ପୃଷ୍ଠା:Aama Parala Gajapati.pdf/୧୨୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଥିପାଇଁ ଏକ ତାରବାର୍ତ୍ତାରେ ମେନେଜର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କୁ ମହାରାଜା ନିର୍ଦ୍ଦେଶ ଦେଇଥିଲେ, ପାରଳା ସମସ୍ଥାନ ଅଫିସରେ ଉପଯୁକ୍ତ ମାନଚିତ୍ର ପ୍ରସ୍ତୁତ କରି ତିନିଦିନ ଭିତରେ ଦିଲ୍ଲୀ ପଠାଇବା ପାଇଁ । ରାତିଦିନ ଅକ୍ଲାନ୍ତ ପରିଶ୍ରମ କରି ଓଡ଼ିଶା ସହ ମିଶ୍ରଣ କାମନା କରାଯାଉଥିବା ଅଞ୍ଚଳଗୁଡ଼ିକ ଚିହ୍ନଟ କରାଯାଇ ମାନଚିତ୍ର ପ୍ରସ୍ତୁତ ହୋଇଥିଲା । ପ୍ରତିନିଧିମଣ୍ଡଳୀ ବଡ଼ଲାଟଙ୍କ ସହ ସାକ୍ଷାତ କରିବା ଅବସରରେ ତାହାକୁ ପ୍ରଦାନ କରିଥିଲେ ଏବଂ ବଡ଼ଲାଟ ମଧ୍ୟ ସେହି ପରିବର୍ତ୍ତିତ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ସମର୍ଥନ କରିବା ସହିତ ଯଥାର୍ଥ ଭାବେ ସୁପାରିସ କରି ମାନଚିତ୍ର ସହିତ ଇଂଲଣ୍ଡର ଭାରତ ବିଭାଗ ସଚିବଙ୍କ ନିକଟକୁ ପ୍ରେରଣ କରିଥିଲେ ।

ମିଳିତ ସଂସଦୀୟ କମିଟିର ପୂର୍ବ ମତାମତକୁ ପ୍ରବଳ ବିରୋଧ କରାଯାଇ ଓଡ଼ିଶାରେ ଯେଉଁ ଜନମତ ସୃଷ୍ଟି ହୋଇଥିଲା ତାହା ଯଥାର୍ଥରେ ସେତେବେଳକୁ ବ୍ରିଟିଶ ସରକାର ଅନୁଭବ କରି ସାରିଥିଲେ । ତେଣୁ ଏହି ପରିବର୍ତ୍ତିତ ପ୍ରସ୍ତାବ, ଭାରତର ବିଭିନ୍ନ ପ୍ରଭାବିତ ପ୍ରାନ୍ତରରେ ପୂର୍ଣ୍ଣ ସ୍ୱୀକୃତି ଲାଭ କରୁଥିବା ଯୋଗୁଁ ବଡ଼ଲାଟଙ୍କ ସୁପାରିସକୁ ଯଥାର୍ଥରେ ଗ୍ରହଣ କରିନେଇଥିଲେ ବ୍ରିଟିଶ ସରକାର । ପରିଣାମତଃ ମିଳିତ ସଂସଦୀୟ କମିଟି ସୁପାରିସ ସେହି କ୍ରମରେ ପରିବର୍ତ୍ତିତ ହୋଇଥିଲା । ଏବଂ ସର୍ବୋପରି ସେହି ଦିଗରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ଥିଲା ଅନନ୍ୟ ।

ନୂତନ ଓଡ଼ିଶାର ସୀମା ସହିତ ପାରଳାଖେମଣ୍ଡି ରାଜ୍ୟର ମାଳ ଅଞ୍ଚଳକୁ ମିଶାଇ ପାରଳା ସହର ଏବଂ ତତ୍‌ସଂଲଗ୍ନ ଏକ କ୍ଷୁଦ୍ର ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ସୁପାରିସ ହୋଇଥିଲା । ମୋଟାମୋଟି ଭାବେ ସମଗ୍ର ଜମିଦାରିର ମାତ୍ର ୩୦ ପ୍ରତିଶତ ଅଞ୍ଚଳ ଓଡ଼ିଶା ସହ ଯୁକ୍ତ ହେବା ପାଇଁ ନିଷ୍ପତ୍ତି ହୋଇଥିଲା । ଜମିଦାରିର ମୋଟ ପ୍ରାୟ ୬୩୯ ବର୍ଗ ମାଇଲ (୧୬୯୫ ବର୍ଗ କିଲୋମିଟର) ଅଞ୍ଚଳ ମଧ୍ୟରୁ ମାତ୍ର ୧୯୧ ବର୍ଗମାଇଲ (୪୯୫ ବର୍ଗ କିଲୋମିଟର) ପରିମିତ ଅଞ୍ଚଳ ଓଡ଼ିଶାର ସୀମା ଅନ୍ତର୍ଭୁକ୍ତ ହୋଇଥିଲା । ପାରଳା ରାଜ୍ୟର ମୋଟ ୫୦୩ ଗୋଟି ଗ୍ରାମ ମଧ୍ୟରୁ ମାତ୍ର ୧୮୮ଟି ରୟତି ଗ୍ରାମ ରହିଥିଲା ନୂତନ ପ୍ରଦେଶ ସହ ଯୁକ୍ତ ହୋଇ । ଅବସ୍ଥା ଚକ୍ରରେ ବାଧ୍ୟ ହୋଇ ଖଣ୍ଡିତ ହୋଇଥିଲେ ମଧ୍ୟ ମହାରାଜାଙ୍କ ସ୍ୱପ୍ନ ସାକାର ହୋଇଥିଲା । ବିଭାଗୀକୃତ ଅଞ୍ଚଳର ସୀମାରେଖା ରୂପେ ଗୁଣପୁର-ପାରଳାଖେମଣ୍ଡି ରେଳ ଲାଇନ୍‌ର ଦକ୍ଷିଣ ଦିଗଟି ପ୍ରାୟ ସ୍ଥିରୀକୃତ ହୋଇଥିଲା । ହେଲେ ସେଭଳି ବିଭାଜନର ପରିଣାମ ସ୍ୱରୂପ ଏହି ଭୂଖଣ୍ଡରେ ପୁରାତନ ପ୍ରତିଷ୍ଠିତ ଗଙ୍ଗବଂଶର ଅନେକ ଅନେକ ଅକ୍ଷୟକୀର୍ତ୍ତି ଆଧୁନିକ ଓଡ଼ିଶା ବାହାରେ ରହିଯାଇଥିଲା; ରହିଯାଇଥିଲା ବଂଶଧାରା ନଦୀକୂଳସ୍ଥ ପ୍ରାଚୀନ କଳିଙ୍ଗର ପୂର୍ବତନ ରାଜଧାନୀ ମୁଖଲିଙ୍ଗମ୍ ଅଞ୍ଚଳ ତଥା ଖେମଣ୍ଡି ରାଜବଂଶର ଅସଂଖ୍ୟ ସ୍ମୃତିର ସ୍ମାରକୀ ।