ପୃଷ୍ଠା:Aama Parala Gajapati.pdf/୧୪୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଶ ସ୍ୱାଧୀନ ହେବା ପରେ ପରେ ପୁରାତନ ଗଡ଼ଜାତ ରାଜ୍ୟ ତଥା ଜମିଦାରି ଉଚ୍ଛେଦ ହୋଇଥିଲା । ତେଣୁ ଜମିଦାରି ପରିଚାଳନାର ପ୍ରଶ୍ନ ଆଉ ନଥିଲା । ଅତଏବ ଗଜପତି କୃଷ୍ଣଚନ୍ଦ୍ର ଆପଣାର ବ୍ୟକ୍ତିଗତ ସମ୍ପତ୍ତି ସବୁକୁ ଯଥାର୍ଥ ଭାବରେ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ରାଜସିଂହାସନ ଥିଲା କେବଳ ନାମକୁ ମାତ୍ର; କର୍ପୂରବିହୀନ କନାଟିଏ । ତଥାପି ଯୁବରାଜ ରାମଚନ୍ଦ୍ରଙ୍କ ପୁତ୍ର ଗୋପୀନାଥଙ୍କ ପାଇଁ ତାହା ଉଦ୍ଧିଷ୍ଟ ରହିଥିଲା; ତତ୍ ସହିତ ପାରଳା ସହର ସ୍ଥିତ ରାଜବାଟୀ ମଧ୍ୟ । ତେବେ ଜମିଦାରି ଉଚ୍ଛେଦ ପରେ ତାହାଙ୍କର ଆୟର ପନ୍ଥା ବିଶେଷ ଭାବରେ ହ୍ରାସ ପାଇଥିଲା । ତଥାପି ସେଥିରେ ସେ ହତୋତ୍ସାହ ହୋଇନଥିଲେ । ତାହାଙ୍କର ଦୈନନ୍ଦିନ ଜୀବନଯାତ୍ରା ପଦ୍ଧତିରେ କୌଣସି ପରିବର୍ତ୍ତନ ହୋଇ ନଥିଲା । ତାଙ୍କର ବିଶ୍ୱାସ ଥିଲା ନିଜର ବ୍ୟକ୍ତିଗତ ମାଲିକାନାରେ ଥିବା ଭୂସମ୍ପତ୍ତିର ସୁପରିଚାଳନା ଫଳରେ ଆପଣାର ଆୟ ଜୀବିକା ନିର୍ବାହ ପାଇଁ ଯଥେଷ୍ଟ ହେବ ।

ମହାରାଜା କୃଷ୍ଣଚନ୍ଦ୍ରଙ୍କ ସେଭଳି ସକାରାତ୍ମକ ମନୋଭାବ ହିଁ ତାହାଙ୍କୁ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ବାସ୍ତବରେ ଜଣେ ‘ମହାରାଜା’ ଆସନରେ ଆସୀନ ହୋଇ ରହିବା ପାଇଁ ପ୍ରେରଣାଯୁକ୍ତ କରିଥିଲା । ସେ ଆପଣାର ପୁରାତନ ରାଜ୍ୟର ଜନମାନସରେ ତଥାପି ଥିଲେ ମହାରାଜା- ଭାରତୀୟ ସଂବିଧାନ ତାହାଙ୍କୁ ଜଣେ ସାଧାରଣ ନାଗରିକ ହିସାବରେ ଗ୍ରହଣ କରୁ ପଛେ । ବିଶାଳ ଭାରତୀୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ସେ ଜଣେ ସାଧାରଣ ନାଗରିକ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଜନଗଣ ତାହାଙ୍କୁ ଅସାଧାରଣ ରୂପେ ହିଁ ଗ୍ରହଣ କରୁଥିଲେ । ପାରଳା ସହରରେ ମହାରାଜାଙ୍କ ୭୮ତମ ଜୟନ୍ତୀ ପାଳନ ତାହାର ଗୋଟିଏ ଉଦାହରଣ ।

୧୮୯୨ ମସିହା ବୈଶାଖ କୃଷ୍ଣ ଅମାବାସ୍ୟା ହେଉଛି କୃଷ୍ଣଚନ୍ଦ୍ରଙ୍କ ଜନ୍ମଦିବସ । ତିଥି ଅନୁକ୍ରମରେ ତାଙ୍କର ଜୟନ୍ତୀ ପଡୁଥିଲା ୧୯୬୯ ମସିହା ଏପ୍ରିଲ୍‍ ୧୭ ତାରିଖ ଦିନ । ପାରଳା ସହରର କିଛି ବରିଷ୍ଠ ବ୍ୟକ୍ତି ସେଇ ସ୍ୱନକ୍ଷତ୍ର ଦିବସ ପାଳନ କରିବା ପାଇଁ ଏବଂ ସେହି ଅବସରରେ ମହାରାଜାଙ୍କୁ ଏକ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ମନସ୍ଥ କରିଥିଲେ । ସେହି କ୍ରମରେ ସହରର ଜନଗଣଙ୍କୁ ଆହ୍ୱାନ ଦିଆଯାଇଥିଲା କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ । ସେହି ଖବର ସମୟକ୍ରମେ କେବଳ ସହର ନୁହେଁ, ଆଖପାଖ ସମଗ୍ର ଅଞ୍ଚଳର ଜନଗଣଙ୍କ ମନରେ ସ୍ୱତଃସ୍ଫୂର୍ତ୍ତ ଉନ୍‌ମାଦନା ସୃଷ୍ଟି କରିଥିଲା । ଠାକୁରଙ୍କ ନିକଟରେ ମହାରାଜାଙ୍କ ଦୀର୍ଘଜୀବନ ପାଇଁ ସାଧାରଣ ଜନତାର କି ଆନ୍ତରିକ ନିବେଦନ ! ସହରର ମଠ, ମନ୍ଦିର ତଥା ଠାକୁରଙ୍କ ନିକଟରେ ଦୃଢ଼ ଧର୍ମବିଶ୍ୱାସୀ ଜନଗଣଙ୍କ ପୂଜାର୍ଚ୍ଚନାର କି ବିପୁଳ ଆୟୋଜନ !

ଏପ୍ରିଲ୍‍ ୧୭ ତାରିଖ ଦିନ ସାରା ସହର ଆନନ୍ଦ କୋଳାହଳରେ ବିସ୍ଫାରିତ ହୋଇଉଠିଥିଲା ମହାରାଜାଙ୍କ ଦୀର୍ଘଜୀବନ କାମନା କରି । ପୁରୀର ଅନୁରୂପ ପାରଳା ସହରର ସାହି, ଗଳି, କନ୍ଦିରେ ପ୍ରତିଷ୍ଠିତ ଅସଂଖ୍ୟ ମଠ ମନ୍ଦିରରେ ଆବାଳ ବୃଦ୍ଧ ବନିତାଙ୍କର ଠାକୁର ମନ୍ଦିରମାନଙ୍କରେ