ପୃଷ୍ଠା:Aama Odia Byakarana.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସନ୍ଧି ଶବ୍ଦ

ତୁମେ ଜାଣିଛ, ଏକାଧିକ ଶବ୍ଦ ମିଶି ଗୋଟିଏ ଶବ୍ଦ ହେଲେ ତାହାକୁ ସମାସ ଶବ୍ଦ କୁହାଯାଏ ।

ତଳଲିଖିତ ଶବ୍ଦଗୁଡ଼ିକୁ ଦେଖ-
(କ) ବିଦ୍ୟାଳୟ
(ଖ) ସଚ୍ଚରିତ୍ର
(ଗ) ପୁନର୍ବାର

ଏଗୁଡ଼ିକ ମଧ୍ୟ ସମାସ ଶବ୍ଦ । କାରଣ ‘ବିଦ୍ୟା’ ଏବଂ ‘ଆଳୟ’ ଦୁଇଟି ଶବ୍ଦ ମିଶି ‘ବିଦ୍ୟାଳୟ’ ଶବ୍ଦଟି ହୋଇଛି । ‘ସତ୍‍’ ଏବଂ ‘ଚରିତ୍ର’ ଦୁଇଟି ଶବ୍ଦ ମିଶି ‘ସଚ୍ଚରିତ୍ର’ ଶବ୍ଦଟି ହୋଇଛି । ସେହିପରି ‘ପୁନଃ’ ଏବଂ ‘ବାର’ ଦୁଇଟି ଶବ୍ଦ ମିଶି ‘ପୁନର୍ବାର’ ଶବ୍ଦଟି ହୋଇଛି ।

ଆମେ ଲକ୍ଷ୍ୟ କରିପାରୁଥାଇଁ, ଏହି ଶବ୍ଦଗୁଡ଼ିକରେ ଦୁଇଟି ଲେଖାଏଁ ଶବ୍ଦ ମିଶି ଗୋଟିଏ ଲେଖାଏଁ ଶବ୍ଦ ହୋଇଛି ସତ, କିନ୍ତୁ ଉଭୟଙ୍କର ମଝିରେ କିଛି ପରିବର୍ତ୍ତନ ହୋଇଯାଇଛି ।

‘ବିଦ୍ୟାଳୟ’ ଶବ୍ଦରେ ‘ଆଳୟ’ର ‘ଆ’ଟି ନାହିଁ ।
‘ସଚ୍ଚରିତ୍ର’ ଶବ୍ଦରେ ‘ସତ୍‍’ର ‘ତ୍‍’ଟି ନାହିଁ ଏବଂ ‘ଚରିତ୍ର’ର ‘ଚ’ଟି

‘ଚ୍ଚ’ ହୋଇଯାଇଛି । ‘ପୁନର୍ବାର’ ଶବ୍ଦରେ ‘ପୁନଃ’ର ବିସର୍ଗଟି ନାହିଁ ଏବଂ ‘ବାର’ର ‘ବା’ଟି ‘ର୍ବା’ ହୋଇଯାଇଛି । ଏହିପରି, ପରିବର୍ତ୍ତନମାନ ଆମେ ଲକ୍ଷ୍ୟ କରିପାରୁଥାଇଁ ।

ଆମ ଓଡ଼ିଆ ବ୍ୟାକରଣ ■ ୬୫