ପୃଷ୍ଠା:Aama Madhusudan.pdf/୩୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋଟି ଗଡ଼ଜାତ ଓଡ଼ିଶା ଡିଭିଜନର ଶାସକୀୟ ପରିସର ମଧ୍ୟରେ ବ୍ରିଟିଶ ଶାସନର ଅନ୍ତର୍ଭୁକ୍ତ ହୋଇଥିଲା
୧୮୪୩ :- ବ୍ୟାସକବି ଫକୀରମୋହନ ସେନାପତିଙ୍କର ଜନ୍ମ (୧୪.୧.୧୮୪୩) ମକର ସଂକ୍ରାନ୍ତି ।
୧୮୪୮ :- ବିଖଣ୍ଡିତ ଓଡ଼ିଶା ଡିଭିଜନର ଏଭଳି ମର୍ମନ୍ତୁଦ ଆଉ ଦୟନୀୟ ସ୍ଥିତିରେ ମଧୁସୂଦନଙ୍କ ଜନ୍ମ ୨୮ ଅପ୍ରେଲ ୧୮୪୮ରେ ସତ୍ୟଭାମାପୁରର ଜମିଦାର ଚୌଧୁରୀ ରଘୁନାଥ ଦାସଙ୍କର ଜ୍ୟେଷ୍ଠପୁତ୍ର ରୂପେ ହୋଇଥିଲା । ତାଙ୍କ ଜନ୍ମପୂର୍ବରୁ ସୂର୍ଯ୍ୟାସ୍ତ ଆଇନ ବଳରେ ତାଙ୍କ ପରିବାରର ଜମିଦାରି ହସ୍ତାନ୍ତରିତ ହୋଇଯାଇଥିଲା । ପିତା ରଘୁନାଥ ଦାସ ଥିଲେ ସେ ବେଳର ପାରସୀ ପଢ଼ା ଓକିଲ । ମାତା ପାର୍ବତୀ ଦେବୀଙ୍କର ଅତ୍ୟନ୍ତ ପ୍ରଖର ଆଉ ତେଜୋଦୀପ୍ତ ପ୍ରଭାବ ମଧୁସୂଦନଙ୍କ ଜୀବନର ଗତିପଥକୁ ପ୍ରଭାବିତ କରିଥିଲା । ସେ ବାଲ୍ୟକାଳରେ ବିଦ୍ୟା ଅଧ୍ୟୟନ ବେଳେ, ମା’ଙ୍କୁ ତାଳପତ୍ର ଖେଦାରୁ ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ଆଉ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ସହିତ ଅନ୍ୟ ପୁରାଣମାନ ପଢ଼ି ଶୁଣାଉଥିଲେ । ଏହା ସହିତ ସେତେବେଳେର ପଠନ ଓ ଅଧ୍ୟୟନ ରୀତି ଅନୁସାରେ ସେ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ, ଲାବଣ୍ୟବତୀ, ଦୀନକୃଷ୍ଣ ଦାସଙ୍କର ରସକଲ୍ଲୋଳ ଆଉ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ବିଦଗ୍ଧ ଚିନ୍ତାମଣି ସମେତ ବହୁ ପ୍ରାଚୀନ ତାଳପତ୍ର ଖେଦାର ଅଧ୍ୟୟନ କରି ପାରଦର୍ଶିତା ଲାଭ କରିଥିଲେ । ହଁ, ସେ ଭଞ୍ଜର ଶବ୍ଦ ସମୁଦ୍ରକୁ ପାରିହୋଇଥିଲେ । ଏଥିରୁ ସହଜରେ ଅନୁମେୟ, ମଧୁସୂଦନ ଓଡ଼ିଆ ସଂସ୍କୃତିର ଗଭୀର ଓ ପ୍ରଗାଢ଼ ଧାରାରେ କିଭଳି ପ୍ରବେଶ ଆଉ ଅବଗାହନ କରିଥିଲେ । ସବୁଠାରୁ ମାର୍ମିକ ବିଷୟ ଥିଲା ଗ୍ରାମ ଗହଳରେ ଉତ୍ପାଡ଼ିତ କୃଷକ, ନିର୍ଦ୍ଧେଷିତ କାରିଗର ଆଉ ଦଳିତ ସଂପ୍ରଦାୟ ସହିତ ତାହାଙ୍କର ସଂପର୍କ ଥିଲା ଅତି ନିବିଡ଼ ଆଉ ଅନ୍ତରଙ୍ଗ ଏହି ୧୮୪୮ ସାଲର ସେପ୍ଟେମ୍ବର ମାସରେ କବିବର ରାଧାନାଥଙ୍କର ଜନ୍ମ ହୋଇଥିଲା ।
୧୮୬୦/୧୮୬୪ :- ଗ୍ରାମର ପ୍ରାଥମିକ ସ୍କୁଲ୍‌ରେ ଅଧ୍ୟୟନ ଶେଷ କରି ୧୮୬୦ ସାଲରେ କଟକ ସରକାରୀ ହାଇସ୍କୁଲ୍‌ରେ ଯୋଗଦାନ କରିଥଲେ । ଏହି ସମୟରେ ଓଡ଼ିଶାରେ ମଧ୍ୟବର୍ତ୍ତୀ ଶାସକ ଗୋଷ୍ଠୀ ବିଶେଷତଃ ବଂଗାଳୀ କିରାଣି ଓ ପ୍ରଶାସକଙ୍କର ବିଶ୍ଳେଷଣ ଅତ୍ୟନ୍ତ ଉତ୍ପୀଡ଼କ ଆଉ ଯନ୍ତ୍ରଣାଦାୟକ ଥିବାରୁ ତାହାରି ବିରୁଦ୍ଧରେ ସଂଗ୍ରାମରତ ଥିଲେ । ଏପରିକି ବଂଗାଳୀ ପ୍ରଧାନ ଶିକ୍ଷକଙ୍କର ଅନ୍ୟାୟୋଚିତ ସିଦ୍ଧାନ୍ତ ବିରୋଧରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ପଶ୍ଚାତପଦ ହୋଇ ନଥିଲେ । ମଧୁସୂଦନ ଛାତ୍ରାବସ୍ଥାରେ କଟକରେ ଅବସ୍ଥାନ ସମୟରେ ସହରର ପ୍ରଚଳିତ ଶିଳ୍ପ ଉତ୍ପାଦନ ପ୍ରକ୍ରିୟାକୁ ଅତ୍ୟନ୍ତ ମନୋନିବେଶ ସହିତ ଅନୁଧ୍ୟାନ କରୁଥିଲେ । ତାରକସି ଶିଳ୍ପ ପ୍ରତି ସେ ଆକର୍ଷିତ ହୋଇଥିଲେ ।
୧୮୬୨ :- କବି ଗଙ୍ଗାଧର ମେହେରଙ୍କ ଜନ୍ମ ତା ୯.୮.୧୯୬୨ (ଶ୍ରାବଣ ପୂର୍ଣ୍ଣିମା)
୧୮୬୪/୧୮୬୫ :- ମଧୁସୂଦନ ୧୮୬୪ରେ କଟକ ହାଇସ୍କୁଲ୍‌ରୁ ଏଣ୍ଟ୍ରାନ୍‌ସ ପାସ କରିବା

୩୨୨ ଆମ ମଧୁସୂଦନ