ପୃଷ୍ଠା:Aama Madhusudan.pdf/୩୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶୈଳବାଳା ମଧ୍ୟ ମଧୁସୂଦନଙ୍କ ସ୍ୱାସ୍ଥ୍ୟସ୍ଥିତିରେ କିଛିଟା ଅସ୍ୱାଭାବିକତା ଲକ୍ଷ୍ୟ କଲେ । ଏଣୁ ସମସ୍ତଙ୍କୁ ସ୍ଥିତି ସଂପର୍କରେ ଜଣାଇଦେଲେ । ରାତ୍ରି ଦଶଟା ବେଳକୁ ପାୟ ଶହେରୁ ଅଧିକ ଭଦ୍ର ବ୍ୟକ୍ତି ଓ ମହିଳାଗଣ ସମବେତ ହୋଇଥାନ୍ତି । ଆତ୍ମୀୟଙ୍କ ବ୍ୟତୀତ ଥାଆନ୍ତି ଡାକ୍ତର ଜୟନ୍ତ ରାଓ, ଡାକ୍ତର ଅଟଳ ବିହାରୀ ଆଚାର୍ଯ୍ୟ, ଡାକ୍ତର ବିଭୂତି ଭୂଷଣ ପଟ୍ଟନାୟକ, ବ୍ରଜସୁନ୍ଦର ଦାସ, ଏନ୍‍. କେ. ରାୟ, ଶ୍ରୀମତୀ ବସନ୍ତ କୁମାରୀ ଦେବୀ, ଶ୍ରୀମତୀ ରମାଦେବୀ, ଶ୍ରୀମତୀ ସରଳା ଦେବୀ, ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଲକ୍ଷ୍ମୀଧର ମହାନ୍ତି, ଚିନ୍ତାମଣି ଆଚାର୍ଯ୍ୟ, ପି.ସି. ବୋଷ, ଗୁଣନିଧି ମହାନ୍ତି ପ୍ରମୁଖ ବହୁ ଭଦ୍ରବ୍ୟକ୍ତି ଆଉ ମହିଳାଗଣ । ଶୟନ କକ୍ଷଟି ଲୋକାରଣ୍ୟରେ ପରିପୂର୍ଣ୍ଣ ହୋଇଯାଇଥାଏ । ତଳମହଲାର ବୈଠକଖାନାରେ ଅନେକ ସମ୍ମାନାସ୍ପଦ ବ୍ୟକ୍ତି ଅତ୍ୟନ୍ତ ଆତୁରିତ ହୋଇ ଅପେକ୍ଷା କରିଥାନ୍ତି । ସେହି ରାତିଟି ଥିଲା ବର୍ଷର ସବୁଠାରୁ ଶୀତଳତମ । ସମସ୍ତେ ପରିଧାନ କରିଥାନ୍ତି କୋଟ କିମ୍ବା ଓଭରକୋଟ । କେହିକେହି ଶାଲ୍‍ ବା ଚଦର ଘୋଡ଼ିହୋଇଥାନ୍ତି । ଲୋକଙ୍କର ଅସରନ୍ତି ଉଦ୍‍ବେଗ, ଭୀତିପ୍ରଦ ସଂଶୟ ଆଉ ଉଦ୍‍ବେଳିତ ଉଚ୍ଚାଟର ସୀମା ନଥାଏ । ହଠାତ୍‍ ଡାକ୍ତର ପାଲିତ ପହଞ୍ଚି ଗବାକ୍ଷ ସବୁକୁ ଖୋଲିଦେଲେ । ବାହାରେ ନିବିଡ଼ ହେମାଳ । ଶୁଭ୍ରାଭ ଜହ୍ନ କିରଣର ଢେଉ । ଉତ୍ତଳା ପବନ ବହି ଚାଲିଥାଏ ଅଣାୟତ୍ତ ହୋଇ । ଚାରିଆଡେ କେବଳ କାକୁସ୍ଥତାର ଭାବ ।
ମଧୁସୂଦନଙ୍କ ମୁଖ ମଣ୍ଡଳ ଅପରୂପ ଜ୍ୟୋତିରେ ଉଦ୍‍ଭାସିତ ହୋଇ ଉଠିଥାଏ । ଶରୀରରେ କ୍ରମଶଃ ଶୀତଳତାର ପରିପ୍ରକାଶ । ନାଡ଼ିର ଗତି କ୍ରମଶଃ ଶିଥିଳ ଆଉ ଧୀର ହେଉଥାଏ । ପୁଚ୍ଛା କରନ୍ତେ ମଧୁସୂଦନ ଧର୍ମଗ୍ରନ୍ଥ ପଠନ ପାଇଁ ନିର୍ଦ୍ଦେଶ ଦେଲେ ଆଉ ଧର୍ମଯାଜକ ତାଙ୍କର ଉଦାତ୍ତ କଣ୍ଠରେ ପ୍ରାର୍ଥନାର ପଦଗୁଡ଼ିକ ଆବୃତ୍ତି କରି ଚାଲିଥାନ୍ତି -
"I heard the voice of Jesus say
come unto me and rest,
Lay down thou weary one, lay down
The head upon my breast."
ଗଭୀର ତନ୍ମୟତା ମଧ୍ୟରେ ଉଦ୍‍ଗ୍ରୀବ ଆଉ ଧ୍ୟାନସ୍ଥ ହୋଇ ଶ୍ରବଣ କରୁଥାନ୍ତି ମଧୁସୂଦନ ଧର୍ମର ସେହି ମହିମାମୃତ ଅମୀୟବଚନ । ଗଭୀର ପ୍ରଶାନ୍ତିର ସୀମାହୀନ ଉଚ୍ଛ୍ୱାସ ତାଙ୍କର ଚକ୍ଷୁ ଯୁଗଳକୁ ଜ୍ୟୋତିଷ୍ମାନ୍‍ କରିଥାଏ ।
ରାତ୍ରି ଏଗାରଟା ସମୟରୁ ଶୈଳବାଳା ମଧୁସୂଦନଙ୍କୁ ପ୍ରତି ଦଶମିନିଟ୍‍ରେ ଏକ ଚାମଚ୍‍ ଲେଖାଏଁ ଜଳ ପାଟିରେ ଦେଇ ପାନ କରାଉଥିଲେ । ମଧୁସୂଦନ ତାକୁ ଅତ୍ୟନ୍ତ ଆରାମଦାୟକ ସ୍ଥିତିରେ ଗ୍ରହଣ କରି ଚାଲିଥାନ୍ତି । ସମ୍ମୁଖରେ ଶୟନ କକ୍ଷରେ ସମ୍ମିଳିତ ହୋଇଥାନ୍ତି ତାଙ୍କର ତେଜସ୍ୱୀ ସହଯୋଦ୍ଧାଗଣ ଆଉ ନିରୀକ୍ଷଣ କରୁଥାନ୍ତି ତାଙ୍କର ଦୀପ୍ତିମୟ ଲଲାଟକୁ । ମଧୁସୂଦନ ଏକା, ଓଡ଼ିଶା ଇତିହାସର ଗୋଟିଏ ଶତାବ୍ଦୀ । ତାଙ୍କ ତେଜୋଦୀପ୍ତ ଲଲାଟରେ ଗୋଟିଏ ଶତାବ୍ଦୀର କୋଟିଏ ଅନୁଭୂତିର ମୁଦ୍ରା ଅଂକିତ ହୋଇଥିଲା ।

୩୪୨ ଆମ ମଧୁସୂଦନ