ପୃଷ୍ଠା:Aama Madhusudan.pdf/୨୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯୁବରାଜ ପଦରେ କେବଳ ଅଧିଷ୍ଠିତ କରି ନଥିଲେ ଏକ ଉଇଲ୍‍ର ସମ୍ପାଦନରେ ରାଣୀ ସୂର୍ଯ୍ୟମଣି ପାଟମହାଦେଈଙ୍କୁ ଯୁବରାଜଙ୍କର ନାବାଳକତ୍ୱ ଅବସ୍ଥାରେ ତତ୍ତ୍ୱାବଧାରକ ରୂପେ ଶ୍ରୀମନ୍ଦିର ତଥା ଜମିଦାରିର ପରିଚାଳନା ଭାର ଅର୍ପଣ କରିଥିଲେ । ଏହା ରାଣୀ ସୂର୍ଯ୍ୟମଣିଙ୍କର ପ୍ରତ୍ୟୁତ୍ପନ୍ନମତିତାର ପରିଚୟ ପ୍ରଦାନ କରେ, ଯାହା ଶ୍ରୀମନ୍ଦିରକୁ ଏକ ନିଶ୍ଚିତ ବିପଦରୁ ରକ୍ଷା କରିପାରିଥିଲା । ଏହାପରେ ବ୍ରିଟିଶ ସରକାର ବହୁ ଚକ୍ରାନ୍ତ ମଧ୍ୟରେ 'କୋର୍ଟ ଅଫ୍‍ ଓ୍ୱାର୍ୱସ୍' ପ୍ରଥା ମାଧ୍ୟମରେ ଶ୍ରୀମନ୍ଦିରର ପରିଚାଳନାକୁ ନିଜ ହସ୍ତକୁ ନେବାପାଇଁ ପ୍ରଯତ୍ନ କରିଥିଲେ । ମାତ୍ର ସୂର୍ଯ୍ୟମଣିଙ୍କର ଅସୀମ ସାହସ ଓ ସତର୍କତାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ତଥା କ୍ରମାଗତ ଆବେଦନ ଫଳରେ ସମସ୍ତ ଚକ୍ରାନ୍ତ ବ୍ୟର୍ଥ ହୋଇ ଯାଇଥିଲା ଓ ଅବଶେଷରେ ଓଡ଼ିଶାର କମିଶନର କକ୍‍ବର୍ଣ୍ଣ ସାହେବ ରାଣୀ ସୂର୍ଯ୍ୟମଣିଙ୍କୁ ନାବାଳକ ରାଜା ଦିବ୍ୟସିଂହଙ୍କର ତତ୍ତ୍ୱାବଧାରକ ରୂପେ ସ୍ୱୀକୃତି ପ୍ରଦାନ କରିଥିଲେ । ମାତ୍ର ପୁରୀ ଗଜପତି ବଂଶର ସେ ଯୁଗର ପ୍ରଥା ଅନୁସାରେ ରାଣୀ ସୂର୍ଯ୍ୟମଣିଙ୍କୁ ପର୍ଦ୍ଦାର ଅନ୍ତରାଳରେ ରହି ସମସ୍ତ କାର୍ଯ୍ୟ ସଂପାଦନ କରିବାକୁ ପଡ଼ିଥିଲା ।
ନାବାଳକ ରାଜା ଦିବ୍ୟସିଂହଙ୍କ ଶାସନର 'ନଅ ଅଙ୍କ' କାଳରେ ଯେଉଁ 'ନଅଙ୍କ ଦୁର୍ଭିକ୍ଷ' ହେଲା, ଆର୍ଥିିକ ଅନାଟନ ମଧ୍ୟରେ ସୂର୍ଯ୍ୟମଣି ମନ୍ଦିରକୁ କେବଳ ସୁପରିଚାଳିତ କରିନଥିଲେ, ରାଜପରିବାରକୁ ଅର୍ଦ୍ଧଭୁକ୍ତ ରଖି ମଧ୍ୟ ପ୍ରତ୍ୟହ ବହୁପରିମାଣରେ ମହାପ୍ରସାଦ ରନ୍ଧନକରି ବୁଭୁକ୍ଷୁ ଜନତା ମଧ୍ୟରେ ବିତରଣ କରି ସରକାରଙ୍କ ପକ୍ଷରୁ ପରମ ସୁଖ୍ୟାତି ଲାଭ କରିଥିଲେ ।
