ପୃଷ୍ଠା:Aama Madhusudan.pdf/୨୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲିପି ଏବଂ କେହି କେହି ପତ୍ରାଦିରେ ଘର ସୁସଜ୍ଜିତ କରିଥିଲେ । ରାଜାଙ୍କ ନଅରର ସମ୍ମୁଖ ଭାଗ ମନୋହର ରୂପେ ସଜ୍ଜିତ ହୋଇଥିଲା । ଫଳତଃ ନଗର ଶୋଭା ବଢ଼ାଇବାପାଇଁ ଯେତେସମ୍ଭବ ଚେଷ୍ଟା ହୋଇଥିଲା ଏବଂ ତାହା ସଫଳ ହେବାର ଅବଶ୍ୟ ସ୍ୱୀକାର କରିବାକୁ ହେବ ।
ମହାମାନ୍ୟ ମହୋଦୟ ମଧ୍ୟାହ୍ନ ପ୍ରାୟ ଗୋଟାଏରେ ପୁରୀ ରେଳଷ୍ଟେସନ୍‍ରେ ଉପସ୍ଥିତ ହେଲେ । ତାହାଙ୍କୁ ସମାଦର ପୂର୍ବକ ଆଣିବା କାର୍ଯ୍ୟ ବିଭାଗୀୟ କମିଶନର ପୁରୀର କଲେକ୍ଟର, ପୁଲିସ୍‍ ସୁପରିଟେଣ୍ଡେଣ୍ଟ ପ୍ରଭୃତି ପୂର୍ବରୁ ରେଳଷ୍ଟେସନଠାରେ ଅପେକ୍ଷା କରିଥିଲେ । ମହୋଦୟ ରେଳରୁ ଅବତରଣ କରି ସେଠା ମଣ୍ଡପରେ କେବଳ ପଦାର୍ପଣ କରି ସଗହଣରେ ବଗିରେ ବସି ମନ୍ଦିରଠାରେ ବିରାଜମାନ ହୋଇ ପ୍ରଥମେ ଅରୁଣ ସ୍ତମ୍ଭ ଓ ସିଂହଦ୍ୱାରଠାରୁ ମନ୍ଦିର ଦର୍ଶନ କରି ତହିଁ ଉତ୍ତାରୁ ସମ୍ମୁଖସ୍ଥ ରାଧାବଲ୍ଲଭ ମଠର ଛାତ ଉପରକୁ ବିଜେକରି ମନ୍ଦିରର ଚାରିପାଖ ବୁଲି ଆସି ସଭାମଣ୍ଡପରେ ବିରାଜମାନ ହେଲେ । ସେଠାରେ ପୁରୀର ରାଜା, ମନ୍ଦିରର ପୁରୋହିତ, ସେବକ, ପଣ୍ଡିତ, ପୁରୀ ମ୍ୟୁନିସିପାଲ୍‍ କମିଶନର୍‍, ରାଜାଙ୍କର ଅମଲା ପ୍ରଭୃତି କେତେଜଣ ସ୍ଥାନୀୟ ଭଦ୍ରଲୋକ ଏବଂ କଟକର ବାବୁ ମଧୁସୂଦନ ଦାସ, ରାୟ ହରିବଲ୍ଲଭ ବାହାଦୂର ବାବୁ, ସୁଦାମଚନ୍ଦ୍ର ନାୟକ, ପାଲଲହଡ଼ାର ନାବାଲଗ ଜମିଦାର, ବାଲେଶ୍ୱରର ଜମିଦାର ବାବୁ ରାଜନାରାୟଣ ଦାସ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତିଙ୍କ ମଧ୍ୟରେ ଉପସ୍ଥିତ ଥିଲେ । ପୁରୀରାଜା ମହାମାନ୍ୟଙ୍କୁ ସମାଦର ସହିତ ଆସନରେ ବସାଇବା ଉତ୍ତାରୁ ପୁରୋହିତ ପ୍ରଭୃତି ସମ୍ମୁଖୀନ ହୋଇ ଏକକିତା ଅଭିନନ୍ଦନପତ୍ର ପାଠ କଲେ ଏବଂ ଅନ୍ୟମାନେ ଆଶୀର୍ବାଦ କରିବା ଭଂଗୀରେ ଦଣ୍ଡାୟମାନ ହୋଇଥିଲେ । ଅଭିନନ୍ଦନପତ୍ର ଓଡ଼ିଆ ଅକ୍ଷରରେ ତାଳପତ୍ରରେ ଲେଖାହୋଇଥିଲା । ପାଠାନ୍ତେ ରାଜା ଅଭିନନ୍ଦନ ପତ୍ରକୁ ତହିଁର ଆଧାରରେ ବନ୍ଦ କରି ମହାମାନ୍ୟଙ୍କ ହସ୍ତରେ ଅର୍ପଣ କଲେ । ରବିବାର ଥିବା ହେତୁ ମହାମାନ୍ୟ କିଛି ଉତ୍ତର ନଦେଇ କେବଳ ଧନ୍ୟବାଦ ଦେଇ ସାଦରେ ତାହା ଗ୍ରହଣ କଲେ ଏବଂ ଅନ୍ୟ ଦ୍ରବ୍ୟମାନ ଫୁଲ ଓ ମାଳା ମଧ୍ୟ ଗ୍ରହଣ କଲେ । ମାଳାଟି ତାହାଙ୍କ ଗଳାରେ ବଡ଼ ସୁନ୍ଦର ସାଜି ଥିଲା । ତଦନନ୍ତର ରାଜାଙ୍କର କୁଶଳ ବାର୍ତ୍ତା ପଚାରି ଏବଂ ତାହାଙ୍କର ଶୀର୍ଣ୍ଣ ଶରୀର ଦେଖି ସେ ପୀଡ଼ିତ ଥିବାର ଅବଗତ ହୋଇ କରମର୍ଦ୍ଦନ ପୂର୍ବକ ବିଦାୟ ହୋଇ ବଗିରେ ବସି ଗୁଣ୍ଡିଚା ମନ୍ଦିର ଦେଖି ସର୍କିଟ୍‍ ହାଉସ୍‍କୁ ବିଜେକଲେ । ଏବଂ ସେଠାରେ କିଞ୍ଚିତ୍‍ ଜଳଯୋଗ କରି ଅପରାହ୍‍ଣ ୩ଟାରେ ରେଳଗାଡ଼ିରେ ବସି ଭୁବନେଶ୍ୱରକୁ ପ୍ରସ୍ଥାନ କଲେ । ସଡ଼କର ଦୁଇପାଖରେ ସହସ୍ର ଲୋକ ଛିଡ଼ାହୋଇ ସଲାମ କରିଥିଲେ ଓ ଲାଟ୍‍ ସାହେବ ପ୍ରଫୁଲ୍ଲ ହୋଇ ପ୍ରତି ସଲାମ କରିବାକୁ ତ୍ରୁଟି କରିନଥିଲେ । ଅଭିନନ୍ଦନପତ୍ରର ପ୍ରତିଲିପି ନିମ୍ନରେ ପ୍ରକାଶିତ ହେଲା । ଯଥା:-
ସର୍ବସଦୃଶାଧାର ସମ୍ମାନଭାଜନାଗ୍ରଗଣ୍ୟ ବ୍ୟାରନ୍‍ କୁର୍ଜନ ଅଫ୍‍ କୀଡ଼ଲ୍‍ଷ୍ଟୋନ୍‍ ପି.ସି,ଜି,ଏମ୍‍, ଏସ୍‍, ଆଇ, ଜି, ଏମ୍‍, ଆଇ, ଇ, ଶ୍ରୀ ଶ୍ରୀ ଶ୍ରୀ ଭାରତାଧୀଶ୍ୱର ଶ୍ରୀ କରକମଳେଷୁ ।

ଯଥା ବିହିତ ଶ୍ରଦ୍ଧାଭକ୍ତି-ପୁରସରଃ ନିବେଦନମେତତ୍‍ ।
ଦ୍ୱାର ମୁତ୍କଳ ଦେଶସ୍ୟ ଜଗନ୍ନାଥସ୍ୟ ମନ୍ଦିରଂ

ଆମ ମଧୁସୂଦନ ୨୫୩