ପୃଷ୍ଠା:Aama Madhusudan.pdf/୩୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରିପୋର୍ଟ ୭.୬.୧୯୩୦ରେ ପ୍ରକାଶିତ ହେଲା । ଏହି କମିଶନର ପ୍ରସ୍ତାବ ଉପରେ ଆଲୋଚନା କରିବାପାଇଁ ୧୨.୧୦.୧୯୩୦ରୁ ୧୯.୧.୧୯୩୧ ପର୍ଯ୍ୟନ୍ତ ପ୍ରଥମ ଗୋଟେବୁଲ୍ ବୈଠକ ଲଣ୍ଡନଠାରେ ଅନୁଷ୍ଠିତ ହେଲା । ମଧୁସୂଦନଙ୍କର ସିଦ୍ଧାନ୍ତ କ୍ରମେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଲଣ୍ଡନର ପ୍ରଥମ ଗୋଲଟେବୁଲ୍ ବୈଠକରେ ଯୋଗଦେବା ସ୍ଥିର ହୋଇଥିଲା ।
୧୯୩୧ :- ମଧୁସୂଦନଙ୍କଦ୍ୱାରା ଅନୁପ୍ରେରିତ ପାରଳା ମହାରାଜା ୧୬.୧.୧୯୩୧ରେ ଲଣ୍ଡନରେ ପ୍ରଥମ ଗୋଲଟେବୁଲ୍ ବୈଠକରେ ଯୋଗଦେଇ ଓଡ଼ିଶା ପକ୍ଷରୁ ଦାବି ଉପସ୍ଥାପନ କରିଥିଲେ । ଗୋଲଟେବୁଲ ବୈଠକରେ ଏହି ଦାବି ପ୍ରତି ପ୍ରଭାତ ଚନ୍ଦ୍ର ମିତର, ଡକ୍ଟର ମୁଞ୍ଜ ଏବଂ ସାର୍ ଏ ପର୍ଶୁରାମ ପାତ୍ର ମଧ୍ୟ ସମର୍ଥନ ଜଣାଇଲେ । ପାରଳା ମହାରାଜାଙ୍କର ଦାବି ଉପସ୍ଥାପନା ପରବର୍ତ୍ତୀ ପର୍ଯ୍ୟାୟ ଥିଲା ପ୍ରସ୍ତାବିତ ଓଡ଼ିଶା ସୀମା ନିର୍ଦ୍ଧାରଣ କରିବାପାଇଁ ଏକ କମିଟିର ଗଠନ ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ଭବ ହୋଇଥିଲା ।
ପାରଳା ମହାରାଜା ୧୬.୧.୧୯୩୧ରେ ଲଣ୍ଡନରେ ଗୋଟେବୁଲ୍ ବୈଠକରେ ଓଡ଼ିଶା ପାଇଁ ଦାବି ଉପସ୍ଥାପନାର ଫଳଶ୍ରୁତି ସ୍ବରୂପ ୧୩.୯.୧୯୩୧ରେ ଭାରତ ସରକାର ପ୍ରସ୍ତାବିତ ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବା ପାଇଁ ସାର୍ ସାମୁଏଲ୍ ଓଡ଼େନାର ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଲେ । ଏଥିରେ ଅନ୍ୟ ଦୁଇଜଣ ସଭ୍ୟ ଥୁଲେ ଏଚ୍.ଏମ୍.ମେହେଟ୍ଟା ଆଉ ତରୁଣ ରାମ ଫୁକନ । ଏହାଛଡ଼ା ବିହାରୀ, ତେଙ୍ଗୁ ଓ ଓଡ଼ିଆ ଗୋଷ୍ଠୀଙ୍କୁ ପ୍ରତିନିଧୂତ୍ବ କରୁଥିଲେ ସଚ୍ଚିଦାନନ୍ଦ ସିହ୍ନା, ସି.