ପୃଷ୍ଠା:Aama Madhusudan.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବର୍ଦ୍ଧିତ ହେଲେ ବୃକ୍ଷ ବର୍ଦ୍ଧିତ ହେବ ଓ ସୌଷ୍ଠବପୂର୍ଣ୍ଣ ହେବ, ସେହିପରି ଭାରତର ପ୍ରତ୍ୟେକ ଅଂଚଳ,ତାର ନିଜ ଇତିହାସ, ପରଂପରା ଓ ସଂସ୍କୃତିକୁ ମୂଳକରି ଗଢ଼ି ଉଠିବ ଓ ପରେ ସମସ୍ତ ଅଂଚଳରପରସ୍ପର ଭାବ ଆଦାନ ପ୍ରଦାନ ଓ ସହଯୋଗଦ୍ୱାରା ମହାଭାରତୀୟ ଜାତି ଦୃଢ଼ୀଭୂତ ହେବ ।
ଏହା ଥିଲା ମଧୁସୂଦନଙ୍କର ଯୁକ୍ତିସମ୍ବଳିତ ତାତ୍ତ୍ୱିକ ଉତ୍ତର, ଯହିଁରେ ଉତ୍କଳୀୟ ଜାଗରଣ,ଭାରତୀୟ ଉତ୍‍ଥାନ ଓ ସମୃଦ୍ଧିର ପରିପୂରକ ଥିଲା । ଏହି ପରିପ୍ରେକ୍ଷୀରେ ସୂଚାଇ ଦିଆଯାଉଛି ଯେ, ୧୯୨୮ ସାଲରେ ସମଗ୍ର ଭାରତର ରାଜନୈତିକ ନେତାମାନେ ସାଇମନ୍‍ କମିଶନକୁ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ ମଧୁସୂଦନଙ୍କ ନିର୍ଦ୍ଦେଶରେ ଓଡ଼ିଆମାନଙ୍କଦ୍ୱାରା ପାଟନାଠାରେ କମିଶନଙ୍କୁ ସ୍ୱାଗତ କରାଯାଇ ଓଡ଼ିଶାର ଦାବି ଉପସ୍ଥାପିତ କରାଯାଇଥିଲା । କାରଣ ଭାରତର ବହୁ ନେତାଙ୍କର ନାଡ଼ି ଚିପିଥିବା ମଧୁସୂଦନ ନିଃସନ୍ଦେହ ଥିଲେ ଯେ, ସ୍ୱାଧୀନତା ପୂର୍ବରୁ ଓଡ଼ିଶା ପ୍ରଦେଶ ଗଠନ ନ ହେଲେ, ସ୍ୱାଧୀନତାର ପରବର୍ତ୍ତୀ ଯୁଗରେ ପଡେ଼ାଶୀ ରାଜ୍ୟର ନେତାଙ୍କ ଚକ୍ରାନ୍ତରେ ଓଡ଼ିଶା ପ୍ରଦେଶ ଗଠନର ଦାବି ସୁଦୂର ପରାହତ ହେବ । ଏହି ସାଇମନ କମିଶନଙ୍କର ସୁପାରିଶକ୍ରମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ସୃଷ୍ଟି ସମ୍ଭବ ହୋଇପାରିଲା ଓ ଓଡ଼ିଆମାନେ ନିଜର ପାଦଥାପି ଛିଡ଼ାହେବାର ସ୍ୱତନ୍ତ୍ର ଭୂମି ପାଇପାରିଲେ । ଅନ୍ୟଥା ଭାରତୀୟ ମାନଚିତ୍ରରେ ଓଡ଼ିଶାର ସ୍ଥାନ କେଉଁକାଳୁ ବିଲୁପ୍ତ ହୋଇସାରନ୍ତାଣି । ଏଥିପାଇଁ ମଧ୍ୟ ପାରଳା ମହାରାଜାଙ୍କର ଦାନଅବିସ୍ମରଣୀୟ ।
ବହୁ ଜନ- ଆନ୍ଦୋଳନ ଓ ବିପ୍ଳବର ପଶ୍ଚାତରେ ରହିଥାଏ ଚିନ୍ତାନାୟକଙ୍କର ପ୍ରେରଣା । ସେମାନଙ୍କର ଲେଖାବଳୀ ମାଧ୍ୟମରେ ସମାଜରେ ଜାଗରଣପାଇଁ ତାହା କ୍ଷେତ୍ର ପ୍ରସ୍ତୁତ କରିଥାଏ । ଯେପରି ରୁଷୋ, ଭଲ୍‍ଟେୟାର୍‍ ବା ମାର୍କସ୍‍ କିମ୍ବା ଏଞ୍ଜେଲେସ୍‍ଙ୍କର ଚିନ୍ତାଧାରାଦ୍ୱାରା ଫରାସୀ ଓ ରୁଷ୍‍ବିପ୍ଳବ ସଂଘଟିତ ହୋଇଥିଲା ନେପୋଲିୟନ୍‍ କିମ୍ବା ଲେନିନ୍‍ଙ୍କ ଭଳି ଅଧିନାୟକମାନଙ୍କ ନେତୃତ୍ୱରେ । ମାତ୍ର ଉତ୍କଳୀୟ ଜାଗରଣ କ୍ଷେତ୍ରରେ ମଧୁସୂଦନ ଥିଲେ ମନ୍ତ୍ରଦାତା, ଉତ୍କଳୀୟ ଜାତୀୟତାର ବ୍ୟାଖ୍ୟାକାର । ତାଙ୍କର ଲେଖା ଓ ଭାଷଣରେ ଥିଲା, ମଂତ୍ରର ଉଦାତ୍ତ ଉଚ୍ଚାରଣ ଭଳି ବିଖଣ୍ଡିତ ଓଡ଼ିଆ ଜାତିର ଏକତ୍ରୀକରଣପାଇଁ ପ୍ରବଳ ଉଦ୍ଦୀପନାର ବାଣୀ, ଯାହାକୁ ଆଧାର କରି ମଧୁସୂଦନ ଆରମ୍ଭ କରିଥିଲେ ଓଡ଼ିଆ ଜାତି-ମୁକ୍ତିର ଦୁର୍ବାର ସଂଗ୍ରାମ ।
ମଧୁସୂଦନଙ୍କର ଆବିର୍ଭାବ, ଏ ଜାତିର ମୁକ୍ତିଲାଗି ଥିଲା ଚରମ ଆବଶ୍ୟକତା । ତାଙ୍କର ନିଜସ୍ୱ ବାଣୀରେ, ସେ ପ୍ରଦୀପର ଶିଖାଧରି ଜଳିଜଳି ନିଃଶେଷ ହୋଇ ଗଭୀର ଅନ୍ଧକାରରେ ଏ ଜାତିର ମାର୍ଗପ୍ରଦର୍ଶନ କରିଥିଲେ ।