Jump to content

ପୃଷ୍ଠା:Aama Madhusudan.pdf/୨୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗାନ୍ଧିଜୀ, ଆମ୍ବେଦକର ଆଉ ମଧୁସୂଦନ

ସ୍ୱାଧୀନତାର ଅଗ୍ରଦୂତ ମହାତ୍ମାଗାନ୍ଧୀଙ୍କର ଜାତୀୟବାଦୀ କାର୍ଯ୍ୟଧାରାର ପଟ୍ଟଭୂମିରେ ପରାଧୀନ ଭାରତରେ ଆମ୍ବେଦକର ଏବଂ ମଧୁସୂଦନ, ଗାନ୍ଧିଜୀଙ୍କ ପ୍ରତି ଉଚ୍ଛ୍ୱସିତ ସମର୍ଥନ ଜଣାଇଥିଲେ ମଧ୍ୟ ନିଜର ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ, କଲ୍ୟାଣପ୍ରଦ ତଥା ମହତ୍ତର ଲକ୍ଷ୍ୟ ତୁରନ୍ତ ହାସଲ କରିବାର ଆତୁରତା ପାଇଁ ସେମାନଙ୍କୁ ଗାନ୍ଧିଜୀଙ୍କର କିଞ୍ଚିତ୍‍ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହାଛଡ଼ା ସେହି ସମୟର ତୁଂଗ ନେତୃବର୍ଗଙ୍କ ସହିତ ସେମାନଙ୍କୁ ରୀତିମତ ସଂଘର୍ଷ କରିବାକୁ ପଡ଼ିଥିଲା । ଆମ୍ବେଦକର ଆଉ ମଧୁସୂଦନଙ୍କ କାର୍ଯ୍ୟଧାରାକୁ ବିଶ୍ଳେଷଣ କରିବାକୁ ଗଲେ, ସେମାନଙ୍କ ଭିତରେ ଥିବା ସମାନତା ବାରିହୁଏ ।

ଭାରତ ରତ୍ନ ଭୀମରାଓ ଆମ୍ବେଦକର (୧୮୯୧-୧୯୫୬) ନିର୍ଯ୍ୟାତିତ ଆଉ ନିଷ୍ପେଷିତ ଦଳିତ ଜାତିର ମୁକ୍ତି ଓ ଆର୍ଥିକ ବିକାଶ ପାଇଁ ଏବଂ ଜାତୀୟ ଗୌରବ ମଧୁସୂଦନ ଦାସ (୧୮୪୮- ୧୯୩୪) ବିଖଣ୍ଡିତ ଓ ବିଭାଜିତ କଂକାଳସାର ଓଡ଼ିଆ ଜାତିର ନିଜସ୍ୱ ଭାଷାଭିତ୍ତିକ (ଓଡ଼ିଶା) ପ୍ରଦେଶର ସ୍ଥାପନା ପାଇଁ ଜୀବନବ୍ୟାପୀ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଥିଲେ । ଏହି ଲକ୍ଷ୍ୟ ପ୍ରାପ୍ତିପାଇଁ ସେମାନେ ମହାତ୍ମାଗାନ୍ଧୀଙ୍କ ଅକୁଣ୍ଠିତ ସମର୍ଥନ ମଧ୍ୟ ହାସଲ କରିଥିଲେ । ମଧୁସୂଦନ ଏବଂ ଆମ୍ବେଦକରଙ୍କ ପାଇଁ ସ୍ୱାଧୀନତା ପ୍ରାପ୍ତିର ଯଥେଷ୍ଟ ପୂର୍ବରୁ ସେମାନଙ୍କ ଲକ୍ଷ୍ୟ ପୂରଣ ହେବା ଆବଶ୍ୟକ ଥିଲା, କାରଣ ସ୍ୱାଧୀନତା ପରେ ସେହି ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ ଦୁରୂହ ଓ କଷ୍ଟସାଧ୍ୟ ହୋଇପଡ଼ିଥାନ୍ତା ।

ଦଳିତ ଜାତିମାନଙ୍କ ସମସ୍ୟାର ଆଶୁ ସମାଧାନ କ୍ଷେତ୍ରରେ ଆମ୍ବେଦକରଙ୍କ ବକ୍ତବ୍ୟ ଥିଲା, "ମୁଁ ଅତ୍ୟନ୍ତ ଆତଙ୍କିତ ଯେ ଭାରତ, ବର୍ତ୍ତମାନ ସ୍ଥିତିରେ ଯଦି ସ୍ୱାଧୀନତା ଲାଭକରେ, ତାହାହେଲେ ଉଚ୍ଚ ବର୍ଗର ହିନ୍ଦୁମାନଙ୍କ ଦ୍ୱାରା ଅସ୍ପୃଶ୍ୟମାନେ ଅଧିକ ନିର୍ଯ୍ୟାତିତ ଓ ନିପୀଡ଼ିତ ହେବେ ।" ଏହି କଥାକୁ ତାତ୍ତ୍ୱିକ ସମର୍ଥନ ଜଣାଇ ମହାତ୍ମାଗାନ୍ଧୀ ୧୯୩୨ ସାଲର ମଧ୍ୟ ଭାଗରେ କହିଥିଲେ "