ପୃଷ୍ଠା:Aama Madhusudan.pdf/୨୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସବଳ ଆନ୍ଧ୍ରବାସୀ ଦୁର୍ବଳ ଓଡ଼ିଆମାନଙ୍କର ଦାବି ମାନିନେବା ଉଚିତ । ଆନ୍ଧ୍ର ଓ ଓଡ଼ିଆମାନଙ୍କ ମଧ୍ୟରେ ଥିବା ସୀମା ସମସ୍ୟା ଭାରତୀୟ ପରଂପରା ମତେ ରାଜନୈତିକ ଦୂରଦର୍ଶିତା ମଧ୍ୟରେ ସମାହିତ ହେବା ଆବଶ୍ୟକ । ମୁଁ ନିଶ୍ଚୟ ଭାଷାଭିତ୍ତିରେ ଅଂଚଳର ଗଠନ ଓ ବିକାଶପାଇଁ ପ୍ରତିଶ୍ରୁତିବଦ୍ଧ ।" (ମହାତ୍ମାଗାନ୍ଧୀ ରଚନାବଳୀ- ୨୩.୩.୨୧) ଏହାପରେ ୧୩.୪.୧୯୨୧ରେ ୟଙ୍ଗ୍‍ ଇଣ୍ଡିଆରେ ମହାତ୍ମାଗାନ୍ଧୀ ଲେଖିଥିଲେ - "ଓଡ଼ିଆ ମୁଭ୍‌ମେଣ୍ଟ" ରେ ଲେଖକ ପ୍ରକାଶ କରିଛନ୍ତି ଯେ ମନ୍ଦ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାପାଇଁ ଓଡ଼ିଶାକୁ ବିଭାଜିତ କରାଯାଇଛି । ଏହାର ଏକ ଭାଗ ବଂଗରେ, ଅନ୍ୟଭାଗ ବିହାରରେ, ଆଉ କିଛି ଭାଗ ମଧ୍ୟ ପ୍ରଦେଶରେ, ପୁଣି କିଛି ଭାଗ ଆନ୍ଧ୍ରରେ ରହିଥିବା ବେଳେ ଓଡ଼ିଶାର ନିଜସ୍ୱ ଭୂମି ଖଣ୍ଡେ ମଧ୍ୟ ନାହିଁ । ହେଲେ କଂଗ୍ରେସ ଓଡ଼ିଶାକୁ ଆଉ ଓଡ଼ିଆ ଲୋକଙ୍କୁ ସ୍ୱତନ୍ତ୍ର ସ୍ୱୀକୃତି ପ୍ରଦାନ କରିଛି । ମହାତ୍ମାଗାନ୍ଧୀଙ୍କର ଏହି ସହୃଦୟତା ସତ୍ତ୍ୱେ ସର୍ବଭାରତୀୟ ସ୍ତରରେ ରାଜନୈତିକ ନେତୃବର୍ଗଙ୍କର ଅନାଗ୍ରହ ଓ ବିରୋଧ ଯୋଗୁଁ ଓଡ଼ିଶାର ସୀମାନିର୍ଦ୍ଧାରଣ କ୍ଷେତ୍ରରେ ସାମାନ୍ୟତମ ଅଗ୍ରଗତି ଘଟିନଥିଲା ।
ମଧୁସୂଦନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ମହାତ୍ମାଗାନ୍ଧୀ କଟକ ଆସି "ମଧୁସ୍ମୃତି" ଠାରେ ୧୯.୮.୧୯୨୫ରେ ଅନୁଷ୍ଠିତ କଂଗ୍ରେସ କର୍ମୀସଭାରେ ଯୋଗ ଦେଇଥିଲେ । କଂଗ୍ରେସର କର୍ମୀମାନେ ଚରଖା ଚଳାଇ ରଚନାତ୍ମକ କାର୍ଯ୍ୟ କରିବା ଯେମିତି ଗୁରୁତ୍ୱପୂର୍ଣ୍ଣ, ସିଂହଭୂମିର ଓଡ଼ିଶା ସହିତ ମିଶ୍ରଣ ପାଇଁ ପ୍ରୟାସ କରିବା ସେହିପରି ଗୁରୁତ୍ୱପୂର୍ଣ୍ଣ । ଏଥିଲାଗି ଉତ୍କଳମଣି ଗୋପବଂଧୁ ଓ ପଣ୍ଡିତ ଗୋଦାବରୀଶ ମଧ୍ୟ ଆଗରୁ ପ୍ରୟାସ କରିଥିଲେ । ଅବଶେଷରେ ୧୫.