ପୃଷ୍ଠା:Aama Parala Gajapati.pdf/୧୧୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାପାଇଁ ଅନୁରୋଧ ଜଣାଇଥିଲେ । ପୁଣି ସେଥିରେ ମତ ରଖିଥିଲେ ଯେ ଯଦି ସେ ରହିବାରେ ବିଶେଷ ଅସୁବିଧା ହୁଏ ତା' ହେଲେ ଭୁବନାନନ୍ଦ ଦାସଙ୍କୁ ସେଠାରେ ସେହି ଦାୟିତ୍ୱ ଦିଆଯାଇପାରେ ଏବଂ ସେଠାରେ ତାଙ୍କର ବ୍ୟୟଭାର ଇତ୍ୟାଦି ଆମେ ବହନ କରିବା । ନୂତନ ଓଡ଼ିଶା ଗଠନ ଏବଂ ତତ୍‍ସହିତ ପାରଳା ଅଞ୍ଚଳ ଅଙ୍ଗୀଭୂତ ହେବା ନେଇ ଗଜପତି କୃଷ୍ଣଚନ୍ଦ୍ରଙ୍କ ଆକୁଳତା ଏଥିରୁ ସ୍ପଷ୍ଟ ଅନୁମେୟ ।

ମହରାଜାଙ୍କ ଅନୁରୋଧ ରକ୍ଷାକରି ଖଲିକୋଟ ରାଜା ରାମଚନ୍ଦ୍ର ଆଉ କିଛି କାଳ ଲଣ୍ଡନରେ ରହିବା ନିଷ୍ପତ୍ତି ନେଇଥିଲେ । ସେ ବିଶଦ ଭାବରେ ତଥ୍ୟ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେଥିରେ ଫିଲପ୍‍ ଡଫ୍‍ କିମଟିରୁ ଆରମ୍ଭ କରି ଅଟଲି ସବ୍‍କମିଟି, ସାଇମନ୍‍ କମିଶନ୍‍ର ମତାମତ ସବୁକୁ ଉପେକ୍ଷା କରି ସୀମା କମିଟି ଯେଉଁ ସୁପାରିଶ କରିଛି ତାହା ଉତ୍କଳୀୟଙ୍କ ଆଶା ଆକାଂକ୍ଷାରୁ ଯେ ଅନେକ ଦୂରରେ ତାହା ପ୍ରମାଣିତ କରାଇଥିଲେ ସେଥିରେ । ଅନୁରୋଧ କରିଥିଲେ ସେଇ ସବୁର ଉପଯୁକ୍ତ ବିଚାର କରି ଯଥାଯୋଗ୍ୟ ନିଷ୍ପତ୍ତି ନିଆଯିବା ଆବଶ୍ୟକ ଏବଂ ଅଧିକ ଆଲୋଚନା ମନେହେଲେ ସେଥିପାଇଁ ଜାନୁଆରି(୧୯୩୩) ମଧ୍ୟ ଭାଗ ପର୍ଯ୍ୟନ୍ତ ସେ ସେଠାରେ ରହୁଥିବା କାରଣରୁ ପ୍ରତ୍ୟକ୍ଷ ସହଯୋଗ ପାଇଁ ପଦକ୍ଷେପ ନିଆଯାଇପାରେ ।

ଏଭଳି ପରିସ୍ଥିତି ଭିତରେ ଉତ୍କଳ ସମ୍ମିଳନୀର ଏକ ସ୍ୱତନ୍ତ୍ର ଅଧିବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା ୧୯୩୩ ମସିହା ଫେବ୍ରୁଆରି ୧୨ ତାରିଖ ଦିନ । ଗୋଲଟେବୁଲ୍ ବୈଠକରେ ଯୋଗଦେଇ ଫେରିବା ପରେ ଭୁବନାନନ୍ଦ ଦାସ ସେଥିରେ ଅଧ୍ୟକ୍ଷତା କରିଥିଲେ । ଉତ୍କଳୀୟ ଏକୀକରଣ ଆନ୍ଦୋଳନ ଏବଂ ସୀମା ସମସ୍ୟା ଉପରେ ବିଶଦ୍‍ ଆଲୋଚନା ହୋଇଥିଲା । କୁଳବୃଦ୍ଧ ମଧୁସୂଦନ ବିଶେଷ କରି ପାରଳା ଓ ଜୟପୁର ସଂପର୍କୀୟ ଆଲୋଚନା ପ୍ରସଙ୍ଗରେ କହିଥିଲେ "ଆମ୍ଭେମାନେ ଦୀର୍ଘକାଳ ଧରି ଯାହା କାର୍ଯ୍ୟରେ ପରିଣତ କରିପାରି ନଥିଲୁ, ତାହା ପାରଳା ମହାରାଜାଙ୍କ ବ୍ୟକ୍ତିଗତ ଉଦ୍ୟମରେ ଏବଂ ସେକ୍ରେଟାରୀ ଅଫ୍‍ ଷ୍ଟେଟ୍‍ ସାର୍‍ ସାମୁଏଲ୍‍ ହୋର୍‍ଙ୍କୁ ପ୍ରଭାବିତ କରିବା ଫଳରେ ସମ୍ଭବ ହୋଇପାରିଛି । ବର୍ତ୍ତମାନ ଯେଉଁ କେତେକ ବିଚ୍ଛିନ୍ନ ଅଞ୍ଚଳ ଓଡ଼ିଶାରେ ମିଶିନାହିଁ ତାହା ସେହି ମହାରାଜାଙ୍କ ଉଦ୍ୟମରେ ହିଁ ନିଶ୍ଚୟ ଫଳବତୀ ହେବ ।" ଏବଂ ବାସ୍ତବରେ ତାହା ହିଁ ହୋଇଥିଲା ।