ପୃଷ୍ଠା:Aama Madhusudan.pdf/୩୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇଗଲେ ଅପାଂକ୍ତେୟ ବ୍ୟକ୍ତି ଭାବରେ, ଯାହାଙ୍କର ଆୟର ସମସ୍ତ ପନ୍ଥା ନିରୁଦ୍ଦିଷ୍ଟ ହୋଇଗଲା । ଦାରୁଣ ବିପର୍ଯ୍ୟୟର ମୁହୂର୍ତ୍ତରେ, ସେ ଅତ୍ୟନ୍ତ ବିସ୍ମୟକର ଭାବରେ ଥିଲେ, ସ୍ଥିତପ୍ରଜ୍ଞ । କିଛିଦିନ ପରେ ହାଇକୋର୍ଟକୁ ଆବେଦନ କରି ପୁନରାୟ ଓକିଲାତି କରିବାପାଇଁ ଅନୁମତି ପ୍ରାପ୍ତ ହେଲେ ।
ମହାତ୍ମାଗାନ୍ଧୀ ୧୯୨୭ ସାଲର ଡିସେମ୍ବର ମାସରେ ଖଦୀ କାର୍ଯ୍ୟ ପରିଦର୍ଶନ ପାଇଁ ଓଡ଼ିଶା ଗସ୍ତକାଳରେ ଉଚ୍ଚ ରକ୍ତଚାପଯୋଗୁଁ ଅଠରରୁ ଏକୋଇଶି ତାରିଖ ପର୍ଯ୍ୟନ୍ତ ମଧୁସ୍ମୃତିରେ ଅବସ୍ଥାନ କରିଥିଲେ । ମଧୁସୂଦନଙ୍କ ଶୁଶ୍ରୂଷାରେ ସେ ଅଚିରେ ଆରୋଗ୍ୟ ଲାଭ କରିଥିଲେ ।
ଏହାର ଠିକ୍‍ ବର୍ଷକ ପରେ, ମଧୁସୂଦନଙ୍କର ପରାମର୍ଶରେ ୧୨.୧୨.୧୯୨୮ରେ ପାଟଣାଠାରେ ଓଡ଼ିଶା ପ୍ରତିନିଧି ଦଳ ସାଇମନ୍‍ କମିଶନଙ୍କୁ ସ୍ୱାଗତ ଜଣାଇ ଦାବି ଉପସ୍ଥାପନ କଲେ । ଏହା ପରେ ସୁଦୀର୍ଘ ବାଇଶି ବର୍ଷ ଧରି ନିବୁଜ ରହିଥିବା ଓଡ଼ିଶା ପ୍ରଦେଶ ଗଠନର ଦ୍ୱାର ହଠାତ୍‍ ଉନ୍ମୋଚିତ ହେଲା । ପରବର୍ତ୍ତୀ ବେଳାଟି ଥିଲା ଦୁର୍ବାର ସଂଗ୍ରାମର ସମୟ । ୧୯୩୦ ରେ ଅଟଲି କମିଟିର ରିପୋଟ ଉପସ୍ଥାପନ, ୧୬.୧.୧୯୩୧ରେ ପ୍ରଥମ ଗୋଲଟେବୁଲ୍‍ ବୈଠକରେ ପାରଳା ମହାରାଜାଙ୍କର ଦାବି ସଂସ୍ଥାପନ, ୧୯୩୧-୩୨ରେ ଓଡ଼େନଲ୍‍ ସୀମା ନିର୍ଦ୍ଧାରଣ କମିଟିର ଅନୁସନ୍ଧାନ, ଆଉ ୨୪.୧୨.୧୯୩୨ରେ ତୃତୀୟ ଗୋଲ୍‍ଟେବୁଲ୍‍ ବୈଠକର ଅନ୍ତିମ ଦିବସରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନାର ଉଦ୍‍ଘୋଷଣା ଆଉ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ୩.୭.