୪.୧୯୨୮ରେ ମଧୁସୂଦନ ବମ୍ବେଠାରେ ବଟ୍‍ଲାର କମିଟି ସମ୍ମୁଖରେ ଓଡ଼ିଶା ସହ ଷଢେ଼ଇକଳା ଓ ଖରସୁଆଁର ମିଶ୍ରଣ ଲାଗି ଦାବି ଉପସ୍ଥାପନ କରିବାରୁ ଲୋଥିୟାନ କମିଟିର ସୁପାରିଶ କ୍ରମେ ୧୯୩୩ରେ ଏହା ଓଡ଼ିଶାରେ ମିଶିଥିଲା । ମାତ୍ର ଓଡ଼ିଶାର ରାଜନୈତିକ ନେତୃବର୍ଗଙ୍କ ଅପରିଣାମଦର୍ଶିତାଯୋଗୁଁ ଶେଷରେ ଏହି ଭୂମିଖଣ୍ଡ ଓଡ଼ିଶାରୁ ବିଚ୍ୟୁତ ହୋଇଯାଇଥିଲା ।
କରାଚୀଠାରେ ୧୯୩୧ରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ସରଳାଦେବୀ ମହାତ୍ମାଗାନ୍ଧୀଙ୍କୁ ଗୋଲଟେବୁଲ୍‍ ବୈଠକରେ ଓଡ଼ିଶାର ପ୍ରଶ୍ନ ଉତ୍‍ଥାପନ କରିବାପାଇଁ ନିବେଦନ ଜଣାଇଥିଲେ । ପ୍ରତ୍ୟୁତ୍ତରରେ ମହାତ୍ମାଗାନ୍ଧୀ କହିଥିଲେ, "ମୁଁ ଗୋଲ୍‌ଟେବୁଲ୍‍ ବୈଠକରେ ଓଡ଼ିଶାର ପ୍ରତିନିଧି ଦଳ ସହ ଏହି ଦାବି ଉପସ୍ଥାପନ କରିବି । "
ଓଡ଼ିଶା ଗଠନ ପ୍ରୟାସର ଶେଷ ଦୃଶ୍ୟ ସଂଘଟିତ ହୋଇଥିଲା, ଲଣ୍ଡନର ପଟ୍ଟଭୂମିରେ । ଓଡ଼ିଶାର ୧୫୬୮ ସାଲରେ ସ୍ୱାଧୀନତାର ଅବଲୁପ୍ତି ପରେ ଏହାଥିଲା ବିଦେଶ ମାଟିରେ ଓଡ଼ିଆମାନଙ୍କର ଅନ୍ତିମ ଗରିମାମୟ ନିର୍ଣ୍ଣାୟକ ସଂଗ୍ରାମ । ମଧୁସୂଦନ ୧୮୯୭ ଓ ୧୯୦୭ରେ, ପାରଳା ମହାରାଜା ୧୯୩୧, ୧୯୩୩, ଓ ୧୯୩୪ରେ, ଖଲ୍ଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ୧୯୩୨ ଓ ୧୯୩୩ରେ, ଭୁବନାନନ୍ଦ ଦାସ ୧୯୩୨ ଓ ୧୯୩୩ରେ ଓ ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ ୧୯୩୪ରେ ଇଂଲଣ୍ଡର ଗୋଲଟେବୁଲ୍‍ ବୈଠକ ତଥା ଅନ୍ୟ ସମସ୍ତ ନିର୍ଣ୍ଣାୟକ ଅଧିବେଶନର ଆନ୍ଧ୍ର ଓ କର୍ଣ୍ଣାଟକ ପ୍ରତିନିଧିମାନଙ୍କର ସମାନ୍ତରାଳ ବିପରୀତମୁଖୀ ପ୍ରଚେଷ୍ଟା ସତ୍ତ୍ୱେ

ଆମ ମଧୁସୂଦନ ୨୨୭