ଏହିଠାରେ ଅବସ୍ଥାନ କାଳରେ ବାପୁଜୀଙ୍କର ରମାଦେବୀଙ୍କ ବିଷୟରେ ବୋଧହୁଏ ସ୍ମରଣରେ
ଆସିଲା । ରମାଦେବୀ ଏହି ପ୍ରଥମ ପର୍ଯ୍ୟାୟରେ, ପୁରୀଠାରୁ କଟକ ଯାତ୍ରାପଥରେ ବାପୁଜୀଙ୍କ
ପଦଯାତ୍ରାର ଗୁରୁ ଦାୟିତ୍ୱ ବହନ କରିଥିଲେ । ଏହି ପଦଯାତ୍ରାର ମାତ୍ର ତିନିମାସ ପୂର୍ବରୁ
ରମାଦେବୀଙ୍କ ପରିବାରର ବଡ଼ବାପା ମଧୁସୂଦନଙ୍କର ତିରୋଧାନ ଘଟିଥିଲା, ଯାହା ସାରା ଦେଶକୁ
ଶୋକରେ ଆଚ୍ଛନ୍ନ କରିଥିଲା । ବାପୁଜୀ ପାଟଣା ଯିବା ପରେ ରମାଦେବୀଙ୍କର ତେଜସ୍ୱିନୀ ମାତା
ବସନ୍ତ କୁମାରୀଙ୍କର ପରଲୋକ ଘଟିଲା । ଏହା ତାଙ୍କୁ ଶଲ୍ୟାଘାତ ପରି ଅସୀମ ଯଂତ୍ରଣା ପ୍ରଦାନ
କରିଥିଲା । ଶୋକାଭିଭୂତ ରମାଦେବୀ ଯେପରି ସୀମାହୀନ ଦୁଃଖର ସାଗରରେ ନିମଜ୍ଜମାନା
ହୋଇଯାଇଥିଲେ ।
ଏହା ଅବଗତ ହେବାପରେ, ବାପୁଜୀ ଅନ୍ତରର ଆବେଗରେ, ରମାଦେବୀଙ୍କୁ ସାନ୍ତ୍ୱନାଦାୟୀ
ଅଥଚ ଅନୁପ୍ରେରଣାଭିତ୍ତିକ ଏକ ଚିଠି ଲେଖି ଜଣାଇଥିଲେ । ""ଜଣେ ଦେଶ ସେବିକାର ନିଜସ୍ୱ
ଦୁଃଖ ଆଉ ଅବସାଦ ଭୋଗ କରିବାପାଇଁ ତାହାଙ୍କର ସ୍ୱତନ୍ତ୍ର ସମୟ ମଧ୍ୟ ନାହିଁ । ତାହାଙ୍କର
ସମସ୍ତ ସମୟ ଦେଶ ସେବାରେ ହିଁ ନିବେଦିତ ।
ବାପୁଜୀଙ୍କର ଏହି ଆହ୍ୱାନରେ ରମାଦେବୀ ଆସି ପଦଯାତ୍ରାରେ ଯୋଗ ଦେଇଥିଲେ ।
ପରଦିନ ସକାଳେ ବାପୁଜୀ ସତ୍ୟଭାମାପୁର ଛାଡ଼ି ଆସି ପହଞ୍ଚିଲେ ବହୁକୁଦରେ । ବାପୁଜୀ
ପହଞ୍ଚିବା ପରେ କ୍ଷୌର ହେବାପାଇଁ ଚାହିଁଲେ । ମାତ୍ର ହଠାତ୍ ଏହି ସ୍ଥାନରେ କୌଣସି ନାପିତ
ମିଳିଲେ ନାହିଁ । ସେଠାରେ ଜଣେ ନାପିତୁଣୀ ଉତ୍ତମ କ୍ଷୌର କର୍ମ ଜାଣିଥାଏ । ତାହାକୁ
ଯେତେବେଳେ ଡକାଗଲା ସେ ଗଭୀର ଭାବେ ଚିନ୍ତିତା ହେଲା । ତାହାର ପିନ୍ଧିକରି ଯିବାପାଇଁ
କୌଣସି ମୂଲ୍ୟବାନ ସୁନା ଆଉ ରୂପାର ଅଳଂକାର ନଥିଲା । ଜଣେ ଦେବପୁରଷକୁ ନିରାଭରଣ
ଶରୀରରେ କିପରି ବା ସାକ୍ଷାତ କରିବ ? ତେଣୁ ଗ୍ରାମ ଗହଳରେ କିଛି ଧନାଢ଼୍ୟ ପରିବାରଙ୍କଠାରୁ
ମାଗି ଯାଚି କିଛି ମୂଲ୍ୟବାନ ଅଳଂକାର ଆଣି ସଜ୍ଜିତ ହେଲା । କ୍ଷୁର ମୁଠି ଧରି ସେ ମହାତ୍ମାଙ୍କୁ
କ୍ଷୌର କରିବାପାଇଁ ଆଗେଇ ଗଲା ।
ପରବର୍ତ୍ତୀ ବର୍ଣ୍ଣନାଟି କବି ମାୟାଧର ମାନସିଂହଙ୍କ ଲେଖନୀରେ ପ୍ରକାଶ ପାଇଛି-
ଆସିବେ ମହାତ୍ମାଗାନ୍ଧୀ ପତିତ ଉଦ୍ଧାରେ ା
ଶୁଣେ ଗ୍ରାମ-ନାପିତୁଣୀ, ତା ଗ୍ରାମ ତୋଟାରେ ାା
ବାନ୍ଧୁଛନ୍ତି ସ୍ୱେଚ୍ଛାସେବୀ ତାଳପତ୍ର ବାସ,
ଲାଗିଅଛି ଜନତାରେ ଦ୍ରୁତ ଯାଆ ଆସ ାା
ଦେଖୁଛନ୍ତି ନବଲୀଳା ଗ୍ରାମ ନରନାରୀ,
ହେଉଛନ୍ତି କୁହାକୁହି ପଚରାପଚରି-
କିଦେବେ ଗାନ୍ଧୀରେ ଭେଟି; ଦରିଦ୍ର ସକଳେ-
ହେଲେ କି ଦେବତା ଦେଖା ହେବ ରିକ୍ତ-କରେ ?