ପୃଷ୍ଠା:Aama Madhusudan.pdf/୨୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଷ୍ଟେସନ୍‌ରେ ରହି କଲିକତା ଯାତ୍ରାକଲା ଏବଂ ତହିଁ ଆରଦିନ ଅପରାହ୍‍ଣ ୪ ଘଣ୍ଟାବେଳେ ହାଓ୍ୱାଡ଼ା ଷ୍ଟେସନରେ ଉପସ୍ଥିତ ହେଲା । ସେଠାର ଏବଂ କଲିକତାର ଗଭର୍ଣ୍ଣମେଣ୍ଟ ପ୍ରାସାଦରେ ବିଧିମତେ ଅଭ୍ୟର୍ଥନାର ଆୟୋଜନ ହୋଇଥିଲା ଏବଂ ଲାଟ ମହୋଦୟ ଆନନ୍ଦ ଏବଂ କୁଶଳରେ କଲିକତାର ଲାଟ ଭବନରେ ପ୍ରବେଶ କଲେ ।
ଓଡ଼ିଶାର ଏହି ପରିଦର୍ଶନ କାଳରେ ଲଡର଼୍ କର୍ଜନ ବିସ୍ମୟାଭିଭୂତ ହୋଇ ସନ୍ଦର୍ଶନ କରିଥିଲେ ଏ ଜାତିର ଅପୂର୍ବ କଳା ଭାସ୍କର୍ଯ୍ୟ ବିମଣ୍ଡିତ, ଅତୁଳନୀୟ କାରୁକାର୍ଯ୍ୟ ସମ୍ବଳିତ ମନ୍ଦିର ରାଶି, ଯହିଁରେ ଓଡ଼ିଆ ବିନ୍ଧାଣିର କଳାପ୍ରବଣତାର ଦୀପ୍ତପ୍ରତିଭା ଝଲମଲ କରି ଉଠୁଥିଲା । ସେ ଗଭୀର ଭାବେ ପ୍ରଭାବିତ ହେଲେ ଏବଂ ଓଡ଼ିଆ ଜାତି ପ୍ରତି ତାଙ୍କର ଜାତ ହୋଇଥିଲା ଗଭୀର ମମତ୍ୱବୋଧ । ସେ ପ୍ରତିଶ୍ରୁତିବଦ୍ଧ ହେଲେ ଓଡ଼ିଆ ଜାତିର ବିଖଣ୍ଡତା ଓ ବିଚ୍ଛିନ୍ନତାର ସମାଧାନ କରିବାପାଇଁ ।
ବଙ୍ଗଳା ପ୍ରଦେଶର ବ୍ୟବସ୍ଥାପକ ସଭାର ଜଣେ ପ୍ରଭାବଶାଳୀ ସଦସ୍ୟ ରୂପେ ଓଡ଼ିଆ ଜାତିର ସମସ୍ୟାର ସମାଧାନ ଲାଗି ମଧୁସୂଦନ ଲର୍ଡ କର୍ଜନଙ୍କୁ ବହୁବାର ସାକ୍ଷାତ କରିଥିଲେ । ଏ ସମସ୍ତ ଉଦ୍ୟମର ଅବଶେଷରେ ଲର୍ଡ କର୍ଜନ ପ୍ରକାଶ କରିଥିଲେ ସେ ସମୟରେ ସମଗ୍ର ଭାରତ ଲାଗି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ରିସ୍‍ଲେ ସର୍କୁଲାର ୧୯୦୩ ସାଲ ଡିସେମ୍ବର ୩ ତାରିଖରେ, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଆହୂତ ହେବାର ପ୍ରାୟ ଏକ ମାସ ପୂର୍ବରୁ । ଏଥିରେ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ସହିତ ସଂଯୁକ୍ତ ଥିଲା ବଙ୍ଗଭଙ୍ଗର