ପୃଷ୍ଠା:Aama Parala Gajapati.pdf/୪୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୃଷି ପଶୁପାଳନ କ୍ଷେତ୍ରରେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ସମୁନ୍ନତ ଚିନ୍ତାଧାରା ଏବଂ କାର୍ଯ୍ୟପ୍ରଣାଳୀ ଯଥା ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା । ସମ୍ଭବତଃ ସେହି କାରଣରୁ କୋଏମ୍ବାଟୁର ସରକାରୀ କୃଷି କଲେଜର ଜଣେ ଉପଦେଷ୍ଟା ତଥା ପରିଦର୍ଶକ ହିସାବରେ ସେ ଗୃହୀତ ହୋଇଥିଲେ । ପୁଣି ଦିଲ୍ଲୀ ସ୍ଥିତ ଭାରତୀୟ ରିସର୍ଚ୍ଚ ଫଣ୍ଡ ପରିଷଦର ପରିଚାଳନା ସମିତି ଏବଂ ବୈଜ୍ଞାନିକ ଉପଦେଷ୍ଟା କମିଟିର ସଭ୍ୟ ରୂପେ ମଧ୍ୟ ମନୋନୀତ ହୋଇଥିଲେ । ସବୁଠାରୁ ଅଧିକ ଉଲ୍ଲେଖଯୋଗ୍ୟ ଥିଲା, ୧୯୨୭ ମସିହାରେ ଗଠିତ ଭାରତୀୟ କୃଷି କମିଶନ୍‌ରେ ତାହାଙ୍କୁ ସଭ୍ୟ ମନୋନୟନ । ଭାରତର କୃଷିର ଉନ୍ନତିକଳ୍ପେ ଉପଯୁକ୍ତ ପରାମର୍ଶ ଦେବାପାଇଁ ଗଠିତ, ବିଶେଷ ସମ୍ମାନଜନକ, ରୟାଲ କୃଷି କମିଶନ୍‌ରେ ଗଜପତି ମହାରାଜାଙ୍କୁ ଜଣେ ସଭ୍ୟ ଭାବରେ ଗ୍ରହଣ କରିଥିଲେ ସରକାର । ଉକ୍ତ ରାଜକୀୟ କୃଷି କମିଶନ‌୍‌ରେ ସେ ଥିଲେ ଜଣେ ମାତ୍ର ଭାରତୀୟ ସଭ୍ୟ । ସେହି କମିଟିର ଅଧ୍ୟକ୍ଷ ଥିଲେ ଲର୍ଡ଼ ଲିନ୍ ଲିଥ୍ ଗୋ ।

କୃଷି କମିଶନ୍‌ରେ ଯୋଗଦେଇ ସାରା ଭାରତର ବିଭିନ୍ନ ପ୍ରାନ୍ତରରେ ଉପୁଜୁଥିବା କୃଷି ସମସ୍ୟାଗୁଡ଼ିକର ଅବଗତ ହୋଇପାରିଥିଲେ ସେ । ଜନଗଣଙ୍କ ରକ୍ଷଣଶୀଳ ମନୋଭାବ ଭଳି ଅନେକ ସମସ୍ୟା ଆପଣା ଜମିଦାରିର କୃଷକଙ୍କ ମନୋଭାବର ପ୍ରାୟ ଅନୁରୂପ ଥିଲା । ଉନ୍ନତ ପ୍ରଣାଳୀରେ ଚାଷ, ସାର ପ୍ରୟୋଗ ଇତ୍ୟାଦି ପାଇଁ ବିଶେଷ ଭାବରେ କୁଣ୍ଠିତ ଥିଲେ ଅନେକ ଅଞ୍ଚଳର ଚାଷୀଗଣ । ତତ୍‌ସହିତ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ଚାଷ ପ୍ରଣାଳୀ ତଥା ଆହୁରି କିଛି ଅଞ୍ଚଳରେ ଉତ୍ପାଦିତ ହେଉଥିବା ଅନେକ ଉନ୍ନତ କିସମର ଫସଲ ସଂସ୍ପର୍ଶରେ ଆସିଥିଲେ ମହାରାଜା । ସେହି ବାବଦରେ ଯଥାର୍ଥରେ ଅନେକ ଅଭିଜ୍ଞତା ହାସଲ କରିଥିଲେ ସେ । ସେହି ଗସ୍ତ କାଳରେ ବିଭିନ୍ନ ଅଞ୍ଚଳରୁ କେତେକ ଉନ୍ନତ କିସମର ବିହନ ସାଙ୍ଗରେ ଆଣି ହୋମଫାର୍ମରେ ବ୍ୟବହାର କରି, ତାହାର ଉତ୍ତରୋତ୍ତର ଉନ୍ନତି କରାଇଥିଲେ ଆପଣା ରାଜ୍ୟର ଚାକ୍ଷୀଗଣଙ୍କୁ ଉପକୃତ କରାଇବାପାଇଁ । ପୁଣି ଅନେକ ଅଞ୍ଚଳରେ ଚାଷୀଗଣ ଆପଣା ରାଜ୍ୟର ଅନୁରୂପ ମନୋଭାବ ପୋଷଣ କରୁଥିବା ଲକ୍ଷ୍ୟକରି ରାସାୟନିକ ସାର, କୀଟନାଶକ ଔଷଧ ତଥା ବିଭିନ୍ନ ବୈଜ୍ଞାନିକ ଉଦ୍‌ଭାବନକୁ ଯଥାର୍ଥ ଭାବରେ କୃଷିକ୍ଷେତ୍ରରେ ଉପଯୋଗ କରିବାପାଇଁ ସେମାନଙ୍କର ମନୋଭାବ ପରିବର୍ତ୍ତନ କରାଯାଇ ଅନୁକୂଳ ପରିବେଶ କିପରି ସୃଷ୍ଟି କରାଯାଇପାରିବ ସେଥିପାଇଁ ଅନେକ ସୁଚିନ୍ତିତ ପରାମର୍ଶ ଦେଇଥିଲେ କମିଟିକୁ । ସେଥିରୁ ଅଧିକାଂଶ ପରାମର୍ଶକୁ କମିଟି ମଧ୍ୟ ଗ୍ରହଣ କରିଥିଲେ । ସେଭଳି ପରାମର୍ଶଗୁଡ଼ିକର ପ୍ରଚ୍ଛଦରେ ଥିଲା ଆପଣା ରାଜ୍ୟରେ କୃଷକଙ୍କ ମନୋଭାବକୁ ପରିବର୍ତ୍ତନ ଦିଗରେ ମହାରାଜାଙ୍କର ପ୍ରତ୍ୟକ୍ଷ ଅନୁଭୁତି । ବାସ୍ତବରେ ସେହି ଅନୁଭୂତିମୂଳକ ପରାମର୍ଶଗୁଡ଼ିକ ଦେଶରେ କୃଷି ଉତ୍ପାଦନ ବୃଦ୍ଧି କରାଇବାପାଇଁ ମଧ୍ୟ ବେଶ୍ ଉପଯୁକ୍ତ ମନେ ହୋଇଥିଲା ।