୧୯୩୩ରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟିରେ ଓଡ଼ିଶା ପ୍ରତିନିଧି ଦଳର ଦାବି ଉପସ୍ଥାପନା ପରେ ଓଡ଼ିଶା ପ୍ରଦେଶ ଗଠନର ସମ୍ଭାବନା କ୍ରମଶଃ ବାସ୍ତବ ରୂପ ପରିପ୍ରକାଶ କରିବାକୁ ଲାଗିଲା । ଏହି ସମୟଟି ଥିଲା ବିପୁଳ ଖର୍ଚ୍ଚ ଆଉ ଉପଚାରର ପର୍ବ ଯହିଁରେ ଅକୁଳାନ ଖର୍ଚ୍ଚର ପରିପୂରଣ କରିଥିଲେ ମଧୁସୂଦନ ତାଙ୍କର ସୀମିତ ଆୟର ପରିଧି ମଧ୍ୟରେ । ତାଙ୍କର ଅବକ୍ଷୟପ୍ରାପ୍ତ ଦୁର୍ବଳ ସ୍ୱାସ୍ଥ୍ୟ ଘେନି ୨୪.୬.୧୯୩୩ରୁ ୧୬.୧୦.୧୯୩୩ ମଧ୍ୟରେ ମଧୁସୂଦନ ପ୍ରାଶାସନିକ କମିଟିର ସଦସ୍ୟ ରୂପେ ଓଡ଼ିଶାର ସମସ୍ତ ଉପାନ୍ତ ଅଞ୍ଚଳ ପରିଭ୍ରମଣ କରିଥିଲେ । ଏଥିଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅପୂରଣୀୟ କ୍ଷତି ଘଟିଥିଲା । ବହିରାଗତ ସମ୍ଭ୍ରାନ୍ତ ଅତିଥିଙ୍କର ବ୍ୟୟବହୁଳ ଚର୍ଚ୍ଚା ସହିତ ମଧୁସୂଦନ ପ୍ରଦାନ କରିଥିଲେ, ୧୯୩୨ ସାଲର ପ୍ରଥମ ସପ୍ତାହରେ ଓଡ଼ନେଲ୍‍ କମିଟିକୁ ମଧୁସ୍ମୃତିରେ ବିଦାୟ ସମ୍ବର୍ଦ୍ଧନା ଓ ପ୍ରାଶାସନିକ କମିଟିର ଅଭ୍ୟର୍ଥନାରେ ଆବାହନୀ ଉତ୍ସବ । ୧୯୨୮ରୁ ୧୯୩୩ର ମଧ୍ୟଭାଗ ପର୍ଯ୍ୟନ୍ତ ଏହି ସଂଗ୍ରାମ କାଳରେ ସେ ଅକୁଳାନ ଖର୍ଚ୍ଚ କରି ଚାଲିଥିଲେ । ମାତ୍ର ୧୯୩୩ ସାଲର ଅକ୍ଟୋବର ମାସରୁ ଅତ୍ୟନ୍ତ ଶୀର୍ଣ୍ଣ ଶରୀର ଓ ଦୁର୍ବଳ ସ୍ୱାସ୍ଥ୍ୟ ଘେନି ସେ ଆଉ କଚେରିକୁ ଯାତାୟାତ କରିବା ସଂଭବ ହେଲାନାହିଁ । ସେ ବହୁ ସମୟରେ ଶଯ୍ୟାଶାୟୀ ହୋଇ ରହୁଥିଲେ । ଆୟର ସମସ୍ତ ପନ୍ଥା ତିରୋହିତ ହୋଇଗଲା । ପୂର୍ବବେଳର ଅତ୍ୟଧିକ ଖର୍ଚ୍ଚ ତାଙ୍କୁ କିଛିପରିମାଣରେ ଦାୟଗ୍ରସ୍ତ କରିଥିଲା । କଚେରିରୁ ଆଉ ଆୟ ପାଇବା ଅସମ୍ଭବ ଥିଲା ।
ଜ୍ୟୋତ୍ସ୍ନାର ଉତ୍ତାଳ ଲହରୀମାଳା ମଥାପିଟି ଚାଲିଛନ୍ତି ମଧୁସ୍ମୃତିର ପରିସର ମଧ୍ୟରେ । ହଠାତ୍‍ ଆକାଶରେ ଭାସି ଯାଉଥିବା ମେଘମାଳା ସବୁ ଜମାଟ ବାନ୍ଧିଛନ୍ତି ଆଉ ଉନ୍ମାଦ ପବନ ବହି

ଆମ ମଧୁସୂଦନ ୩୨୭