ପୃଷ୍ଠା:Aama Madhusudan.pdf/୨୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ମୃତ୍ୟୁ ମୁଖରେ ପଡ଼ିବା ପରେ କଙ୍କାଳସାର ଓଡ଼ିଆ ଜାତିଟି ଅତ୍ୟନ୍ତ ଅସୁରକ୍ଷିତ ଓ ଅସହାୟ ଅବସ୍ଥାରେ ଖସିପଡ଼ିଥିଲା ନିଃସ୍ୱତାର ଅତଳ ଗର୍ଭକୁ ।
ଠିକ୍‍ ଏହାର ଅବ୍ୟବହିତ ପୂର୍ବରୁ ୧୮୬୨ ସାଲରେ ସମ୍ବଲପୁର ଜିଲ୍ଲା ସମେତ ପଶ୍ଚିମାଞ୍ଚଳ ଓଡ଼ିଶାର ସମସ୍ତ ଗଡ଼ଜାତ, ମଧ୍ୟପ୍ରଦେଶର ଛତିଶିଗଡ଼ ଅଂଚଳ ସହିତ ସଂଯୁକ୍ତ ହୋଇ ଆପଣାର ସତ୍ତା ହରାଇବାକୁ ବସିଥିଲା । ଆଉ ଦକ୍ଷିଣ ଓଡ଼ିଶାର କୋର୍ଟକଚେରିରୁ ଦୀର୍ଘକାଳ ଧରି ବିଧିବଦ୍ଧ ଭାବେ ଓଡ଼ିଆ ଭାଷାର ନିର୍ବାସନ ପରେ ୧୮୭୦ ସାଲରେ ଗଞ୍ଜାମର ରସଲକୁଣ୍ଡା (ଭଞ୍ଜନଗର)ଠାରେ ପ୍ରଥମ ପ୍ରତିବାଦର ଗୁଞ୍ଜରଣ ଶୁଭିଥିଲା । ହେଲେ ୧୮୬୭-୬୮ ସାଲରେ ଓଡ଼ିଶାର ମୂଳ ଭୂଖଣ୍ଡ ବାଲେଶ୍ୱରର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଂଗଳା ଭାଷାର ପ୍ରଚଳନ ବିରୋଧରେ ପଂକୀରମୋହନଙ୍କ ଦ୍ୱାରା ସଂଚାଳିତ ଜନଜାଗରଣକୁ କଲେକ୍ଟର ବୀମସ୍‍ ସାହେବଙ୍କର ଅକୁଣ୍ଠ ସମର୍ଥନ ଆଉ କମିଶନର ରେଭେନ୍‍ସା ସାହେବଙ୍କର ସମୟୋପଯୋଗୀ ଦୃଢ଼ ପଦକ୍ଷେପ ଫଳରେ, ଓଡ଼ିଆ ଭାଷା ନିଜର ମାନ୍ୟତା ଫେରିପାଇଲା ୧୮୬୯ରେ । ହେଲେ ବହିରାଗତ କର୍ମଚାରୀଙ୍କ ପକ୍ଷପାତିତାର ଜୁଆ ଖେଳ ମଧ୍ୟରେ ବିଖଣ୍ଡିତ ଓଡ଼ିଆ ଜାତି ପ୍ରତିବାଦ କରିବାର ସ୍ୱରଟି ହରାଇ ବସିଥିଲା, ଏକ ମେରୁଦଣ୍ଡ ବିହୀନ ମୁମୂର୍ଷୁ ଜାତିରେ ପରିଣତ ହୋଇ ।
