ପୃଷ୍ଠା:Aama Parala Gajapati.pdf/୩୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜନୀତିକ ବିଛିନ୍ନ ଗଂଜାମବାସୀଙ୍କ ଓଡ଼ିଶାବାସୀଙ୍କ ସହିତ ମିଶ୍ରଣ ଆକାଂକ୍ଷାର ଉଦ୍‌ବେଳିତ ଉବ୍ଦୀପନାରେ ଭାବବିହ୍ବଳ ହୋଇ ଯାଇଥିଲେ ସମସ୍ତେ; ବିଶେଷକରି ଓଡ଼ିଶାରୁ ଯୋଗଦେଇଥିବା ନେତୃବୃନ୍ଦ । ସେହି ଏକା ଉଦ୍ଦେଶ୍ୟରେ- ସବୁ ଓଡ଼ିଆଙ୍କୁ ଏକତ୍ର କରିବାପାଇଁ କେବଳ ଗଂଜାମ କାହିଁକି ସଂପୂର୍ଣ୍ଣ ଜାତୀୟ ସ୍ତରରେ ତାହାକୁ ବିସ୍ତାରିତ କରାଇବା ଲକ୍ଷ୍ୟ ନେଇ ପୁନର୍ଗଠିତ କରିବାପାଇଁ ତତ୍‌କାଳ ହିଁ ମନସ୍ଥ କରିଥିଲେ ମଧୁବାବୁ । ସତେଯେମିତି ତାଙ୍କରି ମନ ମଧ୍ୟରେ ଆନ୍ଦୋଳିତ ଏକ ପ୍ରଶ୍ନର ସହଜ ଏବଂ ସଠିକ ସମାଧାନ କରିପାରିଥିଲେ ଗଂଜାମବାସୀଙ୍କ ଉଦ୍ଦୀପନା ଦେଖି । ସେଠାରେ ଉପସ୍ଥିତ ସମସ୍ତେ ତାଙ୍କରି ପ୍ରସ୍ତାବକୁ ଆନ୍ତରିକତାର ସହିତ ଗ୍ରହଣ କରିଥିଲେ ସୁଦ୍ଧା ଏବଂ ପରିଣାମତଃ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲେ ସୁଦ୍ଧା ଏବଂ ପୁଣି ସେହି ଅନୁଷ୍ଠାନ ସହିତ ସମସ୍ତେ ଏକାତ୍ମ ହୋଇଥିଲେ ସୁଦ୍ଧା ଗଞ୍ଜାମ ସମ୍ମିଳନୀ ତାହାର ସଭା ବଜାୟ ରଖିଥିଲା ଆହୁରି ଅନେକ କାଳ । ବାସ୍ତବରେ ରମ୍ବାରାଜବାଟୀରୁ ତାହାର ଅୟମାରମ୍ଭ ହୋଇଥିଲା ଏବଂ ସେଥିପାଇଁ ଖଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେଓଙ୍କ ସମେତ ଗଂଜାମର ଶ୍ରୀବତ୍ସ ପଣ୍ଡା, ନୀଳମଣି ବିଦ୍ୟାରତ୍ନ ପ୍ରମୁଖଙ୍କ ସେଥିପାଇଁ ଅବଦାନ ଅବିସ୍ମରଣୀୟ ।

ଗଂଜାମ ଜାତୀୟ ସମିତି ଜନ୍ମ ଦେଇଥିବା ଉତ୍କଳ ସମ୍ମିଳନୀ ପ୍ରତି ଇଂରାଜୀ ବର୍ଷର ଶେଷ ଦିନରେ ପ୍ରାୟ ଅନୁଷ୍ଠିତ ହେଉଥିଲା । ୧୯୦୩ ଡିସେମ୍ବର ୩୦ ତାରିଖ ଦିନ କଟକର ଇଦ୍‌ଗା ପଡ଼ିଆଠାରେ ଅନୁଷ୍ଠିତ ପ୍ରଥମ ଉତ୍କଳ ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ସେଇ କଟକରେ ୧୯୦୪ ଡିସେମ୍ବର ୨୮, ୨୯ରେ ହିଁ ଅନୁଷ୍ଠିତ ହୋଇଥିଲା । ସେଇ ଜନ୍ମସ୍ଥାନରେ ହିଁ ଆଯୋଜିତ ହୋଇଥିଲା ଅନୁଷ୍ଠାନର ଷଷ୍ଠ ( ୧୯୦୮ ଡିସେମ୍ବର) ଏବଂ ସପ୍ତମ ( ୧୯୧୦ ଡିସେମ୍ବର ୩୦,୩୧) ଅଧିବେଶନ । ଓଡ଼ିଶାର ଅନ୍ୟତମ ସହର ବାଲେଶ୍ୱରରେ ତୃତୀୟ ଅଧିବେଶନ ( ୧୯୦୬ ଏପ୍ରିଲ ୧୩, ୧୪) ଅନୁଷ୍ଠିତ ହୋଇଥିବା ବେଳେ ଚତୁର୍ଥ ( ୧୯୦୬ ଡିସେମ୍ବର ୨୬,୨୭) ଏବଂ ଅଷ୍ଟମ (୧୯୧୨ ଏପ୍ରିଲ୍ ୬,୭) ଅଧିବେଶନ‌ଗୁଡ଼ିକର ସ୍ଥାନ ଥିଲା ବ୍ରହ୍ମ‌ପୁର । ପୁଣି ସେହିଭଳି ପୁରୀଠାରେ ପଞ୍ଚମ (୧୯୦୮ ଏପ୍ରିଲ ୧୮-୧୯) ଏବଂ ନବମ ବାର୍ଷିକ ଅଧିବେଶନଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଅତଏବ ଅନୁଷ୍ଠାନର ଜନ୍ମକାଳରୁ ଏଯାବତ୍ ପ୍ରାକୃତିକ ଉତ୍କଳର କେନ୍ଦ୍ରସ୍ଥଳ ରୂପେ ବିବେଚିତ କଟକ, ପୁରୀ, ବାଲେଶ୍ୱର ଓ ବ୍ରହ୍ମପୁର ଭଳି ସହରଗୁଡ଼ିକରେ ଏହାର ସ୍ୱରୂପ ପ୍ରକାଶିତ ହୋଇଥିବା ବେଳେ ଅନୁଷ୍ଠାନର ଦଶମ ଅଧିବେଶନପାଇଁ ସ୍ଥାନ ସ୍ଥିରୀକୃତ ହୋଇଥିଲା ପାରଳାଖେମୁଣ୍ଡି ।

ଏଣେ ଉକ୍ତ ଜାତୀୟ ଅନୁଷ୍ଠାନ ଜରିଆରେ ଦେଶ ମିଶ୍ରଣ ଦାବି ଦୃଢ଼ ଭାବରେ ଉପସ୍ଥାପିତ ହୋଇ ଆସୁଥିବାବେଳେ ତେଣେ ସେଥି ପ୍ରତି ସଂପୂର୍ଣ୍ଣ ଉଦାସୀନ ଇଂରେଜ ସରକାର ୧୯୧୨ ମସିହାରେ ଓଡ଼ିଶା ଡିଭିଜନ‌କୁ ବଙ୍ଗପ୍ରଦେଶରୁ ବିଛିନ୍ନ କରି ବିହାର ସହିତ ସଂଯୁକ୍ତ କରିଥିଲେ ଏବଂ ବିହାର ଓଡ଼ିଶା ହୋଇଥିଲା ଏକ ନୂତନ ପ୍ରଦେଶ । ବାସ୍ତବରେ ତାହା ଥିଲା