ପୃଷ୍ଠା:Aama Madhusudan.pdf/୩୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋରାପୁଟ ସଂଲଗ୍ନ ଜିଲ୍ଲାରେ ୧୨୦୦ ନିୟୁତ ଟନ ବକ୍ସାଇଟ୍ ଆଉ ସୁନ୍ଦରଗଡ଼ ଜିଲ୍ଲାରେ ୨୦ ନିୟୁତ ଟନ ଉଚ୍ଚମାନର ଲୁହାପଥର ସଂରକ୍ଷିତ ରହିଛି । ପରିଣାମରେ ଭାରତର ଅନ୍ୟତମ ଲାଭପ୍ରଦାୟୀ ସଂସ୍ଥା ନାଲ୍‌କୋ ଓ ରାଉରକେଲା ଇସ୍ପାତ୍ କରଖାନା ଏହି ଦୁଇ ଅଂଚଳରେ ପ୍ରତିଷ୍ଠିତ ହୋଇପାରିଛି । ସେହିପରି ସମ୍ବଲପୁର ଜିଲ୍ଲାର ଝାରସୁଗୁଡ଼ା ଅଞ୍ଚଳରେ ୨୧,୩୧୦ ନିୟୁତ ଟନ କୋଇଲା ଗଚ୍ଛିତ ହୋଇ ରହିଛି, ଯାହା ଦେଶର ଅନ୍ୟତମ ଘନୀଭୂତ ତାପଜ ଶକ୍ତି ଉତ୍ପାଦନର କେନ୍ଦ୍ରସ୍ଥଳୀ ରୂପେ ବିବେଚିତି ।
ଏତେ ଅକଳ୍ପନୀୟ ବିଭବ ଆଉ ଅନନୁମେୟ ସଂପଦ ପ୍ରଦାନ କରି କିଏ ବା ଜନ୍ମଭୂଇଁକୁ ଏଭଳି ଐଶ୍ଚର୍ଯ୍ୟଶାଳିନୀ ଆଉ ମହିମାମଣ୍ଡିତ କରିଛନ୍ତି । ଦେଶର ସ୍ୱାଧୀନତା ପ୍ରାପ୍ତିର ପରଠାରୁ କ୍ରମାଗତ ଭାବେ ଓଡ଼ିଶାକୁ ତଥା ଓଡ଼ିଶା ସରକାରଙ୍କୁ ଦୁଇ ତୃତୀୟାଂଶ ଆୟ ନିରନ୍ତର ଆଉ ନିରବଚ୍ଛିନ୍ନ ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପ୍ରଦାନ କରି ଆସିଛନ୍ତି । ଏହିଠାରେ ଏକ ପକ୍ଷରେ ଓଡ଼ିଶା ରାଜ୍ୟର ପ୍ରତିଷ୍ଠାତା ଆଉ ନିର୍ମାତା ଅନ୍ୟ ପକ୍ଷରେ ଅନ୍ୟାନ୍ୟ ବରପୁତ୍ରମାନଙ୍କର ତାତ୍ପର୍ଯ୍ୟ ସଂପର୍କରେ ଅବହିତ ହେବା ପ୍ରୟୋଜନା ଇତିହାସ ପୃଷ୍ଠାର ବରପୁତ୍ରମାନେ ସେମାନଙ୍କର ବୀରତ୍ୱ ଓ ଦୁର୍ବାର ଦେଶବତ୍ସଳତା ମାଧ୍ୟମରେ ରାଜ୍ୟବାସୀଙ୍କ ମଧ୍ୟରେ ଅପରିସୀମ ପ୍ରେରଣା ଆଉ ଉଦ୍ଦୀପନା ପ୍ରଦାନ କରି ଆସିଛନ୍ତି ।
ମାତ୍ର ଏହା ସତ୍ତ୍ୱେ ଏ ରାଜ୍ୟର ପ୍ରତିଷ୍ଠାତା ବା ନିର୍ମାତା ଚିରକାଳ ଲାଗି ବରପୁତ୍ରମାନଙ୍କଠାରୁ ଉର୍ଦ୍ଦ୍ୱରେ ରହିବେ । ଏ ରାଜ୍ୟର ଭୂମିଭାଗ ଯାହା ପ୍ରତିଷ୍ଠାତାଙ୍କ ଏକାନ୍ତ ଅବଦାନ, ତାହା ରହିବା ଚିରନ୍ତନ ଅପରିବର୍ତ୍ତନୀୟ । ତାହାରି ଭିତ୍ତିଭୂମି ଉପରେ ଏ ରାଜ୍ୟର ଭବିଷ୍ୟତର ସମୃଦ୍ଧି ଏକାନ୍ତ ଭାବେ ନିର୍ଭର କରେ । ରାଜ୍ୟ ସ୍ଥାପନର ପରବର୍ତ୍ତୀ ପର୍ଯ୍ୟାୟରେ ବରପୁତ୍ରମାନେ ରାଜ୍ୟର ନିର୍ଦ୍ଦିଷ୍ଟ ଭିତ୍ତିଭୂମିକୁ କେବଳ ପ୍ରାଚୁର୍ଯ୍ୟ ପ୍ରଦାନ କରିପାରନ୍ତି ମାତ୍ର ରାଜ୍ୟର ଭିତ୍ତିଭୂମିର ଆୟତନ କିଞ୍ଚିତ୍‌ମାତ୍ର ବୃଦ୍ଧି କରିବା ସେମାନଙ୍କ କ୍ଷମତାର ବାହାରେ । ମଧୁସୂଦନ ଜନ୍ମଭୂମିକୁ ଯେଉଁ ଐଶ୍ଚର୍ଯ୍ୟ, ପ୍ରାକୃତିକ ବିଭବ ତଥା ଶସ୍ୟ ସମ୍ଭାରର ପ୍ରାଚୁର୍ଯ୍ୟ ପ୍ରଦାନ କରିଛନ୍ତି, ତାହାହିଁ ଆମ ଶରୀରରେ ଶୋଣିତ ରୂପରେ ପ୍ରବାହିତ ହୋଇ ଚାଲିଛି ।
ତେଣୁ ମଧୁସୂଦନ ହେଉଛନ୍ତି ଓଡ଼ିଶାର ଚିରକାଳର ବର୍ତ୍ତମାନ, ଯାହାଙ୍କର ନିରବଚ୍ଛିନ୍ନ ଅବଦାନ ଆଉ ଅବସ୍ଥିତି ଏ ରାଜ୍ୟକୁ ମହିମାମଣ୍ଡିତ କରିଛି । ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟର ସତ୍ତା ତିଷ୍ଠି ରହିବ, ମଧୁସୂଦନ ମୃତ୍ୟୁଞ୍ଜୟୀ ହୋଇ ରହିବେ । ଫକୀରମୋହନଙ୍କର ଶ୍ରଦ୍ଧା ନିବେଦନରେ ଏହା ପ୍ରକଟିତ ହୋଇଛି ଅନନ୍ୟ ପ୍ରାଣବନ୍ତ ଆଲେଖ୍ୟରେ-
"ଯେତେଦିନ ଥିବ ଉତ୍କଳ ଜାତି
ଯାବତେ ଚନ୍ଦ୍ରାର୍କେ ରଟିବ ଖ୍ୟାତି ।

୩୫୮ ଆମ ମଧୁସୂଦନ