ଏତିକି ବେଳେ କଲିକତାରେ, ଜାତୀୟ ଜାଗରଣର ମୂଳଉତ୍ସ, ଇଣ୍ଡିଆନ୍‍ ଆସୋସିଏସନ୍‍ର ଜଣେ ସକ୍ରିୟ ସଭ୍ୟ ରୂପେ ସଂଯୁକ୍ତ ରହି, ମଧୁସୂଦନ ଓଡ଼ିଶାକୁ ଫେରିଆସିଥିଲେ ଏକ କ୍ରାନ୍ତିକାରୀ ନୂତନ ଯୁଗର ବାର୍ତ୍ତାବହ ରୂପରେ । ଯେତେବେଳେ ଭାଙ୍ଗି ,ଅଜାଡ଼ି ହୋଇ ପଡ଼ୁଥିବା ପୁରୁଣା ବ୍ୟବସ୍ଥା ଉପରେ ନୂତନ ଯୁଗର ଭିତ୍ତିସ୍ଥାପନ ଅବଶ୍ୟମ୍ଭାବୀ ହୋଇ ପଡିଥିଲା । ଏହି ଐତିହାସିକ କର୍ତ୍ତବ୍ୟଟି ଏକାକୀ ସଂପାଦନ କରିଥିଲେ ମଧୁସୂଦନ । ୧୮୮୨ସାଲରେ ଉତ୍କଳ ସଭା ଗଠନ କରି, ତାହାରି ମାଧ୍ୟମରେ ମଧୁସୂଦନ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ଦାବି ଉପସ୍ଥାପନ କରିଥିଲେ, ତତ୍‍କାଳୀନ ବଙ୍ଗର ଗଭର୍ଣ୍ଣରଙ୍କ ସମକ୍ଷରେ । କେବଳ ସେତିକି ନୁହେଁ, ୧୮୮୭ ସାଲରେ ଓଡ଼ିଆ ଜାତିର ସ୍ନାୟୁକେନ୍ଦ୍ର ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନାକୁ ଇଂରେଜୀ ସରକାରଙ୍କୁ ହସ୍ତାନ୍ତର କରିବାର ହୀନ ଚକ୍ରାନ୍ତକୁ ଆଇନଗତ ସଂଗ୍ରାମରେ ପ୍ରତିହତ କରି, ସ୍ମରଣାତୀତ ଯୁଗରୁ ପ୍ରଚଳିତ ଥିବା ଗଜପତି ବଂଶର ପରଂପରାକୁ ଆଉ ଥରେ ସଂସ୍ଥାପିତ କରିଥିଲେ ମଧୁସୂଦନ । ତେଣୁ ମଧୁସୂଦନ ଉଭା ହୋଇଥିଲେ, ଏ ଜାତିର ତ୍ରାଣକର୍ତ୍ତା ଆଉ ବିପଦର ଝଡ଼ଝଞ୍ଜା ମଧ୍ୟରେ ଆଶାଭରସାର ଏକମାତ୍ର ଆଶ୍ରୟସ୍ଥଳ ରୂପେ ।
ଏ ସମସ୍ତ ମଧ୍ୟରେ ବିଖଣ୍ଡିତ ଓଡ଼ିଆ ଜାତିର ନବଜାଗରଣ ଲାଗି ଗ୍ରହଣଶୀଳ ମାନସିକ ପ୍ରସ୍ତୁତିର ଭିତ୍ତିଭୂମି ସଜାଡ଼ିଥିଲେ, କ୍ରାନ୍ତିକାରୀ ଚାରଣ କବି ରାଧାନାଥ, ତାଙ୍କ ରଚନାର ଅନବଦ୍ୟ ଉପସ୍ଥାପନାରେ । ସେତେବେଳେ ଓଡ଼ିଶା ଇତିହାସର ରୁଦ୍ଧଦ୍ୱାରକୁ ଉନ୍ମୋଚିତ କରିଥିବା ମାଦଳା ପାଞ୍ଜିର ଆଖ୍ୟାନକୁ ଭିତ୍ତିକରି ରାଧାନାଥ, ମାତୃଭୂମିର ଆରାଧନା ପୀଠରେ ଗଢ଼ିଥିଲେ ସାରସ୍ୱତ ପୂଜା ସମ୍ଭାର । ଏହାରି ମାଧ୍ୟମରେ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସଂସ୍କୃତିର ବ୍ୟାଖ୍ୟାକାର ସାରଳା

ଆମ ମଧୁସୂଦନ ୨୩୭