ପୃଷ୍ଠା:Aama Madhusudan.pdf/୨୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୯୮: ଉତ୍କଳୀୟ ଅଭ୍ୟୁତ୍‍ଥାନର
ସାର୍ଦ୍ଧ ଶତାବ୍ଦୀ ଜୟନ୍ତୀ ସମ୍ବତ୍ସର


ଊନବିଂଶ ଶତାବ୍ଦୀର ଶେଷଭାଗ, ଯାହା ଭାରତୀୟ ଜାଗରଣ(ରେନାସାଁସ୍‍)ର ଯୁଗ ରୂପେ ଚିହ୍ନିତ, ତାହାଥିଲା ଓଡ଼ିଶା ଜାତିପାଇଁ ଆପଣାର ଲୁପ୍ତ ସ୍ଥିତିର ପୁନଃସଂସ୍ଥାପନଲାଗି ପ୍ରଚଣ୍ଡ ସଂଗ୍ରାମର ଯୁଗ । ଏଥିରେ ଅସ୍ତ୍ରର ଝଙ୍କାର ଅପେକ୍ଷା ଉଦ୍ଦୀପ୍ତ ଚେତନାର ପରିସ୍ଫୁରଣ ଥିଲା ଚରମ ଆବଶ୍ୟକତା । ହେଲେ ଯେଉଁ ଦୂରନ୍ତ ଶକ୍ତିଟି ଅତି ଅଦ୍‍ଭୁତ ଭାବେ କ୍ରିୟାଶୀଳ ହୋଇ ଏହି ଯୁଗାନ୍ତକାରୀ ପରିବର୍ତ୍ତନ ସଂଘଟିତ କରିଥିଲା, ତାହାରି ଭ୍ରୂଣ ବା ମୂଳ ପିଣ୍ଡଟି ସ୍ଥାପିତ ହୋଇଥିଲା ଏହି ମାଟିରେ ୧୮୪୮ରେ, ଯାହାର ଦେଢ଼ଶହ ବର୍ଷର ଜୟନ୍ତୀ ସମ୍ବତ୍ସର ପାଳିତ ହେଲା ୧୯୯୮ ସାଲରେ ।
ସେହି ଅବିସ୍ମରଣୀୟ କ୍ରାନ୍ତିକାରୀ୧୮୪୮ ସାଲଟି ହେଉଛି, ଏ ଜାତି ଅଭୁ୍ୟଦୟର ଦୁର୍ନିବାର ଅଗ୍ନିଶିଖା ଜାତୀୟ ଗୌରବ ମଧୁସୂଦନ ଆଉ ଦୂରନ୍ତ ଆହ୍ୱାନର ଚାରଣ କବି ରାଧାନାଥଙ୍କ ଜନ୍ମ ସମ୍ବତ୍ସର । ଏହାର ପାଞ୍ଚବର୍ଷ ଆଗରୁ ୧୮୪୩ ସାଲରେ ଆବିର୍ଭାବ ଘଟିଥିଲା ଦିଗ୍‍ଦର୍ଶୀ କଥାକାର ଫକୀର ମୋହନଙ୍କର -ଯେଉଁ ତ୍ରୟୀଙ୍କର ଅନବଦ୍ୟ ସମାହାର, ଏ ପ୍ରଦେଶର ମାଟିକୁ ଦେଇଥିଲା ଆତ୍ମ ପରିଚୟର ସ୍ୱତନ୍ତ୍ର ଭିତ୍ତିଭୂମି ।
ସେହି ୧୮୪୮ ରେ ଓଡ଼ିଶା ମାଟିରେ ସଂସ୍ଥାପିତ ମୂଳ ସତ୍ତାଟି, ୧୮୮୧ସାଲରେ ଦୀର୍ଘ ବତିଶି ବର୍ଷର ପ୍ରସ୍ତୁତି ପରେ, ଡେଣା ମେଲାଇଥିଲା । ସୂର୍ଯେ୍ୟାଦୟ ପୂର୍ବରୁ ରାତିର ଘନ ଅନ୍ଧକାର ଆହୁରି ନିବିଡ଼ ହେଲାପରି, ଏହି ପ୍ରସ୍ତୁତିପର୍ବର ସମୟଟି ଥିଲା ଘନ ତମ୍ରିସାର ରଜନୀ, ଯହିଁରେ ଦୁର୍ଗତିର ଦୁର୍ବିପାକ ମଧ୍ୟରେ ଆଉଟି ହୋଇ ନିଃଶେଷିତ ହେବାକୁ ବସିଥିଲା ଏହି ଜାତି । ବିଦେଶୀ ଇଂରେଜୀ ଶକ୍ତି ବିରୁଦ୍ଧରେ ଫଣା ଟେକି ୧୮୧୭ ସାଲରେ ପାଇକ ବିଦ୍ରୋହ ଅବସରରେ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁ, ଦକ୍ଷିଣାଞ୍ଚଳର ଚକରା ବିଶୋଇଙ୍କ ଗରିଲା ସଂଗ୍ରାମଠାରୁ ଆରମ୍ଭ

ଆମ ମଧୁସୂଦନ ୨୩୫