ପ୍ରୟାଗର 'ନେହେରୁ ତୀର୍ଥ'ରୁ
ମହାନଦୀ ତୀରସ୍ଥ 'ମଧୁସ୍ମୃତି'
ତାହା ଥିଲା ୧୯୫୩ ସାଲ ଫେବ୍ରୁଆରି ତେର ତାରିଖ, ଶୀତଳ ସକାଳର ନାତିଉଷ୍ଣ ପତରଝଡ଼ା
ସମୟ । ମଧୁସୂଦନଙ୍କ ବାସଭବନ 'ମଧୁସ୍ମୃତି'ରେ ମଳୟର ହାଲୁକା ସ୍ପର୍ଶରେ ଗଛ ଗହଳରୁ ପୀତାଭ
ପତ୍ରସବୁ ଝରିପଡ଼ୁଥାଏ ଅବାରତ ଗତିରେ । କେବେକେବେ ଖଣ୍ଡିଆଭୂତର ହାବୁକା, ପତ୍ରସବୁକୁ
ଘୂର୍ଣ୍ଣିି ଆକାରରେ ଉତ୍ତୋଳିତ କରି ଧୂଳିଝଡ଼ର ଉତ୍ତାଳ ପବନ ଭିତରେ ଭସେଇ ନେଉଥାଏ ।
ମଧୁସୂଦନଙ୍କର ଅଷ୍ଟାଦଶ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଥିଲା ୧୯୫୩ ଫେବ୍ରୁଆରି ୪ ତାରିଖରେ ,
ଯାହାର ଶୋକାଚ୍ଛନ୍ନ ଆକୁଳତା ଏବେ ମଧ୍ୟ ପୀତାଭ ଗଛର କରୁଣ ସ୍ମୃତି ପରି ଗୁମୁରି ଉଠେ ।
ହେଲେ ସେହି ବେଦନାସିକ୍ତ ମର୍ମନ୍ତୁଦ ପାଂଶୁଳ ସ୍ମୃତିସବୁ ସେଦିନ ପରିବର୍ତ୍ତିିତ
ହୋଇଯାଇଥାଏ ବିପୁଳ ଆହ୍ଲାଦଭରା ମହୋତ୍ସବରେ । ମଧୁସ୍ମୃତିର ସେହି ଐତିହାସିକ ଅଂଗନରେ
ଉନ୍ମୋଚିତ ହେବାକୁ ଯାଉଥାଏ ମଧୁସୂଦନଙ୍କର ପୂର୍ଣ୍ଣାବୟବ ମାର୍ବଲ ପ୍ରତିମୂର୍ତ୍ତିି ଭାରତର
ପ୍ରଧାନମଂତ୍ରୀ ପଣ୍ଡିତ ଜବାହର ଲାଲ୍ ନେହେରୁଙ୍କରଦ୍ୱାରା । ଏହି ପ୍ରତିମୂର୍ତ୍ତିର ସ୍ଥପତି ହେଉଛନ୍ତି
ମଧୁସୂଦନଙ୍କ ଦ୍ୱାରା ପ୍ରଶିକ୍ଷିତ, ତାହାଙ୍କ ଦ୍ୱାରା ସ୍ଥାପିତ କଳା ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଏବଂ
କଲିକତା ଆର୍ଟ କଲେଜର ସ୍ୱର୍ଣ୍ଣପଦକ ପ୍ରାପ୍ତ ଯଶସ୍ୱୀ ମୂର୍ତ୍ତିକାର ବିପ୍ର ଚରଣ ମହାନ୍ତି ।
ଉନ୍ମୋଚନର ସମୟ ଆଗତ ପ୍ରାୟ । ବହୁ ସମ୍ମାନାସ୍ପଦ ବ୍ୟକ୍ତିଙ୍କ ଗହଣରେ ଆସି ପହଞ୍ଚିଲେ
ପଣ୍ଡିତ ନେହେରୁ, ବିପୁଳ ହର୍ଷଧ୍ୱନି ଏବଂ କରତାଳିର ନିନାଦ ମଧ୍ୟରେ ଉନ୍ମୋଚନ କଲେ
ପ୍ରତିମୂର୍ତ୍ତିି । ମାତ୍ର ସେହି ପ୍ରତିମୂର୍ତ୍ତି ସହିତ ମଧୁସୂଦନଙ୍କ ଚେହେରାର ସୌସାଦୃଶ୍ୟ ଦେଖି
ବିସ୍ମୟଭରା ନୟନରେ ନିରୀକ୍ଷଣ କଲେ ପଣ୍ଡିତ ନେହେରୁ ଓ ପ୍ରଶ୍ନ କଲେ, "ଏହି ପ୍ରତିମୂର୍ତ୍ତିିର
ସ୍ଥପତି କିଏ?" ସ୍ଥପତି ବିପ୍ର ଚରଣ ମହାନ୍ତି ପହଞ୍ଚିଲା ପରେ, ତାଙ୍କୁ କୋଳାଗ୍ରତ କରି ଅଭିନନ୍ଦନ
ଜଣାଇଲେ । ଏହା ପରେ ସେ ଉଦ୍ବୋଧନ ଦେଇ କହିଲେ---