ପୃଷ୍ଠା:Aama Madhusudan.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋତ୍ରର ନାମ ମଧୁସୂଦନ


ସ୍ମରଣାତୀତ କାଳରୁ ଅଖଣ୍ଡ ଥିଲା ଉତ୍କଳ ସୁବିଶାଳ ସାଙ୍ଗକୁ ଏହା ପ୍ରଚଣ୍ଡ କ୍ଷମତାଶାଳୀ ଓ ଐଶ୍ୱର୍ଯ୍ୟଶାଳୀ ମଧ୍ୟ ଥିଲା । ମାତ୍ର କେଉଁ ଏକ କୂର ଅଭିଶାପର ଜ୍ୱଳାରେ ଆକ୍ରାନ୍ତ ହୋଇ ଖସିପଡ଼ିଥିଲା ପରାଧୀନତାର ଅତଳ ଗହ୍ନରକୁ, ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ । ଏହାର ତିନିଶହ ବର୍ଷ ପରେ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ, ବ୍ରିଟିଶ ଶାସନର ବିଭିନ୍ନ ପ୍ରାନ୍ତୀୟ ପରିଧି ମଧ୍ୟରେ ବିଭାଜିତ ହୋଇ ଖଣ୍ଡ ଖଣ୍ଡ ହୋଇଗଲା । ଏହି ଖଣ୍ଡସବୁ ଛତିଶଗଡ଼, ବିହାରର ଛୋଟନାଗପୁର, ବଙ୍ଗଳାର ବର୍ତ୍ତମାନ ଆଉ ମାନ୍ଦ୍ରାଜର ଆନ୍ଧଭାଷୀ ଅଂଚଳ ସହିତ ଲାଖି ରହି ଅତ୍ୟନ୍ତ ଦୟନୀୟ ଭାବେ ଆପଣାର ସଂସ୍କୃତି ଓ ସ୍ଥିତିକୁ ହରାଇ ବସିଥିଲା । ପରାଧୀନତାର ତିନିଶହ ବର୍ଷର ଉଗ୍ର ଶୋଷଣ ଓ ସାମନ୍ତ ସାହି ଶାସନର ଦାରୁଣ ଲଂଛନା ମଧ୍ୟରେ ଆପଣାର ମୌଳିକତା ଓ ପରାକ୍ରମ ହରାଇ ଓଡ଼ିଆ ଜାତି ପରିଣତ ହୋଇଯାଇଥିଲା ଗୋଟିଏ ଅବସାଦଗ୍ରସ୍ତ, କ୍ଷୟିଷ୍ଣୁ ଓ ହୀନପ୍ରଭ ଜନଗୋଷ୍ଠୀରେ ।
କେଉଁ ବେଳା ଓ ନକ୍ଷତ୍ରର ସଂଯୋଗରେ ଗୋଟିଏ ଶୁକ୍ତିରୁ ମୁକ୍ତାର ଜନ୍ମ ପରି ପରାଧୀନତାର । ଦାରୁଣ ଅନ୍ତର୍ଦାହରେ ପୀଡ଼ିତ ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ ଜନ୍ମ ଦେଇଥିଲା ମଧୁସୂଦନଙ୍କ ପରି ଏକ ପ୍ରଚଣ୍ଡ ପ୍ରତିଭାଶାଳୀ ଯୁଗପୁରୁଷଙ୍କୁ ; ଜର୍ମାନୀ ଜାତିର ବିସ୍‌ମାର୍କଙ୍କ ଭଳି ବିଭାଜିତ ଓଡ଼ିଆ ଜାତିର ଏକତ୍ରୀକରଣପାଇଁ, ନିଅଂକ ଦୁର୍ଭିକ୍ଷର ବୁଧାଗ୍ନିରେବି ଏ ଜାତିରଉଦ୍ଧାରପାଇଁ । ମଧୁସୂଦନଙ୍କର ଆବିର୍ଭାବ କେବଳ ଏକ ଐତିହାସିକ ଆବଶ୍ୟକତା ନଥିଲା, ନିଶ୍ଚିହ୍ନ ହେବାର ଶେଷ ପର୍ଯ୍ୟାୟ ପୂର୍ବରୁ ଏହା ଥିଲା ଅବଦମିତ ଏ ଜାତିର ତିଷ୍ଠି ରହିବାର ଅନ୍ତିମ ପ୍ରଚେଷ୍ଟା, ଯହିଁରେ ସେ ଆଶାତୀତ ଭାବେ ସଫଳ ହେଲା ।
ଓଡ଼ିଆ ଜାତିକୁ ଚରମ ବିପର୍ଯ୍ୟୟରୁ ରକ୍ଷା କରିଥିବା ମଧୁସୂଦନ ନିଜର ମହତ୍ତର ଅବଦାନ ସଂପର୍କରେ ତାଙ୍କର ନିଜସ୍ବ ମୂଲ୍ୟାୟନ ପ୍ରଦାନ କରିଥିଲେ, ଜାତି ପ୍ରତି ପ୍ରଦତ୍ତ ଅନ୍ତିମ ଅଭିଭାଷଣରେ (୧୨.୨.୧୯୩୩) ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବରେ

୬୮ ଆମ ମଧୁସୂଦନ