ପୃଷ୍ଠା:Aama Madhusudan.pdf/୨୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନଙ୍କ ଭାଷାରେ ଓଡ଼ିଶା ଥିଲା "କଲୋନି ଅଫ୍‍ କଲୋନିଜ୍‍" । ଫକୀରମୋହନଙ୍କର ଜୀବନୀକାର ବୋଲଟନ୍‍ଙ୍କ ବକ୍ତବ୍ୟରେ ମୋଗଲ ବନ୍ଦୀ ଓଡ଼ିଶା ଥିଲା ବହିରାଗତ ବଂଗାଳୀମାନଙ୍କ ଦ୍ୱାରା ବନ୍ଧକପ୍ରାପ୍ତ ଏକ ବନ୍ଦୀଶାଳା । ତେଣୁ ସେହି ଯୁଗରେ ଓଡ଼ିଶାର "ମୁକ୍ତି ସଂଗ୍ରାମ", ଏହାର ନିଷ୍ପେଷଣ ବିରୁଦ୍ଧରେ ପ୍ରଧାବିତ ହେବାକୁ ବାଧ୍ୟ ହୋଇଥିଲା, ଯାହାର ଅଧିନାୟକ ଥିଲେ ମଧୁସୂଦନ ଦାସ । ୧୯୨୧ ସାଲ ପରର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଗଠନର ପ୍ରକ୍ରିୟା, ପଡୋଶୀ ପ୍ରଦେଶମାନଙ୍କ ନେତୃବର୍ଗଙ୍କ ଦ୍ୱାରା କେବଳ ପ୍ରତ୍ୟାକ୍ଷ୍ୟାତ ହୋଇନଥିଲା, ସେମାନଙ୍କର ସୁପରିକଳ୍ପିତ ଚକ୍ରାନ୍ତରେ ବହୁବାର ବିଡ଼ମ୍ବିତ ଓ ପ୍ରବଞ୍ଚିତ ହୋଇଥିଲା ।
ସେହିପରି ସେ ସମୟରେ, ମଧ୍ୟ ପ୍ରଦେଶର ନାଗପୁର ସଚିବାଳୟରେ ଅଧିଷ୍ଠିତ ପଦସ୍ଥ ମରାଠୀ ଓ ହିନ୍ଦୀଭାଷୀ ମଧ୍ୟବର୍ତ୍ତୀ ଉପନିବେଶବାଦୀ ପ୍ରଭୁଗଣଙ୍କ ପ୍ରରୋଚନାରେ, ୧୮୯୬ସାଲରୁ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷାକୁ କେବଳ ନିଷିଦ୍ଧ କରାଯାଇ ନଥିଲା, ୮୨ ଗୋଟି ଓଡ଼ିଆ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଛେଦ କରାଯାଇଥିଲା । ଏହାରି ବିରୋଧରେ ସ୍ୱଭାବ କବି ଗଂଗାଧର ମେହେର; ଧରଣୀଧର ମିଶ୍ର, ମଦନମୋହନ ମିଶ୍ର, ବ୍ରଜମୋହନ ପଟ୍ଟନାୟକ, ଶ୍ରୀପତି ମିଶ୍ର, ବଳଭଦ୍ର ସୂପକାର, ମହନ୍ତ ବିହାରୀ ଦାସ ଆଦିପଞ୍ଚସଖା : ପ୍ରାଶାସନିକ ଅଧିକାରୀ ବୈକୁଣ୍ଠନାଥ ପୂଜାରୀ ତଥା ବିଶିଷ୍ଟ ନେତୃପୁରୁଷ ଚନ୍ଦ୍ରଶେଖର ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତଃସ୍ଫୂର୍ତ୍ତ ଜନ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ନିଷ୍ପେଷଣର ଯନ୍ତ୍ରଣାରେ ଜର୍ଜରିତ ଗଂଗାଧର ମେହେର ଏହି ଭାଷା ସଂଗ୍ରାମରେ ଯୋଗଦାନ କରି ଯେଉଁ ଆବହନୀ ସଂଗୀତଟି ରଚନା କରିଥିଲେ, ତାହାର ପ୍ରଥମ ପଙ୍‍କ୍ତିଟି ଥିଲା- "ନିଜ ଘରେ ବସି ନିର୍ବାସନ ଦୁଃଖ ଏ ଆମ୍ଭ କପାଳ ଲିଖନ" । ପରବର୍ତ୍ତୀ କାଳରେ ଉତ୍କଳ ସଭାର ସଭାପତି ମଧୁସୂଦନ ଦାସଙ୍କର ବଡ଼ଲାଟ ଲର୍ଡ କର୍ଜନଙ୍କ ସହିତ ସଂପର୍କ ସ୍ଥାପନ ପରେ ୧୮.୬.୧୯୦୨ରେ ପ୍ରଚାରିତ ଆଦେଶ କ୍ରମେ ୧.୧.୧୯୦୩ରେ ସମ୍ବଲପୁରରେ ପୁଣି ଓଡ଼ିଆ ଭାଷା ପୁନଃ ସଂସ୍ଥାପିତ ହେଲା । ଏହାକୁ ଆଧାର କରି ୧୯୦୩ ସାଲଟି ଓଡ଼ିଆ ଭାଷା ସଂସ୍ଥାପନ ଶତାବ୍ଦୀ ରୂପେ ପାଳିତ ହେଉଛି ।
୧୯୦୩ ସାଲର ପ୍ରାରମ୍ଭରେ ସପ୍ତମ ଏଡ଼ଓ୍ୱାର୍ଡଙ୍କର ମୁକୁଟ ଉତ୍ସବ ଉପଲକ୍ଷେ କଟକରେ ସମ୍ମିଳିତ ହୋଇଥିବା ରାଜନ୍ୟମଣ୍ଡଳୀ, ଜମିଦାର ବର୍ଗ, ବୁଦ୍ଧିଜୀବୀ ଗୋଷ୍ଠୀ, ଶିକ୍ଷିତ ସଂପ୍ରଦାୟ ତଥା ଜନସାଧାରଣଙ୍କୁ ଆହ୍ୱାନକରି ବିସ୍ମୃତ ଓଡ଼ିଆ ଜାତିକୁ ଜାଗରିତ କରିବାପାଇଁ ମଧୁସୂଦନ ଦାସ ୭.୧.୧୯୦୩ ନିଜସ୍ୱ କୋଠିରେ ବିପୁଳ ଉଦ୍ଦୀପନା ମଧ୍ୟରେ ଏକ ଜାତୀୟ ସମାରୋହର ଆୟୋଜନ କରିଥିଲେ ।
ସମଗ୍ର ଓଡ଼ିଶାର ଉପକୂଳରେ ରେଳ ଚଳାଚଳ ୧୯୦୦ ସାଲରୁ ଆରମ୍ଭ ହେବା ପରେ ମାନ୍ଦ୍ରାଜ ପ୍ରଦେଶ ଅଧୀନରେ ଥିବା ଦକ୍ଷିଣ ଓଡ଼ିଶା ସହିତ, ଓଡ଼ିଶା ମୂଳ ଭୂଖଣ୍ଡର ସଂପର୍କ କ୍ରମଶଃ ନିବିଡ଼ତର ହେଲା । ମଧୁସୂଦନଙ୍କ ଆହ୍ୱାନରେ ଖଲିକୋଟ ନରେଶ ହରିହର ମର୍ଦ୍ଦରାଜ ୧୯୦୨ ସାଲରେ ରମ୍ଭା ସମ୍ମେଳନ ଓ ୧୯୦୩ ସାଲର ଏପ୍ରିଲ୍‍ ୧୧ ଓ ୧୨ ତାରିଖରେ ବ୍ରହ୍ମପୁରଠାରେ ଗଂଜାମ ଜାତୀୟ ସମ୍ମେଳନର ସଂଯୋଜନା କରିଥିଲେ । ଗଂଜାମର ପ୍ରଥମ ଗ୍ରାଜୁଏଟ୍‍ ଶ୍ୟାମସୁନ୍ଦର

୨୪୪ ଆମ ମଧୁସୂଦନ