ପୃଷ୍ଠା:Aama Parala Gajapati.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବଂ ବିଷ୍ଣୁପ୍ରିୟା ଜୀବନର ପ୍ରାଥମିକ ଅବସ୍ଥାରୁ ହିଁ ଉଦ୍ୟମ ଜାରି ରଖିଥିଲେ । ସେମାନଙ୍କ ସେହି ଆଦର୍ଶର ଯଥାର୍ଥ ପ୍ରତିଫଳନ ଥିଲେ କୃଷ୍ଣଚନ୍ଦ୍ର ।

ରାଜକୁମାର ବାଲ୍ୟବୟସରେ ମାତାଙ୍କ କୋଳରେ ବସି ଶୁଣୁଥିଲେ ରାମାୟଣ, ମହାଭାରତର ବୀରତ୍ୱ ପୂର୍ଣ୍ଣ କାହାଣୀସବୁ । ଭାବବିଭୋର ହୋଇଯାଉଥିଲେ ସତ୍ୟନିଷ୍ଠ ବିଷୟଗୁଡ଼ିକର ଅବତାରଣାବେଳେ । ଭୀଷ୍ମଙ୍କର ମହାପ୍ରତିଜ୍ଞା ପାଳନ, ପରମବୀର ପର୍ଶୁରାମଙ୍କ କାହାଣୀ ସାଙ୍ଗକୁ ପାଣ୍ଡବମାନଙ୍କର ବଳବୀର୍ଯ୍ୟ ଗାଥା, କୃଷ୍ଣଙ୍କର ଅଲୌକିକ କାର୍ଯ୍ୟକଳାପ, ସ୍ୱାମୀଙ୍କୁ ଯମ ହାତରୁ ଫେରାଇଆଣିବା ପାଇଁ ସାବିତ୍ରୀଙ୍କର ଅନମନୀୟ ଉଦ୍ୟମ, ସତ୍ୟରକ୍ଷାପାଇଁ ଶ୍ରୀରାମଙ୍କ ବନବାସ, ଦୁଷ୍ଟଙ୍କ ବିନାଶପାଇଁ ରାକ୍ଷସକୁଳ ଉପରେ ଆକ୍ରମଣ, ଧର୍ମରକ୍ଷାପାଇଁ ବିଶେଷ ତତ୍ପରତା ଇତ୍ୟାଦି ରାଜକୁମାରଙ୍କୁ ବିଶେଷ ଆକୃଷ୍ଟ କରୁଥିଲା । ସତେଯେମିତି ସେହିସବୁ କାହାଣୀଗୁଡ଼ିକରେ ରହିଥିବା ଜୀବନଗଠନର ଉପାଦାନଗୁଡ଼ିକ ଆରୋପିତ ହୋଇଯାଉଥିଲା ତାଙ୍କରି ଭିତରେ । ପୁଣି ଭାରତୀୟ ବୀରରାଜା/ରାଜପୁତ୍ର ରାଣାପ୍ରତାପ, ଶିବାଜୀ, ଆକବର, ଟିପୁସୁଲ୍‍ତାନ ମଧ୍ୟ ବାହାରି ଆସୁଥିଲେ ଅନେକ ସମୟରେ ବିଷ୍ଣୁପ୍ରିୟାଦେବୀଙ୍କ କାହାଣୀ ପେଟିକାରୁ । ବେଶ୍‍ ଆମୋଦିତ ହେଉଥିଲେ ଯୁବରାଜ । ଆଗ୍ରହୀ ହୋଇ ଉଠୁଥିଲେ ସେମାନଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାପାଇଁ ।

