ପୃଷ୍ଠା:Aama Madhusudan.pdf/୩୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନଙ୍କର ପ୍ରିୟପାତ୍ର ଥିଲେ ଓ ତାଙ୍କ ପ୍ରତି ବହୁ ଭାବରେ ସମର୍ପିତ ଥିଲେ । ବିହାର କାଉନ୍‍ସିଲ୍‍ର ଉତ୍ତୁଙ୍ଗ ନେତୃପୁରୁଷ ସଚ୍ଚିଦାନନ୍ଦ ସିହ୍ନାଙ୍କ ସହିତ ମଧୁସୂଦନ ଅତ୍ୟନ୍ତ ନିବିଡ଼ ଭାବେ ସମ୍ବନ୍ଧିତ ଥିଲେ । ମଧୁସୂଦନଙ୍କୁ ସେ ଅଗ୍ରଜର ସମ୍ମାନ ପ୍ରଦର୍ଶନ କରି ଆସୁଥିଲେ । ଭାରତୀୟ ଇମ୍ପରିଆଲ କାଉନ୍‍ସିଲ୍‍ର ପ୍ରମୁଖ ସଦସ୍ୟ ରୂପେ (୧୯୧୩ରୁ ୧୯୧୬) ସେ ତାଙ୍କୁ ନିର୍ବାଚିତ କରାଇଥିଲେ । ଓଡ଼ିଶା ପ୍ରଦେଶର ସ୍ଥାପନା ପାଇଁ ବଙ୍ଗ, ମଧ୍ୟପ୍ରଦେଶ ଅଥବା ମାଡ଼୍ରାସ କାଉନ୍‍ସିଲ୍‍ରୁ ପ୍ରସ୍ତାବ ଗ୍ରହଣ କରାଇବା ଏକାନ୍ତ ଭାବେ ଅକଳ୍ପନୀୟ ଥିଲା । ଏଣୁ ସାମ୍ବିଧାନିକ ପରମ୍ପରାର ମର୍ଯ୍ୟାଦା ରକ୍ଷାପାଇଁ ବିହାର ଓ ଓଡ଼ିଶା ପ୍ରଦେଶ କାଉନ୍‍ସିଲ୍‍ରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରିବା ଏକାନ୍ତ ଭାବେ ପ୍ରୟୋଜନୀୟ ଥିଲା । ମଧୁସୂଦନଙ୍କର ବିହାର ଓ ଓଡ଼ିଶା କାଉନ୍‍ସିଲ୍‍ର ସମସ୍ତ ସଦସ୍ୟଙ୍କ ସହିତ ନିବିଡ଼ ଅନ୍ତରଂଗତା ସ୍ଥାପିତ ହୋଇଥିଲା, ଯେଉଁମାନଙ୍କୁ ସେ ବହୁବାର ବିଭିନ୍ନ ଉତ୍ସବରେ ସମ୍ବର୍ଦ୍ଧିତ ଆଉ ଅଭିନନ୍ଦିତ କରିଥିଲେ । ବିହାର ସରକାରଙ୍କ ସର୍ବୋଚ୍ଚ ବରିଷ୍ଠ ସର୍ବଭାରତୀୟ ଅଧିକାରୀଗଣ , ଯେଉଁମାନେ ସେମାନଙ୍କର ପ୍ରାଶାସନିକ ଜୀବନ ଓଡ଼ିଶାରେ ଆରମ୍ଭ କରିଥିଲେ, ସେମାନେ ସର୍ବାନ୍ତକରଣରେ ମଧୁସୂଦନଙ୍କ ପ୍ରତି ସମର୍ପିତ ଥିଲେ । ଏଣୁ ବିହାର ଓଡ଼ିଶା କାଉନ୍‍ସିଲ୍‍ରେ ଓଡ଼ିଶା ପ୍ରଦେଶ ସ୍ଥାପନାପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ ମଧୁସୂଦନଙ୍କ ପ୍ରଭାବଯୋଗୁଁ ଅନୁକୂଳ ଥିଲା । ତେଣୁ ଏହି଼ ସଂପର୍କକୁ ସୁଦୃଢ଼ ଓ ଚିରସ୍ଥାୟୀ କରିବା ପାଇଁ ଓଡ଼ିଶାବାସୀଙ୍କ ପକ୍ଷରୁ ଏକାନ୍ତ ଆବଶ୍ୟକ ଥିଲା ବିହାର ଭୂମିକମ୍ପର ପୀଡ଼ିତ ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋଚ୍ଚ ପରିମାଣର ସାହାଯ୍ୟ ପ୍ରଦାନ ଓ ପୀଡ଼ିତ ବ୍ୟକ୍ତିଙ୍କ ସେବା , ଶୁଶ୍ରୂଷା ।
