ପୃଷ୍ଠା:Aama Parala Gajapati.pdf/୧୧୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଗ୍ରଗଣ୍ୟ ନେତା ପାରଳା ମହାରାଜାଙ୍କ ଜମିଦାରୀ ଅଞ୍ଚଳ- ଯେଉଁଠି ତେଲୁଗୁଭାଷୀ ପ୍ରଜାଗଣ ରାଜାଙ୍କ ସହ ଓଡ଼ିଶାରେ ରହିବା ପାଇଁ ଆଗ୍ରହୀ ସେଭଳି କ୍ଷେତ୍ରରେ ସେଇ ସବୁ ଅଞ୍ଚଳ, ଓଡ଼ିଶା ସହ ଯୁକ୍ତ ହେବା ବିଧେୟ । ଓଡ଼ିଆମାନଙ୍କର ସେହି ଯୁକ୍ତିଯୁକ୍ତ ଦାବି ଓ ଅସଂତୋଷ ମିଳିତ ପାର୍ଲିଆମେଣ୍ଟାରୀ ବୈଠକ ବେଳେ ସମାଧାନ ହେବା ବିଧେୟ । ଏହି ମତାମତ ସେ ଏକ ସାମ୍ବାଦିକ ସମ୍ମିଳନୀରେ ରଖିଥିଲେ ୧୯୩୩ ମସିହା ମାର୍ଚ୍ଚ ୨୨ ତାରିଖ ଦିନ ।

ସେହିଭଳି ସୀମା କମିଟିର ଅନ୍ୟତମ ସଦସ୍ୟ ଓଡ଼ିଆଙ୍କ ସମସ୍ୟା ସଂପର୍କରେ ସଂପୂର୍ଣ୍ଣ ଅନୁଭବୀ ଶ୍ରୀ ଏଚ୍. ଏମ୍. ମେହେଟ୍ଟା ଏସୋସିଏଟେଡ୍ ପ୍ରେସ୍‌କୁ ମାର୍ଚ୍ଚ ୨୬ ତାରିଖ ଦିନ ପ୍ରଦାନ କରିଥିବା ଅଭିବ୍ୟକ୍ତିରେ କହିଥିଲେ- ପାରଳା ଜମିଦାରୀ ଏକ ସଂପୂର୍ଣ୍ଣ ଓଡ଼ିଆ ଅଞ୍ଚଳ । ଦୀର୍ଘ ଅତୀତରୁ ମହାରାଜାଗଣଙ୍କ ଉଦାରତା ଏବଂ ଉତ୍କୃଷ୍ଟ ଶାସନରେ ଆକୃଷ୍ଟ ହୋଇ ନିକଟସ୍ଥ ମାନ୍ଦ୍ରାଜ ଅଞ୍ଚଳରେ ଅନେକ ତେଲୁଗୁ ଏଇ ଅଞ୍ଚଳକୁ ଚାଲି ଆସିଥିଲେ ନିରପେକ୍ଷ ଶାସନରେ ରହିବା ପାଇଁ । ଅତଏବ ବର୍ତ୍ତମାନ ଯଦିବା ସେଠାରେ ସଂଖ୍ୟାତ୍ମକ ଦୃଷ୍ଟିରୁ ତେଲୁଗୁମାନେ କିଞ୍ଚିତ ପରିମାଣରେ ଅଧିକ, ତଥାପି ସେମାନେ ବର୍ତ୍ତମାନର ମହାରାଜାଙ୍କ ସହିତ ଓଡ଼ିଶାରେ ଯୁକ୍ତ ହେବା ପାଇଁ ଆଗ୍ରହୀ । ଓଡ଼ିଶା ସହ ଯଦି ପାରଳା ଯୁକ୍ତ ନହୁଏ ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ସେଇ ପୁରାତନ ସୌହାର୍ଦ୍ଦ୍ୟ ସମ୍ଭବତଃ ରହିବ ନାହିଁ । ସେହିଭଳି ଭାବରେ ୯୬ ପ୍ରତିଶତ ଓଡ଼ିଆ ଥିବା ଜୟପୁର ମାଳ ଅଞ୍ଚଳ ଓଡ଼ିଶା ସହ ସାମିଲ ହୋଇ ନପାରିବା ଦୁର୍ଭାଗ୍ୟର ବିଷୟ ।