ସେମିତି ସେମିତି ବିତିଯାଇଥିଲା ପ୍ରାୟ ଚାରିବର୍ଷ । ପଞ୍ଚମ ବର୍ଷରେ ହୋଇଥିଲା ରାଜକୁମାରଙ୍କ କର୍ଣ୍ଣବେଧ (କାନଫୋଡ଼ା) ଉତ୍ସବ ଏବଂ ତତ୍‍ସହିତ ଖଡ଼ିଛୁଆଁ । ଘରୋଇ ଭାବରେ ପ୍ରଥମେ ବିଦ୍ୟା ଶିକ୍ଷାର ଆୟୋଜନକାରୀଙ୍କ ମଧ୍ୟରେ ଥିଲେ ପିତା ଗୌରଚନ୍ଦ୍ରଙ୍କ ବ୍ୟକ୍ତିଗତ ସେକ୍ରେଟାରୀ ମିଷ୍ଟର ଟେଲର୍‍ ଏବଂ ପରିବାରର ଉପଦେଷ୍ଟା ଶ୍ୟାମସୁନ୍ଦର ରାଜଗୁରୁ । ସେମାନଙ୍କ ପରାମର୍ଶ କ୍ରମେ ରାଜକୁମାରଙ୍କ ଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ ଜଣେ ସୁସାହିତ୍ୟିକ ତଥା ପାରଳା ହାଇସ୍କୁଲ୍‍ର ଶିକ୍ଷକ ଶ୍ରୀ ଅପର୍ଣ୍ଣା ପଣ୍ଡା । ସମୟ କ୍ରମେ ଶ୍ରୀଯୁକ୍ତ ରାଜଗୁରୁ ତଥା ମିଷ୍ଟର ଟେଲ୍‍ର କିଶୋର ରାଜକୁମାରଙ୍କ ଶିକ୍ଷାଲାଭ ଦିଗରେ ବିଶେଷ ତ‌ତ୍ପରତା ପ୍ରକାଶ କରିଥିଲେ ଏବଂ ବ୍ୟକ୍ତିଗତ ଭାବରେ ମଧ୍ୟ ସେଥିପାଇଁ ଉଦ୍ୟମ କରିଥିଲେ ।

କିଶୋର କୃଷ୍ଣଚନ୍ଦ୍ରଙ୍କ ବାଲ୍ୟଶିକ୍ଷା ଏକ ନିର୍ଦ୍ଧିଷ୍ଟ ସ୍ତରରେ ପହଞ୍ଚିଯିବା ପରେ ପରେ ମାଧ୍ୟମିକ ଶିକ୍ଷାଲାଭପାଇଁ ତାଙ୍କରି ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ଥାନୀୟ ମହାରାଜା ହାଇସ୍କୁଲ୍‍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରାମର୍ଶଦାତାମାନଙ୍କର ନିର୍ଦ୍ଧିଷ୍ଟ ମତ ଥିଲା ଯେ ରାଜକୁମାର କୃଷ୍ଣଚନ୍ଦ୍ର ତାହାଙ୍କ ପିତୃପରିଚାଳିତ ବିଦ୍ୟାଳୟରେ ରାଜ୍ୟର ଅନ୍ୟାନ୍ୟ ଛାତ୍ରଙ୍କ ସହିତ ଏକତ୍ର ବସି ଅଧ୍ୟୟନ କରିବା ଶ୍ରେୟସ୍କର ହେବ । ଅନ୍ୟାନ୍ୟ ସାଧାରଣ ଛାତ୍ରଙ୍କ ସହିତ ମିଶିବେ, ସାଧାରଣ ଭାବେ ଶିକ୍ଷାଲାଭ କରିବେ, ସେମାନଙ୍କ ସହିତ ଖେଳକୁଦ ମଧ୍ୟ କରିବେ । ପରିଣାମତଃ ତାହାଙ୍କର ଅନ୍ତର୍ନିହିତ ଗୁଣାବଳୀର ସ୍ୱାଭାବିକ ପରିପ୍ରକାଶ ସମ୍ଭବ ହେବ । ସେଭଳି ଭାବରେ ସାଧାରଣ ସ୍କୁଲ୍‍ ଜୀବନ