ପୃଷ୍ଠା:Aama Madhusudan.pdf/୩୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନୁଧ୍ୟାନ କରିଲେ । ଆଉ ପାଞ୍ଚ ଜଣ ମୋଚିଙ୍କୁ ମଧୁସ୍ମୃତିରେ ଅବସ୍ଥାନ କରାଇ ଏଥିପାଇଁ ପରୀକ୍ଷାନିରୀକ୍ଷା ଆରମ୍ଭ କରିଥିଲେ । ଏହି ବର୍ଷଠାରୁ ଓଡ଼ିଶାର ଉପକୂଳରେ ମଧୁସୂଦନଙ୍କ ପ୍ରଚେଷ୍ଟାରେ ଟ୍ରେନ୍‌ ଲାଇନ୍‌ର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା ।
୧୮୯୫ :- ମଧ୍ୟପ୍ରଦେଶ ସରକାର ସମ୍ବଲପୁର ଜିଲ୍ଲାରେ ପ୍ରଚଳିତ ରାଜଭାଷା ଓଡ଼ିଆକୁ ଉଚ୍ଛେଦ କରି ଏହା ପରିବର୍ତ୍ତେ ହିନ୍ଦୀକୁ ରାଜ ଭାଷା ରୂପେ ବଦଳାଇବାର ସିଦ୍ଧାନ୍ତ ଗ୍ରହଣ କରି ୧୫.୧.୧୮୯୫ରେ ଓଡ଼ିଆ ଭାଷା ଉଚ୍ଛେଦର ନିର୍ଦ୍ଦେଶନାମା ପ୍ରଚାରିତ କରିଥିଲେ । ଏହି ନିର୍ଦ୍ଦେଶନାମା ବିରୁଦ୍ଧରେ ୧୧.୨.୧୮୯୫ରେ ଧରଣୀଧର ମିଶ୍ରଙ୍କ ନେତୃତ୍ୱରେ ଓ ୧୩.୬.୧୮୯୫ରେ ୨୩୬୪ ବ୍ୟକ୍ତିଙ୍କର ଦସ୍ତଖତ ସଂବଳିତ ମେମୋରାଣ୍ଡମ୍ ଭାରତର ବଡ଼ଲାଟ ଲର୍ଡ଼ ଏଲିଗିନ୍‌ଙ୍କୁ ପ୍ରେରିତ ହୋଇଥିଲା ।
ସମ୍ବଲପୁର ଜିଲ୍ଲାରେ ହିନ୍ଦୀ ଭାଷା ପ୍ରଚଳନ ପରିପ୍ରେକ୍ଷୀରେ ମଧୁସୂଦନ କଟକ ଜିଲ୍ଲା ବୋର୍ଡ଼ର ଭାଇସ୍‌ ଚେୟାର୍‌ମ୍ୟାନ୍ ପଦବୀରୁ ୧୮୯୫ ସାଲରେ ଇସ୍ତଫା ପ୍ରଦାନ କରିଥଲେ । ଏହି ବର୍ଷ ରୂପନାରାୟଣ ନଦୀକୂଳସ୍ଥ କୋଲାଘାଟଠାରୁ କଟକ ଅଭିମୁଖେ ରେଳ ଲାଇନ ସ୍ଥାପନାର କାର୍ଯ୍ୟ ଆରମ୍ଭ ହେଲା, ଯାହାପାଇଁ ମଧୁସୂଦନଙ୍କର ଉଦ୍ୟମ ଅବିସ୍ମରଣୀୟ ।
