ପୃଷ୍ଠା:Aama Parala Gajapati.pdf/୧୩୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିର୍ଦ୍ଧାରିତ ୬୦ଟି ଆସନରୁ ୫୬ଜଣ ନିର୍ବାଚିତ ହେବାକୁ ଥିବାବେଳେ ଚାରୋଟି ଆସନ ରାଜ୍ୟପାଳଙ୍କ ମନୋନୀତ ପ୍ରତିନିଧିମାନଙ୍କ ପାଇଁ ବ୍ୟବସ୍ଥିତ ଥିଲା । ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ମୁସଲମାନ ସଂପ୍ରଦାୟ ପାଇଁ ଚାରୋଟି, ଖ୍ରୀଷ୍ଟିୟାନ୍‌ଙ୍କ ପାଇଁ ଗୋଟିଏ, ଜମିଦାର-ବାଣିଜ୍ୟ ସଭା ଏବଂ ମହିଳାମାନଙ୍କ ପାଇଁ ଦୁଇଗୋଟି ଲେଖାଏଁ ଏବଂ ଶ୍ରମିକମାନଙ୍କ ପାଇଁ ଗୋଟିଏ ଆସନ ସଂରକ୍ଷିତ ହୋଇଥିଲା । ଅବଶିଷ୍ଟ ଥିଲା ସାଧାରଣ ଆସନ । ସ୍ମରଣ ରଖାଯାଇ ପାରେ ଯେ ସେତେବେଳେ ସାଧାରଣ ସାବାଳକ ଭୋଟ ପ୍ରଥା ନଥିଲା କିମ୍ବା ପୁଣି ଓଡ଼ିଶାର ୨୪ ଗଡ଼ଜାତର ପ୍ରଜାଗଣ ମଧ୍ୟ ସାଧାରଣ ଶାସନ ସହ ସଂଯୁକ୍ତ ନଥିଲେ । ଭୋଟଦାତାଙ୍କ ଯୋଗ୍ୟତା ଥିଲା ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ତଥା ନିର୍ଦ୍ଧାରିତ ପରିମାଣର ଟିକସ ଦାଖଲ କରୁଥିବା ବ୍ୟକ୍ତି ବିଶେଷ ଏବଂ ସବୁ ଆୟକରଦାତା ।

ସେହି ନିର୍ବାଚନରେ ମହାରାଜା ପାରଳାଖେମୁଣ୍ଡି ଆସନରୁ ବିପୁଳ ଭୋଟରେ ନିର୍ବାଚିତ ହୋଇଥିଲେ ସୁଦ୍ଧା ତାଙ୍କ ଦଳ ପାଇଥିଲା ମାତ୍ର ଚାରୋଟି ଆସନ । ମିଳିତ ଭାବରେ ଲଢ଼ିଥିବା ଯୋଗୁଁ ଅନ୍ୟ ଦୁଇଜଣ ନିର୍ବାଚିତ ସଭ୍ୟ ମହାରାଜାଙ୍କ ସହିତ ରହିଥିଲେ । ହେଲେ ପଣ୍ଡିତ ନୀଳକଣ୍ଠଙ୍କ ନେତୃତ୍ୱରେ କଂଗ୍ରେସ ଦଳ ବିଧାନସଭାରେ ୩୭ଟି ଆସନ ଲାଭ କରିଥିଲା । ୧୯୩୫ ଭାରତ ଶାସନ ଆଇନ ଅନୁଯାୟୀ ହୋଇଥିବା ସେହି ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ ସୁଦ୍ଧା ତାହାକୁ ବର୍ଜନ କରୁଥିବା କଂଗ୍ରେସ ଦଳ ପ୍ରାୟ ସବୁ ରାଜ୍ୟରେ ସେଭଳି ପ୍ରଭୂତ ବିଜୟ ହାସଲ କରି ମଧ୍ୟ କେଉଁଠାରେ ବି ମନ୍ତ୍ରିମଣ୍ଡଳ ଗଠନ କରିବ ନାହିଁ ବୋଲି ସରକାରଙ୍କୁ ଜଣାଇ ଦେଇଥିଲା । ସେଇ ସ୍ଥିତି ମଧ୍ୟ ଥିଲା ନବଗଠିତ ଓଡ଼ିଶାରେ । ତତ୍‌କାଳୀନ କଂଗ୍ରେସ ସଭାପତି ଡଃ ହରେକୃଷ୍ଣ ମହତାବ ସେହି ବିଷୟ ଗଭର୍ଣ୍ଣରଙ୍କୁ ଜଣାଇ ଦେଇଥିଲେ । ଗାନ୍ଧିଜୀ ବଡ଼ଲାଟଙ୍କ ନିକଟରେ ଦାବି ରଖିଥିଲେ ଯେ ରାଜ୍ୟର ଗଭର୍ଣ୍ଣରଙ୍କ ହାତରେ ପ୍ରାୟ ସବୁ କ୍ଷମତା କେନ୍ଦ୍ରୀଭୂତ ହୋଇଥିବା ଯୋଗୁଁ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଆଗ୍ରହୀ ନୁହେ । କିନ୍ତୁ ନିର୍ବାଚନରେ ଲଢ଼ି କଂଗ୍ରେସ ଦେଶରେ ତାହାର ଲୋକପ୍ରିୟତା କେବଳ ପ୍ରମାଣିତ କରାଇ ଦେଇଛି । ଗଭର୍ଣ୍ଣରମାନେ ସେମାନଙ୍କ ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରିବେ ନାହିଁ ବୋଲି ପ୍ରତିଶ୍ରୁତି ନ ମିଳିବା ଯାଏଁ କେଉଁଠାରେ ମଧ୍ୟ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କରିବ ନାହିଁ ।

ତତ୍‌ପରିଣାମତଃ ଗଭର୍ଣ୍ଣର ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ ପାଇଁ ନିମନ୍ତ୍ରଣ ଜଣାଇଥିଲେ ପାରଳା ମହାରାଜାଙ୍କୁ । ଦଳୀୟ ବିଚାର ବିମର୍ଶ ପରେ ମହାରାଜା କୃଷ୍ଣଚନ୍ଦ୍ର ନୂତନ ଓଡ଼ିଶାର ଦ୍ୱିତୀୟ ଜନ୍ମ ଦିନରେ ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ସେ ନିଜେ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ସହଯୋଗୀ ହିସାବରେ ଗ୍ରହଣ କରିଥିଲେ ପୁରୀର ଓକିଲ ମୌଲବୀ ଲତିଫର ରହେମନ୍ ଏବଂ ବ୍ରହ୍ମ‌ପୁରର ଓକିଲ ତଥା ଛତ୍ରପୁର ସଭ୍ୟ ମାନଧାତା ଗୋରାଚାନ୍ଦ ପଟ୍ଟନାୟକଙ୍କୁ ।