ପୃଷ୍ଠା:Aama Madhusudan.pdf/୩୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆହାଃ ! ସମାପ୍ତ ହୋଇଗଲା ସେହି ଯୁଗାନ୍ତକାରୀ ବକ୍ତବ୍ୟର ଅଫୁରନ୍ତ ଅବତରଣ, ଯାହା ଅକ୍ଷୟ ଶିଳାଲିପି ଭଳି ଉତ୍‍କୀର୍ଣ୍ଣ ହୋଇ ରହିବ ଓଡ଼ିଆ ଜାତୀୟତାର ଉଦ୍ଦାମ ଇତିହାସରେ । ବହୁ ଅନନ୍ୟ ଅନାଲୋଚିତ ତଥ୍ୟ ଉନ୍ମୀଳିତ ହୋଇଥିଲା, ସେହି ବକ୍ତବ୍ୟ ମାଧ୍ୟମରେ, ଯାହା ଏହି ପ୍ରଦେଶ ଗଠନର ଗତିପଥକୁ ମାର୍ଗଦର୍ଶନ ଆଉ ଦିଶା ନିର୍ଦ୍ଦେଶ କରିଥିଲା । ଏହାଥିଲା ମଧୁସୂଦନଙ୍କର ଓଡ଼ିଆ ଜାତି ପ୍ରତି ଅନ୍ତିମ ଅଭିଭାଷଣ । ଏହି ଭାଷଣର ଏକ ସମ୍ବତ୍ସର ପୂରଣ ନହେଉଣୁ, ତାଙ୍କର ତିରୋଧାନ ଘଟିଥିଲା ୧୯୩୪ ସାଲର ଫେବ୍ରୁଆରି ୪ ତାରିଖରେ । ସେ ଥିଲେ ସମସ୍ତ ସଂକୀର୍ଣ୍ଣତାର ଉର୍ଦ୍ଧ୍ୱରେ ଏକ ମହିମାନ୍ୱିତ ବିଶ୍ୱମାନବୀୟ ବ୍ୟକ୍ତିତ୍ୱ । ଏହା ହିଁ ତାହାଙ୍କର ନିଜସ୍ୱ ପରିଚୟ ।

୩୨୪ ଆମ ମଧୁସୂଦନ