ସେହି ଫେବ୍ରୁଆରି ତିନି ତାରିଖ ସନ୍ଧ୍ୟା ସାତଘଣ୍ଟା ସମୟରେ ଅନୁଷ୍ଠିତ ହେଉଥିଲା ମହିଳା ସଂଘ ପକ୍ଷରୁ ସାହାଯ୍ୟ ସଂଗ୍ରହ ଅଭିଯାନ ସଭା । ଏଣୁ ମଧୁସୂଦନ ଅତ୍ୟନ୍ତ ଉତ୍‍କଣ୍ଠିତ ହୋଇ ଶୈଳବାଳା ଆଉ ସୁଧାଂଶୁବାଳାଙ୍କୁ ଆହ୍ୱାନ କଲେ, ସେହି ସଭାରେ ଯୋଗଦାନ କରି ସର୍ବୋଚ୍ଚ ପରିମାଣର ସାହାଯ୍ୟ ସଂଗ୍ରହ କରିବାପାଇଁ । ଏହି ଅବସରରେ ମଧୁସୂଦନ ତାଙ୍କର ସମସ୍ତ ସ୍ୱଳ୍ପ ମାତ୍ର ସଂଚିତ ଅର୍ଥ ଯାହା ତକିଆ ତଳେ ଗଚ୍ଛିତ ଥିଲା ,ସେ ସମସ୍ତ ବଢ଼ାଇ ଦେଲେ ଶୈଳବାଳାଙ୍କୁ , ତାଙ୍କର ସମସ୍ତ ପ୍ରତିବାଦ ସତ୍ତ୍ୱେ । ଶୈଳବାଳା ଆଉ ସୁଧାଂଶୁବାଳା ଚାଲିଗଲେ ସେଇ ନିର୍ଦ୍ଧାରିତ ସଭାକୁ ।
ନିଃସ୍ୱ ମଧୁସୂଦନ ଏହାପରେ ହୋଇ ଯାଇଥିଲେ ଏକାନ୍ତ ଭାବେ ନିଃସ୍ୱ ଆଉ କପର୍ଦ୍ଦକ ଶୂନ୍ୟ । ମାତ୍ର ଅନୁଶୋଚନା ନଥିଲା ତାଙ୍କର । ମଧୁସୂଦନଙ୍କର ସଂଚାଳିତ ସମସ୍ତ ପ୍ରକଳ୍ପ ବନ୍ଦ ହୋଇଯାଇଥିଲେ ମଧ୍ୟ ମଧୁସ୍ମୃତିରେ କାର୍ଯ୍ୟ କରୁଥିଲା ଶିଳ୍ପାଗାର; କିଛି ମୋଚି, ବଣିଆ ଆଉ କଳାକାରଙ୍କୁ ଘେନି । ଏହାର ଆୟ ସହିତ ମଧୁସୂଦନ ସଂପର୍କିତ ନ ଥିଲେ ମଧ୍ୟ, ଏହି କଳାକାରଙ୍କ ସହିତ ସର୍ଜନାତ୍ମକ କାର୍ଯ୍ୟରେ ମଧୁସୂଦନଙ୍କର ସଖ୍ୟତା ଥିଲା ଅତ୍ୟନ୍ତ ନିବିଡ । ଜୀବନର ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ମଧୁସୂଦନ, କଳାକାରଙ୍କ ସହିତ ଅତ୍ୟନ୍ତ ଅନ୍ତରଂଗତାର ସହିତ ସଂପର୍କିତ ଥିଲେ । ଏଣୁ ଲକ୍ଷ୍ମୀନାରାୟଣ ସାହୁଙ୍କର ପ୍ରଦତ୍ତ ଶ୍ରଦ୍ଧାଞ୍ଜଳିରେ ଶ୍ରମିକ, ବଣିକ, ମେକାନିକ, ପୁଣି ଜ୍ଞାନୀ, ମାନୀ, ଧ୍ୟାନୀ ମଧୁସୂଦନଙ୍କଠାରେ ଏ ସମସ୍ତ ଏକୀଭୂତ ହୋଇଥିଲା ।

୩୪୦ ଆମ ମଧୁସୂଦନ