ପୃଷ୍ଠା:Aama Madhusudan.pdf/୩୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର
ସ୍ୱାର୍ଥକୁ ଦିଅ ଆହୁତି
ସ୍ୱାର୍ଥମେଧ ଯଜ୍ଞେ ଚାରିଆଡେ଼ ନାଚ
ଛାତିକୁ ମିଶାଇ ଛାତି ।
କ୍ଷଣକ ପରେ ପୁଣି ଉଦ୍‍ବେଳିତ କଣ୍ଠରେ ନିନାଦିତ ହେଉଥିଲା ଦେଶମାତୃକାର ମହିମାନ୍ୱିତ ଗାନ ଉଚ୍ଛସିତ ଆବେଗରେ ଆଉ ମନ୍ଦ୍ରିତ ସ୍ୱର ଝଙ୍କାରରେ-
କୋଟିଏ ସନ୍ତାନ ଗୋଟିଏ ସ୍ୱରରେ
ଜନନୀ ଜନନୀ ଡାକ
ତୃଷ୍ଣାରେ କାତର ଜନନୀଙ୍କୁ ଚାହିଁ
ଯେସନେ ଡାକେ ଚାତକ ।
ଏହି ଅମୃତସ୍ରାବୀ ସଂଗୀତ ଗାନ, ପରିବେଶକୁ ଅତ୍ୟନ୍ତ ମହିମାନ୍ୱିତ କରିବା ସହିତ ଶୋକ ବିଧୂରିତ କରିଦେଇଥିଲା । ଶୋଭାଯାତ୍ରାର ଚାକ୍ଷୁଷ ବିବରଣୀ ପ୍ରଦାନ କରିଛନ୍ତି ସାରସ୍ୱତ ପୁରୁଷ ଗୋପାଳ ଚନ୍ଦ୍ର ପ୍ରହରାଜ ଏହିପରି ଭାବରେ-
"ହେ ମଧୁସୂଦନ ! ସେହି ୪.୨.୧୯୩୪ରେ ଦିବା ତିନିଟାଠାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ତୁମ ଶବ ଯେତେବେଳେ ବିମାନରେ ବାହିତ ହୋଇ କଟକର ପ୍ରଧାନ ରାଜଦାଣ୍ଡ ବାଟେ ମିଶନ୍‍ ରୋଡ଼୍‍, ବକ୍ସି ବଜାର, ତିନିକୋଣିଆ ବଗିଚା, ଚଉଧୁରୀ ବଜାର, ନୂଆ ସଡ଼କ, ବାଲୁବଜାର, ଚାନ୍ଦିନୀଚୌକ, ମେହେନ୍ଦୀପୀର, କଟକ ଚଣ୍ଡୀ, କନିକା କୋଠି ଓ ତୁଳସୀପୁର ବାଟେ ଗଲା, ସେ ବିମାନରେ କାନ୍ଧ ଲଗାଇଛନ୍ତି ସମସ୍ତେ । ସେ ବିମାନକୁ ଫୁଲ ପକାଇଛନ୍ତି ସମସ୍ତେ । ପୁରୁଷଙ୍କ ହରିବୋଲ ଏବଂ ମାଇପଙ୍କ ହୁଳହୁଳି ଶବ୍ଦରେ କଟକ ସହର ଉଚ୍ଛୁଳି ପଡ଼ିଲା । ତୁମ ଶବାଧାର ସଂଗେ ପଦବ୍ରଜରେ ଯାଉଥାନ୍ତି ୫ରୁ ୭ହଜାର ସରିକି ଲୋକ । ରାସ୍ତା ଦୁଇପାଖରେ ଚାଳଘର, କୋଠାଛାତ, ପାରାପେଟ, ଗଛଡ଼ାଳ ଉପରେ ଚଢ଼ି ଦେଖୁଥାଆନ୍ତି ଆଉ ପ୍ରାୟ ପାଞ୍ଚ ହଜାର ଜନତା । ଯାହା କହନ୍ତି ଏ ଭିଡ଼ ଭିତରେ ପିମ୍ପୁଡ଼ି ଗଳି ଯିବାକୁ ବାଟ ନଥିଲା । ଶବ ଯାତ୍ରାରେ ଏତେ ଲୋକ ଶବ ସଙ୍ଗେ ପଟୁଆର କରି ଚାଲିବାର କଟକ ସହରର ଇତିହାସରେ ଏହା ହିଁ ଅଭିନବ ଦୃଶ୍ୟ । ସତକୁ ସତ ଦେଖାଗଲା "ତୁମେ ଉତ୍କଳର ମୁକୁଟହୀନ ରାଜ ଚକ୍ରବର୍ତ୍ତୀ ।"
ଏହି ବିବରଣୀ ଏଠାରେ ସ୍ଥଗିତ ରଖି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା । ଏହି ସୁଦୀର୍ଘ ଶୋଭାଯାତ୍ରାରେ ମୁହ୍ୟମାନ ଶୋକାକୁଳ ଜନତାର ସ୍ତବ୍ଧାୟିତ ଯାତ୍ରା । ନୀରବତା ଯେପରି ଆକୂତିରେ ଲୋତକ ପ୍ଳାବିତ ହୋଇ ଚାଲିଥାଏ । ହଠାତ୍‍ ସେହି ନୀରବତାକୁ ବିଦୀର୍ଣ୍ଣ କରି ଗୁଞ୍ଜରି ଉଠିଲା, ଲଳିତ ହେଲେ ମଧ୍ୟ ବଜ୍ର ନିର୍ଘୋଷ କଣ୍ଠରେ ସଂଗୀତର ମୂର୍ଚ୍ଛନା-
"ଭାଇ କାନ୍ଦିବା ହେ ସତ, ଫେରି ଆସେ କି ପୁଷ୍ପକ ରଥ ହେ ।'

ଅତ୍ୟନ୍ତ ବିହ୍ୱଳିତ ଆଉ ଶୋକାଭିଭୂତ ହୋଇ ମଧୁସୂଦନଙ୍କର ଏକାନ୍ତ ଅନୁଗାମୀ, ପ୍ରବୀଣ}}

ଆମ ମଧୁସୂଦନ ୩୪୫