ଏଭଳି ମତାମତଗୁଡ଼ିକ ଥିଲା ସୀମା କମିଟିରେ ତିନିଜଣ ସଭ୍ୟଙ୍କ ମଧ୍ୟରୁ ଦୁଇ ଭାରତୀୟ ସଭ୍ୟଙ୍କ ଅନୁଭବର କଥା- ତଥ୍ୟାନୁସନ୍ଧାନ ବେଳେ ଅର୍ଜନ କରିଥିବା ଅଭିଜ୍ଞତାର ନିଛକ ପରିପ୍ରକାଶ ।

ଓଡ଼ିଶା କଂଗ୍ରେସର ସଭ୍ୟଗଣ ଉକ୍ତ ଶ୍ୱେତପତ୍ରର ତୀବ୍ର ବିରୋଧ କରିଥିଲେ । ଶ୍ରୀ ରାଧାନାଥ ରଥ ତଥା ଯଦୁମଣି ମଙ୍ଗରାଜଙ୍କ ଭଳି ବ୍ୟକ୍ତିବୃନ୍ଦ ସେଭଳି ଏକ ତରଫା ମତାମତ ବିରୁଦ୍ଧରେ ରାଜ୍ୟରେ ହରତାଳ ଓ ଧର୍ମଘଟର ଆହ୍ୱାନ ଦେଇଥିଲେ । ସେହିଭଳି ଜୟପୁରର ରାଜା ବିକ୍ରମଦେବ ବର୍ମା ବିଶେଷ ବ୍ୟଥିତ ହୋଇଥିଲେ ସେଇ ପ୍ରକାରର ସରକାରୀ ନିର୍ଦ୍ଧାରଣ ଯୋଗୁଁ । ପାରଳାର ତେଲୁଗୁ ଜନଗଣ ସୁଦ୍ଧା ବେଶ୍ ବ୍ୟସ୍ତ ବିଚଳିତ ହେବା ଥିଲା ସ୍ୱାଭାବିକ । ସେମାନଙ୍କର ପ୍ରତିକ୍ରିୟା ଦେଶର ପ୍ରତିଷ୍ଠିତ ପତ୍ର-ପତ୍ରିକାଗୁଡ଼ିକରେ ପ୍ରକାଶ ପାଇଥିଲା । ହିନ୍ଦୁ, ମାନ୍ଦ୍ରାଜ ମେଲ୍ ପ୍ରଭୃତି ଜାତୀୟ ସ୍ତରର ପତ୍ରିକା ବ୍ୟତୀତ ସ୍ଥାନୀୟ ପ୍ରାୟ ସବୁ ପତ୍ର ପତ୍ରିକାରେ ଜନ ଅସନ୍ତୋଷ ବିଶେଷ ଭାବରେ ପ୍ରକାଶିତ ହୋଇ ଚାଲିଥିଲା ସେଇ କିଛିକାଳ ।

କେନ୍ଦ୍ର ବିଧାନ ପରିଷଦରେ ଶ୍ରୀ ଭୁବନାନନ୍ଦ ଦାସ ଏବଂ ଶ୍ରୀ ବିଶ୍ୱନାଥ ମିଶ୍ର ୧୯୩୩ ଅପ୍ରେଲ୍ ୫ ଏବଂ ୨୨ରେ ପ୍ରଶ୍ନୋତ୍ତର ମାଧ୍ୟମରେ ସେଇ ସମସ୍ୟାର ଆଲୋଚନା କରିଥିଲେ । ମାନ୍ଦ୍ରାଜ ବିଧାନସଭାରେ ସଭ୍ୟ ରାଜା ରାମଚନ୍ଦ୍ର ମର୍ଦ୍ଧରାଜ ଦେବ ଏ ସଂପର୍କରେ ଆଲୋଚନା