ପୃଷ୍ଠା:Aama Madhusudan.pdf/୩୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଓଡ଼ିଶାର ମୂଳ ଅନ୍ତର୍ନିହିତ ସମସ୍ୟାର ସମାଧାନପାଇଁ ମଧୁସୂଦନ ୧୮୯୭ ଓ ୧୯୦୭ରେ ଇଂଲଣ୍ଡ ଯାଇଥିଲେ ମଧ୍ୟ ତାଙ୍କର ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା ଭାରତରେ ଶାସକୀୟ ଅବ୍ୟବସ୍ଥା, ଯାହା ଉପରେ "ଭାରତର ଅଶାନ୍ତି' ନାମରେ ଏକ ପୁସ୍ତକ ରଚନାକରି ସେ ବିଦେଶରେ ବାଣ୍ଟିଥିଲେ ।
ଏ ସମସ୍ତ ଛଡ଼ା ମଧୁସୂଦନ ଭାରତରେ ସ୍ମରଣୀୟ ହୋଇ ରହିବେ, ସ୍ୱଦେଶୀ ଶିଳ୍ପର ଅଗ୍ରଦୂତ ଓ ପଥପ୍ରଦର୍ଶକ ରୂପେ । ମାତ୍ର ୧୯୦୫ରେ ବଂଗଭଂଗ ଆନ୍ଦୋଳନର ଅନୁପୂରକ କାର୍ଯ୍ୟକ୍ରମ ରୂପେ ଗଢ଼ି ଉଠିଥିଲା ସ୍ୱଦେଶୀ ଶିଳ୍ପ ଆନ୍ଦୋଳନ ୧୯୦୬ ସାଲରେ ସମଗ୍ର ଦେଶରେ ।
ମଧୁସୂଦନ ଏହାର ବହୁ ପୂର୍ବରୁ ତାଙ୍କର ଉତ୍ସର୍ଗୀକୃତ ପ୍ରୟାସ ବଳରେ ତାରକସି ଶିଳ୍ପର ପୁନଃ ପ୍ରତିଷ୍ଠା (୧୮୯୬), ଲଣ୍ଡନଠାରେ ସ୍ୱଦେଶୀ ଶିଳ୍ପ ପ୍ରଦର୍ଶନୀର ଆୟୋଜନ (୧୮୯୭), ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଥିବା ଉତ୍କଳଟ୍ୟାନେରିର ସ୍ଥାପନ (୧୯୦୫), ଆଉ ଜନତାଙ୍କ ମଧ୍ୟରେ ସ୍ୱଦେଶୀ ବସ୍ତୁର ସଂକଳ୍ପବଦ୍ଧ ବ୍ୟବହାରର ଡାକରାଦେଇ ମହାତ୍ମାଗାନ୍ଧୀଙ୍କ ଭାଷାରେ ସେ ନିଜକୁ ତିଳତିଳ ନିଃଶେଷ କରିଦେଇଥିଲେ । ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କର ଶ୍ରଦ୍ଧାଞ୍ଜଳିରେ ସେ ଶିଳ୍ପର ଉନ୍ନତି ଓ ଦେଶବାସୀଙ୍କର ଉତ୍‍ଥାନ ଲାଗି ଶହିଦର ମୃତ୍ୟୁକୁ ହିଁ ବରଣ କରିଥିଲେ ।
ତେଣୁ ମଧୁସୁଦନଙ୍କର କ୍ରାନ୍ତିକାରୀ ଚିନ୍ତା-ଚେତନା ଓ ତାହାର ପାରଦର୍ଶୀ ରୂପାୟନରେ ସମୃଦ୍ଧ ହୋଇଥିଲା ଏ ଦେଶର ବହୁକ୍ଷେତ୍ର । ହେଲେ ମଧୁସୂଦନ ବାଢ଼ିଥିଲେ ପୂଜାର ପ୍ରଥମ ଅର୍ଘ୍ୟ ଭାରତ ମାତାଙ୍କର ଚରଣ ପ୍ରାନ୍ତରେ- "ସର୍ବେଷାଂ ନୋ ଜନନୀ ଭାରତ" ବନ୍ଦନା ମାଧ୍ୟମରେ । ତେଣୁ ତାଙ୍କ ଚିନ୍ତାରେ ସ୍ଥାନ ପାଇଥିଲା ସମଗ୍ର ଭାରତବର୍ଷ, ସମଗ୍ର ଭାରତବର୍ଷର ବିକାଶଲାଗି ଏକ ଜନଜାଗରଣ ଏବଂ ଉନ୍ନୟନର ପରିକଳ୍ପନା ।
ଏହି ବକ୍ତବ୍ୟକୁ ଅତ୍ୟନ୍ତ ମର୍ମସ୍ପର୍ଶୀ ଭାଷାରେ ସେ ବାଢ଼ିଥିଲେ୧୯୧୨ ସାଲରେ ବିହାର ଛାତ୍ର ସମ୍ମିଳନୀରେ ତାଙ୍କର ଜ୍ୱାଳାମୟୀ ଭାଷଣରେ । ଏ ସଂପର୍କରେ ଭାରତର ପ୍ରାକ୍ତନ ରାଷ୍ଟ୍ରପତି ସେ କାଳର ଛାତ୍ରନେତା ରାଜେନ୍ଦ୍ର ପ୍ରସାଦ ସ୍ମୃତିଚାରଣ କରି କହନ୍ତି:
ମୋର ସ୍ମରଣରେ ଆସୁଛି ସେହି ଗୁରୁତ୍ୱପୂର୍ଣ୍ଣ ଦିନଟି ଯେତେବେଳେ "ମଧୁସୂଦନ ୧୯୧୨ ସାଲରେ ମୋତିହାରୀକୁ ଆସିଥିଲେ ବିହାର ଛାତ୍ର ସମ୍ମିଳନୀକୁ ସମ୍ୱୋଧିତ କରିବା ଅବସରରେ । ମତେ ତାଙ୍କ ସହିତ କେତେଘଣ୍ଟା ମିଶିବାଲାଗି ସୁଯୋଗ ମିଳିପାରିଥିଲା । ସେହି କେତେଘଣ୍ଟାର ସାନ୍ନିଧ୍ୟ ମଧ୍ୟରେ ସେ ତାଂକର ଅସାଧାରଣ ବ୍ୟକ୍ତିତ୍ୱ, ବିଚକ୍ଷଣତା, ଭୀତିହୀନତା ଆଉ ଦେଶମାତୃକା ପ୍ରତି ନିବେଦିତ ଭକ୍ତି ଓ ଶ୍ରଦ୍ଧାଭାବଦ୍ୱାରା ମୋ ମନରେ ଗୋଟିଏ ଅଲିଭା ଛାପ ଛାଡ଼ିଯାଇଛନ୍ତି ।"
ମଧୁସୂଦନଙ୍କର ଜ୍ୱାଳାମୟୀ ଭାଷଣର ଦୁର୍ବାର ଅଭିବ୍ୟକ୍ତିରେ ଜାତୀୟ ଜୀବନର ମୂଳସୂତ୍ରଟି ଜାଗରିତ ହୋଇଥିଲା ଏହିପରି ଭାବରେ:

ଆମ ମଧୁସୂଦନ* ୩୧