ପୃଷ୍ଠା:Aama Madhusudan.pdf/୨୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାଣତ୍ୟାଗ କରିଥିଲେ । ଆଉ ଭାରତ ସରକାରଙ୍କପାଇଁ ଓଡ଼ିଶା ଏବଂ ଓଡ଼ିଆଭାଷୀ ଅଞ୍ଚଳ ସବୁ ଯେପରି ଅନ୍ଧକାର ଗର୍ଭରେ ବିସ୍ମୃତ ହୋଇ ଯାଇଥିଲା । କେବଳ ମଧୁସୂଦନଙ୍କର କ୍ରମାଗତ ପ୍ରଚେଷ୍ଟା ଫଳରେ ୧୮୯୫ ସାଲରୁ ପୁରୀ ଓ କଲିକତା ମଧ୍ୟରେ ରେଳପଥର ସଂଯୋଗୀକରଣ ଆରମ୍ଭ ହୋଇଥିଲା । ଏହି ଚରମ ଅବହେଳାରୁ ଓଡ଼ିଶାକୁ ମୁକ୍ତ କରିବାପାଇଁ ୧୮୯୭ ସାଲରେ ମଧୁସୂଦନ ଲଣ୍ଡନଠାରେ ଭାରତ ସଚିବ ଲର୍ଡ ହାମିଲ୍‍ଟନ୍‍ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କର ନିର୍ଦ୍ଦେଶ ଥିଲା ପରବର୍ତ୍ତୀ ବଡ଼ଲାଟଙ୍କୁ ଭେଟିବା । ୧୮୯୯ ସାଲର ଜାନୁଆରି ପାଞ୍ଚ ତାରିଖରେ ଲର୍ଡ କର୍ଜନ ଭାରତର ବଡ଼ଲାଟ ରୂପେ ଅଧିଷ୍ଠିତ ହୋଇଥିଲେ ଏବଂ କ୍ରମାଗତ ଭାବେ ମଧୁସୂଦନ ତାଙ୍କ ନିକଟକୁ ଆବେଦନ ପତ୍ର ପ୍ରେରଣ କରି ଚାଲିଥିଲେ ।
ଏଠାରେ ସୂଚାଇ ଦିଆଯାଉଛି ଯେ, କଲିକତା ସମଗ୍ର ଭାରତ ସାମ୍ରାଜ୍ୟର ରାଜଧାନୀ ହୋଇଥିଲେ ମଧ୍ୟ ୧୮୭୫ ସାଲରେ କଲିକତା ଲାହୋର ଦେଇ ସିମ୍‍ଲା ସମୀପ ପର୍ଯ୍ୟନ୍ତ ରେଳପଥ ସଂଯୁକ୍ତ ହେବ । ପରେ ପ୍ରକୃତ ପକ୍ଷେ ସିମ୍‍ଲା ହିଁ ଭାରତର ରାଜଧାନୀ ରୂପେ କାର୍ଯ୍ୟ କରୁଥିଲା, ଯେଉଁଠାରେ ବଡ଼ଲାଟ ବର୍ଷର ଆଠମାସରୁ ଅଧିକ ସମୟ ଅବସ୍ଥାନ କରୁଥିଲେ, ଶୀତଋତୁର ଦୁଇ ତିନିମାସ ବାଦ ଦେଇ ।
ଉତ୍କଳଦୀପିକାରେ ୨୩ ମାର୍ଚ୍ଚ ୧୯୦୦ ସାଲରେ ପ୍ରକାଶିତ ଲର୍ଡ କର୍ଜନଙ୍କ ଗସ୍ତସୂଚୀ ଅନୁସାରେ ସେହି ସପ୍ତାହରେ କଲିକତା ପରିତ୍ୟାଗ କରି ଇକୁଆ ଅମୃତସର, ଇସ୍‍ମାଇଲ୍‍ଖାନ୍‍, ଡେରାଗାଜିଖାନ୍‍, କୋଟା ଆଦି ସ୍ଥାନ ପରିଦର୍ଶନ କରି ରେଳଯୋଗେ ଅପ୍ରେଲ ମାସ ଶେଷରେ ସିମଲାଠାରେ ପହଞ୍ଚି, ଗ୍ରୀଷ୍ମ ଓ ବର୍ଷାକାଳ ବିତାଇ ଡିସେମ୍ବର ମାସ ୨ୟ ସପ୍ତାହ ବେଳକୁ କଲିକତା ଫେରିଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଉତ୍କଳ ଦୀପିକାରେ ୨୨.୯.୧୯୦୦ରେ ପ୍ରକାଶିତ ବଡ଼ଲାଟଙ୍କର ପରିବର୍ତ୍ତିିତ ଗସ୍ତସୂଚୀ ଅନୁସାରେ ଡିସେମ୍ବର ୨ୟ ସପ୍ତାହରେ ରାଜମହେନ୍ଦ୍ରୀଠାରେ ଗୋଦାବରୀ ପୋଲ ଉଦ୍‍ଘାଟନ୍‍ କରି ରମ୍ଭାରେ କିଛିକାଳ ଅବସ୍ଥାନକରି କଟକ ବାଟ ଦେଇ କଲିକତା ଫେରି ଆସିବେ । ମାତ୍ର ଏହା ପୂର୍ବରୁ ଲଡର଼୍ କର୍ଜନ ସିମଲାଠାରୁ ଡେଲ୍‍ହାଉସୀ ଓ ଚମ୍ବା ସେପ୍ଟେମ୍ବର ମାସରେ ପରିଦର୍ଶନ କରି ସିମଲା ଫେରିଆସି ଅକ୍ଟୋବର ୨୨ ତାରିଖ ମଧ୍ୟରେ ସିମଲାଠାରୁ କଲିକତାକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା ।
ଏହି କାଳ ମଧ୍ୟରେ ମଧୁସୂଦନଙ୍କର ଆବେଦନ ବଡ଼ଲାଟଙ୍କର ହସ୍ତଗତ ହୋଇଥିଲା ଓ ବଡ଼ଲାଟ ପ୍ରାୟ ଅକ୍ଟୋବର ୨୨ ତାରିଖ ମଧ୍ୟରେ ସିମଲାଠାରେ ବଡ଼ଲାଟଙ୍କୁ ଭେଟିବାପାଇଁ ନିମନ୍ତ୍ରଣ ଜଣାଇଥିଲେ । ଆବେଦନରେ ମଧୁସୂଦନ ଲଡର଼୍ କର୍ଜନଙ୍କୁ ଜଣାଇଥିଲେ, "ଏ ଚିଠି ହୁଏତ ଆପଣ ପଢ଼ି ନପାରନ୍ତି, ଏହା ଆପଣଙ୍କ ଜୋତା ତଳେ ସ୍ଥାନ ପାଇପାରେ, ମାତ୍ର ଜଣେ ଓଡ଼ିଆ ହିସାବରେ ଓଡ଼ିଆ ଜାତିର ମର୍ମବେଦନା ଓ ଅନ୍ତର୍ଦାହ ଆପଣଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ।"

୨୫୦ ଆମ ମଧୁସୂଦନ