ପୃଷ୍ଠା:Aama Parala Gajapati.pdf/୨୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାବରେ ପ୍ରଭାବିତ କରିଥିଲା ତାହାଙ୍କୁ । ହେଲେ ମୁଖ୍ୟ ପ୍ରେରଣାଦାତାଙ୍କ ମଧ୍ୟରୁ କେହି ସେତେବେଳେ ନଥିଲେ ।

ଦାଦା ପଦ୍ମନାଭ ଗଜପତି ଥିଲେ ୧୮୬୭ରେ ଜନ୍ମିତ ପିତା ଗୌର ଗଜପତିଙ୍କଠାରୁ ପ୍ରାୟ ପାଞ୍ଚବର୍ଷ ସାନ । କିନ୍ତୁ ୧୯୦୪ ଫେବ୍ରୁଆରି ଚାରି ତାରିଖ ଦିନ ମାତ୍ର ୩୨ ବର୍ଷ ବୟସରେ ସେ ପ୍ରଥମେ ଅକାଳରେ ମୃତ୍ୟୁ ବରଣ କରିଥିଲେ । ତତପରବର୍ଷ ପିତା ଗୌର ଗଜପତି ଦାଦାଙ୍କ ପଥାନୁସରଣ କରିଥିଲେ ସେଇ ଅକାଳରେ । ଜୀବନକାଳ ଭିତରେ ସେଇ ଦୁଇଭାଇଙ୍କ ଭିତରେ ଥିବା କ୍ଷୀର-ନୀରର ସଂପର୍କ ସତେ ଯେମିତି ପରପାରରେ ମଧ୍ୟ ସେମିତି ଅକ୍ଷୁଣ୍ଣ ରଖିବାପାଇଁ ବ୍ୟଗ୍ର ଥିଲେ ।

ଗଜପତି କୃଷ୍ଣଚନ୍ଦ୍ରଙ୍କ ପିତା ଓ ଦାଦାଙ୍କ ମଧ୍ୟରେ ଥିଲା ଅନାବିଳ ସଂପର୍କ । ପଦ୍ମନାଭଙ୍କ ଦିବ୍ୟ ଚେହେରା ଯୋଗୁଁ ତାଙ୍କ ପିତା ପ୍ରତାପରୁଦ୍ର ଦେବ ତାଙ୍କରି ଶ୍ରଦ୍ଧାନାମ ରଖିଥିଲେ ଚନ୍ଦ୍ର । ସେହି କାରଣରୁ ହିଁ ସେ ଚନ୍ଦ୍ର ମହାରାଜା ହିସାବରେ ଜନ ସମାଜରେ ପରିଚିତି ଲାଭ କରିଥିଲେ । ଅଗ୍ରଜ ରାଜ୍ୟ ପରିଚାଳନାର ଦାୟିତ୍ୱ ସ୍ୱାଭାବିକ ଭାବେ ଗ୍ରହଣ କରିଥିବା ବେଳେ ସେ ନିଜେ ରାଜ୍ୟର ସାମାଜିକ ତଥା ସାଂସ୍କୃତିକ ଉନ୍ନତି କଳ୍ପେ ମନଧ୍ୟାନ ସଂପୂର୍ଣ୍ଣ ନିୟୋଜିତ କରିଥିଲେ । ମନେ ରଖିବାର କଥା ଯେ ସେ ନିଜେ ଥିଲେ ଜଣେ ଉଚ୍ଚକୋଟୀର ସାହିତ୍ୟିକ ଏବଂ ନାଟ୍ୟକାର । ସେ ତାହାଙ୍କ ରଚିତ ନାଟକଗୁଡ଼ିକୁ ମଞ୍ଚସ୍ଥ ମଧ୍ୟ କରାଉଥିଲେ ପାରଳାରେ । ସେଥିପାଇଁ ଗୋଟିଏ ଇଂଗମଞ୍ଚ ତୟାର ହୋଇଥିଲା । ସେଠାରେ କେବଳ ତାଙ୍କର ରଚନା ନୁହେଁ, ଅନ୍ୟମାନଙ୍କର ନାଟକଗୁଡ଼ିକ ମଧ୍ୟ ଅଭିନୀତ ହେଉଥିଲା । ସେଠିକାର ପ୍ରତିଷ୍ଠିତ ରଂଗମଞ୍ଚଟି ପ୍ରାକୃତିକ ଓଡ଼ିଶାର ପ୍ରଥମ ଆଧୁନିକ ରଂଗମଞ୍ଚ ବୋଲି ଅନେକ ନାଟ୍ୟ ଆଲୋଚକଙ୍କ ମତ । ତାହା ପଦ୍ମନାଭ ରଂଗାଳୟ ନାମରେ ନାମିତ ହୋଇଥିଲା ଏବଂ ମହାରାଜା କୃଷ୍ଣଚନ୍ଦ୍ର ତାଙ୍କରି ସମୟରେ ତାହାର ଉନ୍ନତିପାଇଁ ଏବଂ ତାହାର ଆଧୁନିକୀକରଣ ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ ।

ବାସ୍ତବରେ ପଦ୍ମନାଭ ତାହାଙ୍କର ସ୍ୱଳ୍ପ ଜୀବନକାଳ ସାହିତ୍ୟ, ସଂଗୀତ ଚର୍ଜା, ଗ୍ରନ୍ଥପ୍ରଣୟନ, ନାଟକ ରଚନା ଓ ଅଭିନୀତ କରାଇବା ଇତ୍ୟାଦି ସାହିତ୍ୟିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ହିଁ ଅତିବାହିତ କରିଥିଲେ । ପୁଣି ରାଜ୍ୟରେ ଜନସମାଜରେ ସାମାଜିକ ଚେତନା ଏବଂ ଜନଜୀବନର ଉନ୍ନତି କଳ୍ପେ ଯେଉଁ ବିଭିନ୍ନ ଉଦ୍ୟମ ଚଳାଇ ରଖିଥିଲେ ତନ୍ମଧ୍ୟରେ ପ୍ରଧାନ ଥିଲା ପାରଳା ସହରରେ ‘ଉତ୍କଳ ହିତୈଷିଣୀ ସମାଜ’ ଗଠନ । ସେହି ଅନୁଷ୍ଠାନ ସମଗ୍ର ଉତ୍କଳୀୟମାନଙ୍କ ଉନ୍ନତି ପାଇଁ ଉଦ୍ଧିଷ୍ଟ ଥିଲା ଏବଂ ସେଇ ଅନୁଷ୍ଠାନ ତରଫରୁ ସେ ନିଜେ ଭାରତୀୟ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନଗୁଡ଼ିକରେ (ପ୍ରାୟ ତିନିଥର) ଯୋଗ ଦେବା ସଙ୍ଗେସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ପ୍ରତିନିଧି ସ୍ୱରୂପ ପ୍ରେରଣ କରୁଥିଲେ । ସେଥିରୁ