ପୃଷ୍ଠା:Aama Madhusudan.pdf/୩୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନା, ମୁଁ ତ ଆଉ ରୋଜଗାର କରିପାରିବି ନାହିଁ । ଆଉ କାହିଁକି କାହା ଉପରେ ବୋଝ ହୋଇ ରହିବି ? ନା, ମୋର ଯିବାର ସମୟ ଆସି ଉପନୀତ ହେଲାଣି ।" ମଧୁଦସୂଦନ କହିଲେ ଧୀର ଆଉ ସମାହିତ କଣ୍ଠରେ, ଯହିଁରେ ଉତ୍କଣ୍ଠାର ସାମାନ୍ୟ ମାତ୍ର ସ୍ପର୍ଶ ନ ଥିଲା । ମଧୁସୂଦନ ପ୍ରକୃତରେ ଥିଲେ ସ୍ଥିତପ୍ରଜ୍ଞ । ପରିବେଶ ହୋଇଗଲା ଶୋକାକୁଳ ଆଉ ଅଶ୍ରୁବିଜଡ଼ିତ । ଅନୁତ୍ତରିତ ରହିଗଲା ସମସ୍ତ ପରିସ୍ଥିତି । ଦୀର୍ଘକାଳ ଧରି ଆଣ୍ଠୁମାଡ଼ି ବସି ପ୍ରାର୍ଥନା କରୁଥିବା ଚନ୍ଦ୍ର କୁମାରଙ୍କର ଆଖିରେ ଆସିଗଲା ଲୁହର ବନ୍ୟା, କଣ୍ଠରେ କୋହଭରା ଦୀର୍ଘଶ୍ୱାସ ।
ଜାନୁଆରି ୩୧ ତାରିଖର ସକାଳ । ରାତ୍ରିର ଜଡ଼ତା କାଟିଦେଇ ସୂର୍ଯ୍ୟ ଉଇଁଲେ । ଆଲୋକର ଝଲସା କିରଣରେ ଗଛଲତାସବୁ ଚହଟି ଉଠଲେ । ହେଲେ ସକାଳର ଶୀତୁଆ ପବନ ଯେପରି ରକ୍ତକୁ ଜଡୀଭୂତ କରିପକାଉଥାଏ । ସତେଜ ଥିଲେ ମଧୁସୂଦନ । ତାଙ୍କ ଅସୁସ୍ଥତାର ଖବର ପାଇ ସତ୍ୟଭାମାପୁର ଅଞ୍ଚଳର କିଛି ମହିଳା ଆସି ପହଞ୍ଚିଲେ ଆଉ ଅତ୍ୟନ୍ତ ଶଙ୍କାଗ୍ରସ୍ତ କଣ୍ଠରେ ପଚାରିଲେ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ । ମଧୁସୂଦନ ଉତ୍ତର ଦେଲେ, "ମୋର ହାତରେ ଆଉ କ'ଣ ବା ଅଛି ?' ସବୁ ତାଙ୍କରି ନିର୍ଦ୍ଦେଶ । ହେଲେ ଉତ୍କଟ ଯଂତ୍ରଣାର ପରିପ୍ରକାଶ କରି କହିଲେ-
ଆଉ ଦିନକାଳ ଆସିବ
ବାଉଁଶ ଗଛରେ ମଳୟ ବହିଲେ
ତାହାକି ଚନ୍ଦନ ହୋଇବ ?
ଦିନ ଏଗାରଟା । ଡାକବାଲା ଆସି ବଢାଇଦେଲା ଗୋଟିଏ ରେଜେଷ୍ଟ୍ରି ଚିଠି । ପାଖରେ ବସିଥାନ୍ତି ଶୈଳବାଳା । ଚିଠିଟି ଖୋଲି ଶୈଳବାଳା ମଧୁସୂଦନଙ୍କ ହାତକୁ ବଢ଼ାଇଦେଲେ । ମଧୁସୂଦନ ତନ୍ନତନ୍ନ କରି ଚିଠିଟି ପଢ଼ିଲେ, ସ୍ମିତହାସ୍ୟର ଲହରୀ ଖେଳିଗଲା । ଉଲ୍ଲାସଭରା କଣ୍ଠରେ କହିଲେ, "ହେ ଶୈଳ ! ତୁମେ ପରା କୁହ ଭଗବାନ ନାହାନ୍ତି ବୋଲି ? ଭଗବାନ ଏକାନ୍ତଭାବେ କରୁଣାମୟ । ମାସେ ତଳେ ସେ କେଉଟ ସାହିରେ ଗୋଟିଏ ଟ୍ୟୁବ୍‍ ଓ୍ୱେଲ୍‍ ବସାଇବାପାଇଁ ସାହିବାଲାକୁ ପ୍ରତିଶ୍ରୁତି ଦେଇଥିଲି ଆଉ ମ୍ୟୁନିସିପାଲିଟି ଚେୟାରମ୍ୟାନ ଭାଗୀରଥି ମହାପାତ୍ରଙ୍କୁ ଜଣାଇଥିଲି । ଦେଖତ ଶୈଳ ! ମୋର କଥା ରକ୍ଷା କରିବାପାଇଁ ପରମ ପିତା ଏହି ଡ୍ରାଫ୍‍ଟଟି ପଠାଇଦେଇଛନ୍ତି ପୁରୁଣା ବକେୟା ଦେୟ ବାବଦରେ । ଏହି ଡ଼୍ରାଫ୍‍ଟଟିକୁ ଉଠାଇବାର ବ୍ୟବସ୍ଥାକର ଆଜି । ଆଉ ମ୍ୟୁନିସ୍‍ପାଲିଟି ଚେୟାରମ୍ୟାନ୍‍ ମହାପାତ୍ର ବାବୁଙ୍କୁ ଖବର ଦିଅ, କାଲି ଆସି, ଏ ଟଙ୍କାଟା ନେଇଯିବେ ।
ସନ୍ଧ୍ୟା ନଇଁଆସିଲା । ଘଡ଼ିକ ପରେ କୃଷ୍ଣ ପ୍ରତିପଦାର ଜହ୍ନ ଉଇଁଲା ରାତି୍ରର ଅନ୍ଧକାରକୁ ବିଦୀର୍ଣ୍ଣ କରି । ଜ୍ୟୋତ୍ସ୍ନାର ଜୁଆର ଆସି ଲହଡ଼ି ଭାଂଗିଲା ମଧୁସ୍ମୃତିକୁ ରଜତ ଶୁଭ୍ର ଆଲୋକରେ ବିଧୌତ କରି । ଦେବଦାରୁ ଗଛର ଶାଖା ପ୍ରଶାଖା ଦେଇ ଝରି ପଡ଼ିଲା ଅଜଡ଼ା ଆଲୋକର କିରଣ ରାଶି । ସର୍ବତ୍ର ତିଳତଣ୍ଡୁଳିତ ଜ୍ୟୋତ୍ସ୍ନା ।

୩୩୦ ଆମ ମଧୁସୂଦନ