ପୃଷ୍ଠା:Aama Madhusudan.pdf/୩୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

"ନେ ରେ ବଳଦ ଟାଣିଟୁଣି,
ଆଉ ନାହିଁରେ ଦୋହରାପାଣି ।"

ହାଡିବନ୍ଧୁ କହିଲେ, ଆପଣ ଚାରି ଚାମଚରୁ ଅଧିକ ହର୍ଲିକ୍ସ ନେଉ ନାହାନ୍ତି । ଆଉ କହୁଛନ୍ତି, ଆଉ ନାହିଁରେ ଦୋହରାପାଣି ।" ମଧୁସୂଦନ ଆଉ ହାଡ଼ିବନ୍ଧୁ ହସି ଉଠିଲେ, ଆନନ୍ଦର ଆତିଶଯ୍ୟରେ । ଶୈଳବାଳା ଆସି ବହୁ କଷ୍ଟରେ ତିନି ଚାମୁଚ ହର୍ଲିିକ୍ସ ପିଆଇଲେ ।
ମଧ୍ୟାହ୍ନର ଯତ୍‍ସାମାନ୍ୟ ଭୋଜନ, ଦୁଇ ଚାମୁଚ ଭାତ ଆଉ ଦୁଇଖଣ୍ଡ ଅମୃତଭଣ୍ଡା ସିଝାରେ ସମାପ୍ତ ହେଲା । ଏହାପରେ ଆସି ପହଞ୍ଚିଲେ ବିଚିତ୍ରାନନ୍ଦ ଦାସ, ଲକ୍ଷ୍ମୀଧର ମହାନ୍ତି, ଚିନ୍ତାମଣି ଆଚାର୍ଯ୍ୟ ଆଉ ନବକିଶୋର ଦାସ ପ୍ରମୁଖ । ଆଲୋଚନା ଚାଲିଥିଲା ଲଣ୍ଡନରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ବିଷୟରେ ଆଉ ଏହାର ପ୍ରଭାବରେ ଜୟପୁର, ପାରଳାଖେମୁଣ୍ଡି ସହର ଓ ପାରଳା ଜମିଦାରିର ମାତ୍ର ଏକ ତୃତୀୟାଂଶ ଜମିଦାରି ପ୍ରସ୍ତାବିତ ଓଡ଼ିଶାର ସୀମା ମଧ୍ୟରେ ରଖି ବଳକା ଦୁଇତୃତୀୟାଂଶ ଜମିଦାରି ମାଡ଼୍ରାସ ପ୍ରେସିଡେନ୍‍ସିକୁ ଦେଇଛନ୍ତି । ପରିଣାମରେ ସମାଧାନର ପନ୍ଥା ସହଜ ହୋଇ ଯାଇଛି । ଏଣୁ ଜୟପୁର ଓ ପାରଳାଖେମୁଣ୍ଡି ଜମିଦାରି ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରେ ମିଶିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ଏହି ଆଲୋଚନାର ଉପସଂହାରରେ ମଧୁସୂଦନ କହିଲେ, "ଜୟପୁର ଆଉ ପାରଳାଖେମୁଣ୍ଡି ଜମିଦାରି ନିଶ୍ଚୟ ଆସୁଛି । ହେଲେ ଏହି ଓଡ଼ିଶାକୁ ପରିଚାଳିତ କରିବାପାଇଁ ପ୍ରଭାବଶାଳୀ ଉତ୍ସର୍ଗୀକୃତ ନେତୃପୁରୁଷ କାହାନ୍ତି? ହଁ, ଏହାରି ଉପରେ ଓଡ଼ିଶାର ଭାଗ୍ୟ ନିର୍ଭର କରୁଛି । ଏହା ପରେ ଆଲୋଚନା କ୍ରମ ପରିବର୍ତ୍ତନ କରି ମଧୁସୂଦନ ବିହାର ଭୂମିକମ୍ପରେ ପ୍ରପୀଡ଼ିତ ଲୋକଙ୍କର ସାହାଯ୍ୟପାଇଁ ଅର୍ଥ ସଂଗ୍ରହର କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଲେ । ଏଣୁ ବଧିବଦ୍ଧ ତ୍ୱରାନ୍ୱିତ କାର୍ଯ୍ୟକ୍ରମ ପ୍ରସ୍ତୁତ ହେଲା ।
ଉଜ୍ଜ୍ୱଳ ସୂର୍ଯ୍ୟତାପର ପ୍ରଖରତା ସତ୍ତ୍ୱେ ଶୀତର ପ୍ରକୋପ ବଢ଼ିଚାଲିଛି । ମଧୁସୂଦନଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହି । ଡାକ୍ତର ପରୀକ୍ଷା କରି ରାତିପାଇଁ ନିର୍ଦ୍ଦେଶ ଦେଇ ଗଲେଣି । ସନ୍ଧ୍ୟା ଆଗତ ପ୍ରାୟ । ଏଇ ଶେଷ ଶଯ୍ୟାରେ ଶୋଇ ମଧ୍ୟ ମଧୁସୂଦନ ବେଳେବେଳେ ପରିହାସ ଖେଳୁଥିଲେ । ଡାକ୍ତରବାବୁ ତାଙ୍କ ପରୀକ୍ଷା ଶେଷ କଲାପରେ ସେ ପଚାରିଲେ-
ଦେଖୁଛନ୍ତି ଆଉ କେତେକ୍ଷଣ ବଞ୍ଚିବି? ଡାକ୍ତରବାବୁ କୌଣସି ଉତ୍ତର ଦେବା ପୂର୍ବରୁ ମଧୁବାବୁ ହସିହସି କହିଲେ-
"There is no hope the sick man said
The silent doctor shook his head."
ଅର୍ଥାତ୍‍ ରୋଗୀ କହିଲା ଯେ, ଆଉ ଆଶା ନାହିଁ । ମନ ଭୁଲାଣିଆ ଡାକ୍ତର କେବଳ ମୁଣ୍ଡ ହଲାଇଲେ ।
ବନ୍ଧୁ ହୁକାଟି ସଜାଡ଼ି ଦେଇ କହିଲା, ହଉ ।

ଆମ ମଧୁସୂଦନ ୩୩୭