୧୮୯୬:- ମଧୁସୂଦନ ଦାସ, ଓଡ଼ିଶା ଓ ଛୋଟନାଗପୁର ଡିଭିଜନର ମ୍ୟୁନିସିପାଲିଟି ନିର୍ବାଚନ ମଣ୍ଡଳୀରୁ ବଂଗ ବିଧାନସଭାକୁ ପ୍ରଥମ ଓଡ଼ିଆ ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ। ସେ ଏହି ବର୍ଷ ଅପ୍ରେଲ ମାସରେ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ କୃଷି ଶିକ୍ଷାକୁ ନିୟମିତ କରିବାପାଇଁ ବଂଗ ବିଧାନ କାଉନ୍‌ସିଲ୍‌ରେ ପ୍ରସ୍ତାବ ଆଗତ କରିଥିଲେ । ଏହି ବର୍ଷ ଖଡ଼ଗପୁର ପଟୁ ମଧୁସୂଦନଙ୍କ ପ୍ରଚେଷ୍ଟାରେ ରେଳଲାଇନ୍ ସ୍ଥାପନାରେ ଅଗ୍ରଗତି ହୋଇଥିଲା ।
୧୮୯୭:- ବଂଗ ବିଧାନ କାଉନ୍‌ସିଲ୍‌ର ଅଧିବେଶନ ପରେ ୟୁରୋପ ଯାତ୍ରା ଲାଗି ମଧୁସୂଦନ ୨୬.୪.୧୮୯୭ରେ ଭାରତରୁ ଜଳପଥରେ ବାହାରି ଫ୍ରାନ୍‌ସ ପରିଦର୍ଶନ ପରେ ଇଂଲଣ୍ଡରେ ପହଞ୍ଚି ଥିଲେ । ଲଣ୍ଡନରେ ଭାରତ ସଚିବ ହାମିଲ୍‌ଟନ୍‌ଙ୍କ ସହିତ ଓଡ଼ିଶାବାସୀଙ୍କ ପକ୍ଷରୁ ଦାବି ଉପସ୍ଥାପନ ପରେ ମଧୁସୂଦନ ଇଂଲଣ୍ଡର ରାଜନୈତିକ, ପ୍ରାଶାସନିକ, ଶିଳ୍ପଭିତ୍ତିକ ପରମ୍ପରା ସହିତ ସମବାୟ ଆନ୍ଦୋଳନର ଉନ୍ମେଷ ଓ ଅଗ୍ରଗତି ସଂପର୍କରେ ଅଧ୍ୟୟନ କରିଥିଲେ । ସେ ଉତ୍କଳୀୟ ଶିଳ୍ପକଳାର ଏକ ମନୋଜ୍ଞ ପ୍ରଦର୍ଶନୀ ଆୟୋଜିତ କରିବା ସହିତ ବିଭିନ୍ନ ସଭା ଆହୂତ କରି ଯେଉଁ ଭାଷଣମାନ ପ୍ରଦାନ କରିଥିଲେ, ତାହା ଲଣ୍ଡନର ଦୈନିକ ସଂବାଦପତ୍ରମାନଙ୍କରେ ପ୍ରକାଶିତ ହୋଇଥିଲା । ଏହି ବର୍ଷ ସେପ୍ଟେମ୍ବର ମାସରେ ଭାରତ ସଚିବ ଲର୍ଡ଼ ହାମିଲ୍‌ଟନ୍‌ଙ୍କୁ ଭେଟି ବିଭାଜିତ ଓଡ଼ିଆ ଭାଷୀ ଅଞ୍ଚଳର ମିଶ୍ରଣ ଆଉ ସମ୍ବଲପୁରରେ ଓଡ଼ିଆ ଭାଷା ପ୍ରଚଳନ ସଂପର୍କରେ ଦୁଇଟି ମେମୋରାଣ୍ଡମ୍ ଦାଖଲ କରିଥିଲେ । ଲଣ୍ଡନରେ ଓଡ଼ିଶାର ପୂର୍ବତନ କମିଶନର ରେଭେନ୍‌ସା ସାହେବଙ୍କୁ ମଧୁସୂଦନ ଭେଟିଥିଲେ । ଏହାପରେ ୧୬.୧୦.୧୮୯୭ରେ ଲଣ୍ଡନ ପରିତ୍ୟାଗ କରି ଜର୍ମାନୀ, ଇଟାଲୀ, ବେଲ୍‌ଜିଅମ୍, ସୁଇଜର୍‌ଲ୍ୟାଣ୍ଡ, ଆଦି ଦେଶ ପରିଦର୍ଶନ କରିଥିଲେ ।

୩୨୬ ଆମ ମଧୁସୂଦନ