାର ପ୍ରଦାନ କରି ବାପୁଜୀଙ୍କୁ ଭୂମିଷ୍ଠ ପ୍ରଣାମ କରିଥିଲେ । ସେହିଦିନ ସାୟାହ୍ନରେ ଭଜନ ଅନୁଷ୍ଠିତ ହୋଇଥିଲା । ବାପୁଜୀ ଏହି ସାନ୍ଧ୍ୟ ସମାବେଶର ପ୍ରାର୍ଥନା ସଭାରେ ବିପୁଳ ଆବେଗରେ ଅତ୍ୟନ୍ତ ଉଚ୍ଛ୍ୱସିତ କଣ୍ଠରେ ଭାଷଣ ପ୍ରଦାନ କରି କହିଥିଲେ, "" ଆମର ଏହି ଦେଶରେ ପ୍ରତ୍ୟେକ ମଣିଷକୁ ଭଗବାନଙ୍କର ନାମ ପ୍ରଦାନ କରାଯାଏ । ଏଣୁ ମଣିଷର ନାମ ଯେତିକି ଭଗବାନଙ୍କର ନାମ ସେତିକି । ଏତିକି ନାମ ସ୍ମରଣ କରିବା ଆମ ପକ୍ଷରେ ସଂଭବ ନୁହେଁ । ଆମକୁ ଭଗବାନଙ୍କର ଯେଉଁନାମ ବିହ୍ୱଳିତ କରୁଛି, ଭକ୍ତିର ଅପାର ଉଦ୍‍ବେଳନରେ ମନକୁ ରସାଣିତ କରୁଛି, ସେହି ନାମରେ ଭଗବାନଙ୍କୁ ଡାକିବା । ପ୍ରଭାତରୁ ଉଠି ଭଗବାନଙ୍କର ନାମ ନେଲେ ଦିନଯାକ ମଣିଷ ସୁରକ୍ଷିତ ରହିଥାଏ । ସାରା ଦିନର ଚବିଶି ଘଣ୍ଟାରେ ଭଗବାନଙ୍କ ନାମ ଅନ୍ତତଃ ଦୁଇଥର ନେବା ଉଚିତ । ଏହା ଆମକୁ ଭଗବାନଙ୍କ ସହିତ ସଂପର୍କିତ କରି ରଖିବା ସହିତ ସୁରକ୍ଷା ପ୍ରଦାନ କରି ଚାଲିଥିବ । ପ୍ରଖ୍ୟାତ ସମାଜବାଦୀ ନେତା ବାଙ୍କ ବିହାରୀ ଦାସ, ପଦଯା୍ରତାରେ ବାପୁଜୀଙ୍କର ଅନୁଗମନ କରୁଥିଲେ । ତାହାଙ୍କର ତାପùର୍ଯ୍ୟପୂର୍ଣ୍ଣ ବକ୍ତବ୍ୟ ଅନୁସାରେ ବାପୁଜୀ ସେହିଦିନ ରାତିରେ ମଧୁବାବୁଙ୍କର ନିବାସସ୍ଥଳୀ କୋଠାର ଛାତରେ ଉନ୍ମୁକ୍ତ ଆକାଶ ତଳେ ରାତ୍ରିଯାପନ କରିଥିଲେ । ଯେଉଁ ସ୍ଥାନରେ ସେ ଖଟରେ ଶୟନ କରୁଥିଲେ, ତାହା ନୀଳରେଖା ଅଂକନ କରାଯାଇ ସୂଚିତ କରାଯାଇଛି । ସେଦିନ ରାତିରେ ବାପୁଜୀ ତାରକାଖଚିତ ମୁକ୍ତ ଆକାଶ ତଳେ ନିରାଭରଣ ପ୍ରକୃତିର ଐଶ୍ଚର୍ଯ୍ୟ ବିମଣ୍ଡିତ ସୁଷମାର ଅପୂର୍ବ ବିନ୍ୟାସ ମଧ୍ୟରେ ଶୟନ କରିଥିଲେ । ସମ୍ମୁଖରେ ସୁବିଶାଳ ଭରାଜଳର ସରୋବର ରମଣୀୟ ""ରସକୁଣ୍ଡ ଚତୁର୍ଦ୍ଦିଗରେ ବିପୁଳ ନାରିକେଳ ଆଉ ଗୁଆ ଗଛର ଶୋଭାଯାତ୍ରା, ଯାହାକୁ ସ୍ପର୍ଶ କରି ସୁଶୀତଳ ମନ୍ଦମଳୟ ବହି ଚାଲିଥିଲା ଅବାରିତ ଗତିରେ । ପ୍ରଭାତୀ ଜାଗରଣ ବେଳାରେ କୂଜନର ସୁମଧୁର ନିଃସ୍ୱନ ଆମୋଦିତ କରିଥିଲା ସମସ୍ତ ପରିବେଶକୁ ।