ବି.ଏସ୍ ନାରାୟଣ ରାଜୁ ଆଉ ପାରଳାର ରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ଏହି କମିଟି ୧୯୩୧ ସାଲର ନଭେମ୍ବର ୨୩ଠାରୁ ୧୪ ଜାନୁଆରି ୧୯୩୨ ମଧ୍ୟରେ ଜାମସେଦପୁର, ଚାଇଁବସା, ସମ୍ବଲପୁର, ରାୟପୁର, ମେଦିନୀପୁର, ଗୋପାଳପୁର, କାକିନାଡ଼ା ଆଉ କଟକ ପରିଦର୍ଶନ କରି ୪୧୦ ଜଣ ବ୍ୟକ୍ତିଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଲେ । ଏହି କମିଟିର ପରିଦର୍ଶନ ପୂର୍ବରୁ ମଧୁସୂଦନ ତାଙ୍କର ବାର୍ଦ୍ଧକ୍ୟ ଜର୍ଜରିତ, ଜୀଶୀର୍ଣ ଶରୀରରେ ଜାମସେଦପୁର ଅଂଚଳକୁ ଯାଇ ପ୍ରସ୍ତାବିତ ଓଡ଼ିଶାରେ ସିଂହଭୂମି ଜିଲ୍ଲାର ମିଶ୍ରଣ ପାଇଁ ଇସ୍ପାତ କାରଖାନାର କର୍ତ୍ତୁପକ୍ଷ ତଥା ଓଡ଼ିଆ ଶ୍ରମିକ ସଂଗଠନ ଜରିଆରେ ପ୍ରବଳ ଜନମତ ସୃଷ୍ଟି କରିଲେ । ୧୯୩୨ ସାଲର ଜାନୁଆରି ପ୍ରଥମ ସପ୍ତାହରେ ଓଡ଼େନାଲ୍ କମିଟିର କଟକ ପରିଦର୍ଶନ ବେଳେ ମଧୁସୂଦନ କଟକର ରେଳ ଷ୍ଟେସନକୁ ଯାଇ କମିଟିକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ । ନିଜର ବାସ ଭବନରେ ଉଦ୍ୟାନମିଳନୀ ଉତ୍ସବ ଆୟୋଜନ କରି କମିଟିକୁ ଅତ୍ୟନ୍ତ ଉଜ୍ଜ୍ୱସିତ ସ୍ବାଗତ ଜଣାଇଥିଲେ ।
୧୯୩୨ - ଏହି ବର୍ଷ ଓଡ଼େନାଲ୍ କମିଟି ୪.୧.୧୯୩୨ ରେ କଟକଠାରେ ତାହାଙ୍କର ପରିଦର୍ଶନ ସମାପ୍ତି କରି ୧୯.୪.୧୯୩୨ ରେ ରିପୋର୍ଟ ଦାଖଲ କରିଥିଲେ, ଯାହା ଜୁନ୍ ମାସର ପ୍ରଥମ ସପ୍ତାହରେ ଆପାତତଃ ପ୍ରକାଶ ପାଇଲା । ଏଥୁରେ ପାରଳାଖେମୁଣ୍ଡି ଜମିଦାରି ତଥା ପଂଜାମ ଉପକୂଳ ଅଂଚଳର ମଞ୍ଜୁଷା, ଟିକାଲି, ଇଚ୍ଛାପୁର, ସମେତ ବହୁ ଆକାଂକ୍ଷିତ କ୍ଷେତ୍ର ସହିତ ସିଂହଭୂମି ମଧ୍ୟ ବାଦ୍ ପଡ଼ିଲା । ଏହା ଓଡ଼ିଶାବାସୀଙ୍କୁ ଅତ୍ୟନ୍ତ ଗଭୀର ଅବସାଦ ମଧ୍ୟକୁ ଟାଣି ନେଇଥିଲା ।

୩୭୬ ଆମ ମଧୁସୂଦନ