ପୃଷ୍ଠା:Aama Parala Gajapati.pdf/୧୩୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଭ୍ୟଗଣ ବ୍ୟକ୍ତି ବିଶେଷଙ୍କୁ ଆକ୍ଷେପକରି ପ୍ରଦାନ କରୁଥିବା ବକ୍ତବ୍ୟର ଉତ୍ତର ଠିକ୍ ସେହିଭଳି ଭାବରେ ଦେବାକୁ ସେ ଚାହାନ୍ତି ନାହିଁ । କାରଣ ତତ୍‌ପରିଣାମରେ ଆଲୋଚନାଗୁଡ଼ିକ ଅତି ନିମ୍ନ ସ୍ତରୀୟ ହୋଇଯିବ । ସମୟାନୁକ୍ରମେ ସରକାରୀ କାର୍ଯ୍ୟକ୍ରମ ଏବଂ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡ଼ିକ ସଂପର୍କରେ ସୂଚନା ଗୃହରେ ଉପସ୍ଥାପନ କରୁଥିଲେ । ପୁଣି ସରକାରଙ୍କ ପାଇଁ ଅବାନ୍ତର ତଥା ଗୋପନୀୟତା ରକ୍ଷା ଦୃଷ୍ଟିରୁ ଅନାବଶ୍ୟକ ମନେ ହେଉଥିବା ବିଷୟଗୁଡ଼ିକୁ ସଭ୍ୟଗଣଙ୍କ ଦାବି ସତ୍ତ୍ୱେ ଗୃହରେ ଆଲୋଚନା ପାଇଁ ସମ୍ମତ ହେଉନଥିଲେ । ଉଦାହରଣ ସ୍ୱରୂପ ସେତେବେଳେ ଥରେ କୁଜଙ୍ଗରେ ଉଦ୍‌ଭବ ହୋଇଥିବା ଜାତିଆଣ କନ୍ଦଳର ଆଲୋଚନା । ସେତେବେଳ ସୁଦ୍ଧା ସେଇ ଜମିଜାରି ଓଡ଼ିଶା ଶାସନର ଅନ୍ତର୍ଭୁକ୍ତ ହୋଇ ନଥିବାରୁ ସେହି ବିଷୟକ ପତ୍ରାଳାପର ପ୍ରକାଶ ଏବଂ ଆଲୋଚନା ପ୍ରସ୍ତାବକୁ ଅନ୍ୟ ଏକ ରାଜ୍ୟର ସ୍ୱାର୍ଥ ସମ୍ବଳିତ ନ୍ୟାୟରେ ଗ୍ରହଣ କରି ନଥିଲେ ମହାରାଜା ।

ଅପରପକ୍ଷରେ ବିରୋଧୀ ଦଳର ଗଠନମୂଳକ ପ୍ରସ୍ତାବ ଏବଂ ସମାଲୋଚନାଗୁଡ଼ିକୁ ମହାରାଜା ଯଥେଷ୍ଟ ସମ୍ମାନ ଦେଉଥିଲେ । ଆଲୋଚନାର ଔଚିତ୍ୟ ନେଇ ଆପଣାର ହୃଦ୍‌ବୋଧ ହେଲେ ସେ ବେସରକାରୀ ପ୍ରସ୍ତାବକୁ ମଧ୍ୟ ସମୟ ସମୟରେ ସମର୍ଥନ ଜଣାଉଥିଲେ । ଏହାକୁ ମୂଲ୍ୟ ଭିତ୍ତିକ ରାଜନୀତି ଏବଂ ମହାରାଜାଙ୍କ ରାଜନୈତିକ ଆଦର୍ଶ ବ୍ୟତୀତ ଆଉ କଣ କୁହାଯାଇପାରେ ?

ବିଧାନସଭାରେ ମହାରାଜାଙ୍କ ପ୍ରତି ସଭ୍ୟଗଣଙ୍କର ଗଭୀର ସମ୍ମାନ ଥିଲା ନିଶ୍ଚୟ । ସେଥିପାଇଁ ସଭାରେ ଥରେ ମତ ପ୍ରକାଶ ପାଇଥିଲା ଯେ ଯିଏ ଯାହାକୁ ଜନ୍ମ ଦେଇଥାଏ ସିଏ ତାହାର ଖାଦ୍ୟପେୟ ବ୍ୟବସ୍ଥା ସହିତ ଲାଳନ-ପାଳନର ଭାର ମଧ୍ୟ ଗ୍ରହଣ କରିଥାଏ । ସେହି ଦୃଷ୍ଟିରୁ ନୂତନ ଓଡ଼ିଶାର ଜନକ ମହରାଜା ତଥା ବର୍ତ୍ତମାନ ରାଜ୍ୟର ପ୍ରଧାନମନ୍ତ୍ରୀ ଓଡ଼ିଶାର ସାମୂହିକ ଉନ୍ନତି ପ୍ରତି ଧ୍ୟାନ ଦେବାଲାଗି ଯଥାର୍ଥ ବ୍ୟକ୍ତି ବିଶେଷ ।

ନବଗଠିତ ରାଜ୍ୟରେ କୃଷି ଓ ଜଳସେଚନର ଉନ୍ନତିରେ ସାମୂହିକ ଉନ୍ନତିର ସ୍ତର ନିଶ୍ଚିତ ଉନ୍ନୀତ ହେବ, ତାହା ମହାରାଜାଙ୍କର ଅନୁଭବ ଥିଲା । ସେଥିପାଇଁ ସେ ପ୍ରଥମରୁ ହିଁ ଗୁରୁତ୍ୱ ଆରୋପ କରିଥିଲେ । ପୁଣି ବନ୍ୟା ବିତ୍ପାତ ଯୋଗୁଁ ପ୍ରବଳ ଭାବରେ କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶା ପାଇଁ ସେହି ସମସ୍ୟାର ଯଥାର୍ଥ ଅନୁଧ୍ୟାନ କରି ବିଭିନ୍ନ ପ୍ରତିକାରମୂଳକ ପଦକ୍ଷେପ ନେବାଲାଗି ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଉପଯୁକ୍ତ ପରାମର୍ଶ ପାଇଁ ।

ନୂତନ କରି ଜନ୍ମଲାଭ କରିଥିବା ରାଜ୍ୟର ପ୍ରାଥମିକ ଅବସ୍ଥାରେ ସରକାରୀ ମୁଖ୍ୟ ଭାବେ ତାହାଙ୍କ କାର୍ଯ୍ୟକଳାପର ସ୍ମରଣୀୟ ପ୍ରତିଫଳନଗୁଡିକ ମଧ୍ୟରେ ଥିଲା ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା, ବାରିପଦା ମହାରାଜାଙ୍କ ନାମରେ ନାମିତ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜର ଆରମ୍ଭ ଏବଂ ରାଜ୍ୟର ଶିକ୍ଷାବିକାଶ ଦୃଷ୍ଟିରୁ ଏକ ପରମ ଆବଶ୍ୟକତା ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପନ । ଆଜି ସୁଦ୍ଧା ସମଗ୍ର ଏସିଆ ମହାଦେଶରେ