ପରିକଳ୍ପନା । ଲର୍ଡ କର୍ଜନ ୧୯୦୫ ସାଲ ନଭେମ୍ବର ୧୬ ତାରିଖରେ ଭାରତ ଛାଡ଼ିବାର ଏକ ମାସ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିଥିଲେ ଅକ୍ଟୋବର ୧୬ ତାରିଖରେ ଏକ ବିଶେଷ ଘୋଷଣାନାମା ମାଧ୍ୟମରେ ।
ଏହାର ପରିଣାମରେ ସମ୍ବଲପୁର ଜିଲ୍ଲା (ପଦ୍ମପୁର ଓ କଳାହାଣ୍ଡି, ପାଟଣା, ସୋନପୁର ବାମଣ୍ଡା, ରେଢ଼ାଖୋଲ, ଗଡ଼ଜାତ ଏବଂ ବିହାର ଛୋଟନାଗପୁର ଡିଭିଜନକୁ ଗାଙ୍ଗପୁର, ବଣେଇ (ପରେ ଷଢେ଼ଇକଳା ଏବଂ ଖରସୁଆଁ) ଗଡ଼ଜାତ ଆଦି ଓଡ଼ିଶା ଡିଭିଜନ ସହିତ ସାମିଲ ହେଲା । ଏହାଥିଲା ପଶ୍ଚିମାଞ୍ଚଳ ଓଡ଼ିଶା ସହିତ ପୂର୍ବ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ମିଶ୍ରଣ । ପରେ ୧୯୩୬ ସାଲରେ ଖଡ଼ିଆଳ ଜମିଦାରି ମଧ୍ୟପ୍ରଦେଶରୁ ଆସି ଓଡ଼ିଶା ସହିତ ସଂଯୁକ୍ତ ହେଲା । ମାତ୍ର ଓଡ଼ିଶାର ଦକ୍ଷିଣାଞ୍ଚଳ ମିଶ୍ରଣ, ମାଡ଼୍ରାସ ସରକାରଙ୍କ ଦୃଢ଼ ପ୍ରତିବାଦ ଯୋଗୁଁ ୧୯୦୫ ସାଲରେ ସଂଘଟିତ ହୋଇ ପାରି ନଥିଲା, ଯାହାପାଇଁ ମଧୁସୂଦନଙ୍କୁ ଆଉ ତିରିଶି ବର୍ଷ ଧରି ସଂଗ୍ରାମ କରିବାକୁ ପଡ଼ିଥିଲା । ଆଉ ୧୯୩୬ରେ ଏହି ରିସ୍‍ଲେ ସାର୍କୁଲାର ଆଧାରରେ ମଧ୍ୟ ଦକ୍ଷିଣ ଓଡ଼ିଶାର ମିଶ୍ରଣ ହୋଇଥିଲା ।
ତେଣୁ ଊନବିଂଶ ଶତାବ୍ଦୀର ଶେଷ ପାଦରେ ଲଡର଼୍ କର୍ଜନଙ୍କ ପୁରୀ ଓ ଭୁବନେଶ୍ୱର ପରିଦର୍ଶନ, ଓଡ଼ିଶା ପ୍ରଦେଶର ଗଠନ ଲାଗି ସୁଦୃଢ଼ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା । ଏଥିଲାଗି ମଧୁସୂଦନଙ୍କର ଭୂମିକା ଥିଲା ଅବିସ୍ମରଣୀୟ । ଲଡର଼୍ କର୍ଜନଙ୍କ ପରି ଦୃଢ଼ ଅନମନୀୟ ଅଭିଜାତ ଓ ବିଦ୍‍ବତ୍ତାସମ୍ପନ୍ନ ବ୍ୟକ୍ତିତ୍ୱ ସହିତ ଆନ୍ତରିକ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ତାହାଙ୍କୁ ଗଭୀର ଭାବେ

ଆମ ମଧୁସୂଦନ ୨୫୯