ଦିବ୍ୟସିଂହ ଦେବ ବୟଃପ୍ରାପ୍ତ ହୋଇ ୧୮୭୫ ସାଲରେ ଗାଦିନସୀନ ହେଲେ ଏବଂ ଖଡ଼ିଆଳ ରାଜବଂଶର କୁମାରୀ ନୀଳାଦ୍ରିର ପାଟଦେଈଙ୍କ ସହିତ ପରିଣୟସୂତ୍ରରେ ଆବଦ୍ଧ ହୋଇଥିଲେ । ତାଙ୍କର ଜଗନ୍ନାଥ ଜେନାମଣି ନାମରେ ଏକ ପୁତ୍ର ସନ୍ତାନ ଜାତ ହେଲା । ଦିବ୍ୟସିଂହ ଦେବ ସଂସ୍କୃତଜ୍ଞ ତଥା ମଲ୍ଲବିଦ୍ୟାରେ ପାରଦର୍ଶୀ ଥିଲେ । ମାତ୍ର ମନ୍ଦିର ପରଚାଳନାରେ ଦକ୍ଷ ନଥିଲେ । ଅବଶେଷରେ ସେ ନରହତ୍ୟା ଅପରାଧରେ ୧୮୭୮ ସାଲରେ ଦ୍ୱୀପାନ୍ତରିତ ହେଲେ । ଏହା ଓଡ଼ିଶା ଇତିହାସର ଏକ ମର୍ମନ୍ତୁଦ ଓ ପ୍ରବଞ୍ଚନାପୂର୍ଣ୍ଣ ଅଧ୍ୟାୟ ।
ଏହା ପରେ ପୁରୀ କଲେକ୍ଟର, ଶ୍ରୀମନ୍ଦିର ପରିଚାଳନାକୁ କୋର୍ଟ ଅଫ୍‍ ଓ୍ୱାଡ଼ର୍ସ ପରିସରକୁ ଆଣି ମନ୍ଦିରର ପରିଚାଳନାକୁ ସରକାର କର୍ତ୍ତୃତ୍ୱାଧୀନ କରିବାପାଇଁ ଚକ୍ରାନ୍ତ କରିଥିଲେ, ଯାହା ବ୍ରିଟିଶ ପ୍ରଶାସନ କ୍ଷେତ୍ରରେ ଘନୀଭୂତ ବାଦବିବାଦର ଝଡ଼ଝଞ୍ଜା ସୃଷ୍ଟି କରିଥିଲା । ମାତ୍ର ୧୮୭୯ ଜୁଲାଇ ମାସରେ ରାଣୀ ସୂର୍ଯ୍ୟମଣି, ଜଗନ୍ନାଥ ଜେନାମଣିଙ୍କ ତରଫରୁ ମନ୍ଦିର ପରିଚାଳନାପାଇଁ ଆବେଦନ କରିଥିଲେ ଯାହା କଟକ ଜିଲ୍ଲା ଜଜ୍‍ଙ୍କ ପକ୍ଷରୁ ୧୨.୮.୧୮୭୯ରେ ମଞ୍ଜୁରୀ ପ୍ରାପ୍ତ ହୋଇଥିଲା । ରାଣୀ ପର୍ଦ୍ଦା ଆଢ଼ୁଆଳରେ ଅବସ୍ଥାନ କରୁଥିବାରୁ, ବେଳେବେଳେ ଶ୍ରୀଜଗନ୍ନାଥଙ୍କ ଯାତ୍ରାବେଳେ କିଛି ସମସ୍ୟାର ଉଦ୍‍ଭବ ହେଉଥିଲା । ଏହାକୁ ଘେନି ବିଭିନ୍ନ ସମୟରେ ଶ୍ରୀମନ୍ଦିର ପରିଚାଳନାକୁ ହସ୍ତାନ୍ତର କରିବାପାଇଁ କ୍ରମାଗତ ଭାବେ ବାଦବିବାଦପୂର୍ଣ୍ଣ ଚକ୍ରାନ୍ତମାନ ସୃଷ୍ଟି ହେଉଥିଲା । ମାତ୍ର ରାଣୀ ସୂର୍ଯ୍ୟମଣି ତାଙ୍କର ପ୍ରତ୍ୟୁତ୍ପନ୍ନମତି ପୁରୋଦୃଷ୍ଟି ମାଧ୍ୟମରେ ଏ ସମସ୍ତର ଆଶୁ ସମାଧାନ କରିପାରୁଥିଲେ ।

୨୭୪ ଆମ ମଧୁସୂଦନ