ପୃଷ୍ଠା:Aama Parala Gajapati.pdf/୧୩୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇନଥିଲେ ଓଡ଼ିଶାର କଂଗ୍ରେସୀ ନେତୃବର୍ଗ । ସେମାନଙ୍କର ନୈତିକ ସମର୍ଥନ ସବୁଥିରେ ରହିଥିଲେ ସୁଦ୍ଧା ଦଳର ନୀତିଗତ ନିଷ୍ପତ୍ତି-୧୯୩୫ ଭାରତ ଶାସନ ଆଇନ ବର୍ଜନକୁ ସମ୍ମାନ ଦେଇ ସେମାନେ ସେଠାରେ ଉପସ୍ଥିତ ହୋଇନଥିଲେ । ସେଇ ଆଇନର ପ୍ରଥମ ରୂପାୟନ ହିଁ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ସେଇ ଉତ୍ସବ ଆୟୋଜନର ଜଣେ ଅଂଶୀଦାର ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ସ୍ମୃତିରେ- “ପାରଳାଖେମୁଣ୍ଡି ମହାରାଜାଙ୍କ ପକ୍ଷରୁ ତାଙ୍କ ଦେବାନ୍ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଆମେ ସହଯୋଗୀମାନେ ସେଇ ପ୍ରଥମ ଉତ୍କଳ ଦିବସର ସମସ୍ତ ଆୟୋଜନ ଭାର ଗ୍ରହଣ କରିଥିଲୁ । ଓଡ଼ିଶାରୁ ଏବଂ ଓଡ଼ିଶା ବାହାରୁ ସହସ୍ରାଧିକ ଭଦ୍ର ବ୍ୟକ୍ତି ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲେ ।” ମହାରାଜାଙ୍କ ସେହି ଉଦ୍ୟମ ହିଁ ପ୍ରମାଣିତ କରାଇ ଦେଇଥିଲା ତାହାଙ୍କର ମାନସିକ ପ୍ରସନ୍ନତା ।

ନବ ଗଠିତ ପ୍ରଦେଶରେ ନିର୍ବାଚିତ ପ୍ରତିନିଧି ସଭା ଗଠିତ ହେବା ପର୍ଯ୍ୟନ୍ତ- ୧୯୩୬ ଅପ୍ରେଲ ପହିଲାରୁ ୧୯୩୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ, ଏକ ବର୍ଷର ଶାସନ ଭାର ପ୍ରତ୍ୟକ୍ଷ ଭାବରେ ଗଭର୍ଣ୍ଣରଙ୍କ ଅଧୀନରେ ହିଁ ରହିଥିଲା । ସେଥିପାଇଁ ତାହାଙ୍କର ଏକ ଉପଦେଷ୍ଟା ପରିଷଦ ଗଠିତ ହୋଇଥିଲା । ଉଭୟ ମାନ୍ଦ୍ରାଜ ଏବଂ ବିହାର-ଓଡ଼ିଶା ପ୍ରାଦେଶିକ ବିଧାନସଭା ପାଇଁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ସଭ୍ୟଗଣଙ୍କୁ ରାଜ୍ୟପାଳଙ୍କ ଉପଦେଷ୍ଟା ପରିଷଦରେ ଗ୍ରହଣ କରାଯାଇଥିଲା । ସେଇ ହିସାବରେ ପାରଳା ମହାରାଜା ମଧ୍ୟ ଥିଲେ ସେଇ ପରିଷଦର ଜଣେ ସଭ୍ୟ ।

ଉକ୍ତ ପରାମର୍ଶଦାତା ପରିଷଦର ପ୍ରଥମ ବୈଠକ ୧୯୩୬ ମଇ ୮ ତାରିଖ ଦିନ ପୁରୀ ରାଜଭବନରେ ଆୟୋଜିତ ହୋଇଥିଲା । ସେଥିରେ ଯୋଗଦେବା ପାଇଁ ମହାରାଜା ତ‌ତ୍‌ପୂର୍ବଦିନ ପାରଳାରୁ ବାହାରି ଆପଣା ଜମିଦାରି ପୁରୀର ଡେଲାଙ୍ଗରେ ପହଂଚିଥିଲେ । ତାହା ଡେଲାଙ୍ଗବାସୀଙ୍କ ପାଇଁ ଥିଲା ଏକ ଐତିହାସିକ ଘଟଣା । ଦୀର୍ଘ ଅତୀତରୁ ୧୮୮୫ ମସିହାରେ ଗଜପତି ଗୌରଚନ୍ଦ୍ର ଦେବ ଉକ୍ତ ଜମିଦାରି କ୍ରୟ କରିଥିଲେ ସୁଦ୍ଧା ଏବଂ ଏପର୍ଯ୍ୟନ୍ତ ପାରଳା ଜମିଦାରଙ୍କ ପ୍ରତ୍ୟକ୍ଷ ଶାସନାଧୀନ ଥିଲେ ସୁଦ୍ଧା ସେମାନଙ୍କ ପ୍ରତିନିଧି ରୂପେ ପରିଚାଳକଗଣ ହିଁ ନିଯୁକ୍ତ ହୋଇ ରାଜ୍ୟ ପରିଚାଳନା କରୁଥିଲେ । ସେଠାରେ ଅନେକ କାଳ ମେନେଜର ରୂପେ କାର୍ଯ୍ୟ କରିଥିଲେ ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦେବାନ୍ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ (ବିଜୁବାବୁଙ୍କ ପିତା) । ତେଣୁ ସେଠାରେ ସେତେବେଳେ ମହାରାଜାଙ୍କ ଉପସ୍ଥିତି ଥିଲା ଏକ ଐତିହାସିକ ଘଟଣା ।

ସେହିଭଳି ମଧ୍ୟ ଅନ୍ୟ ଏକ ଐତିହାସିକ ଘଟଣା ଥିଲା, ତତ୍ ପରଦିନ ସକାଳ ନିର୍ଦ୍ଧାରିତ ସମୟ ଦଶଟା ବେଳେ ପୁରୀ ରାଜଭବନରେ ଉପସ୍ଥାନ । ଦୀର୍ଘ ଅତୀତରେ, ପାରଳା ସିଂହାସନର ପ୍ରଥମ ରାଜା ସର୍ବଜ୍ଞ ଜଗନ୍ନାଥ ନାରାୟଣ ଦେବ ବୈଦେଶିକ ଶାସନକୁ ବରଦାସ୍ତ କରି ନପାରି ୧୭୬୦ ମସିହାରେ ଖୋର୍ଦ୍ଧା ଆକ୍ରମଣ କରିଥିଲେ, ତଡିଦେଇଥିଲେ ମରହଟ୍ଟାମାନଙ୍କୁ । କିନ୍ତୁ ପରେ ପରେ ସେଇ ବୈଦେଶିକ ଶକ୍ତିକୁ ପାଥେୟ କରି ଖୋର୍ଦ୍ଧା ରାଜାଙ୍କ ସେନାନୀ