ପୃଷ୍ଠା:Aama Parala Gajapati.pdf/୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାରାୟଣ ଦେବ' ଯୁକ୍ତ ହୋଇଥିଲା । ସେଠାରୁ ରାଜଧାନୀ ପୁରୁଣା ପାଟଣାକୁ ସ୍ଥାନାନ୍ତରିତ ହେବା ପରେ ସେଠାରେ ରାଜତ୍ୱ କରୁଥିବା ଷୋଡ଼ଶ ଏବଂ ସପ୍ତଦଶ ରାଜା ମଧ୍ୟ ଯଥାକ୍ରମେ ମୁକୁନ୍ଦ ଗଜପତି ତଥା ଅନନ୍ତ ପଦ୍ମନାଭ ଗଜପତି ନାରାୟଣ ଦେବ ନାମରେ ସ୍ୱୀକୃତ ଥିଲେ । ତତ୍‍ ପରେପରେ ରାଜଧାନୀ ବର୍ତ୍ତମାନର ପାରଳା ସହରକୁ ସ୍ଥାନାନ୍ତରିତ ହୋଇଥିଲା । ଉଭୟ ରାଜଧାନୀରୁ କିଛିକିଛି କାଳ ରାଜତ୍ୱ କରିଥିବା ବୀର ପ୍ରତାପରୁଦ୍ର ନାରାୟଣ ଦେବଙ୍କଠାରୁ ଆରମ୍ଭ କରି ସେଇ ସିଂହାସନରେ ଶେଷ ରାଜା କୃଷ୍ଣଚନ୍ଦ୍ରଙ୍କ ପର୍ଯ୍ୟନ୍ତ ସମସ୍ତ ସାତଜଣ ରାଜାଙ୍କ ନାମ ସହିତ "ଗଜପତି' ପଦଟି ଯୁକ୍ତ ହୋଇଥିଲା । ତେବେ ବାସ୍ତବରେ "ଗଜପତି' ଶବ୍ଦଟି ସଂପୃକ୍ତ ରାଜନ୍ୟବର୍ଗଙ୍କ ନାମର କେବଳ ଅଂଶ ବିଶେଷ ଥିଲା । ହେଲେ ସେହି ପଦଟି ସତେ ଯେମିତି ଏକ ପଦବୀରେ ପରିଣତ ହୋଇ ଯାଇଥିଲା ମହାରାଜା କୃଷ୍ଣଚନ୍ଦ୍ରଙ୍କ ପାଇଁ । କେବଳ ଖେମଣ୍ଡି ରାଜ୍ୟରେ କାହିଁକି, ସାରା ଓଡ଼ିଶାର ଲୋକେ ଏକ ସମ୍ମାନାସ୍ପଦ ଉପାଧି ଭଳି 'ଗଜପତି' ଶବ୍ଦଟିକୁ ବ୍ୟବହାର କରୁଥିଲେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପାଇଁ । ତାହାଙ୍କୁ ସ୍ମରଣ କରିବାପାଇଁ ପାରଳା ଗଜପତି ହିଁ ଯଥେଷ୍ଟ ହେଉଥିଲା ଏବଂ ଆଜି ମଧ୍ୟ ସେ ସେହିଭଳି ଭାବରେ ହିଁ ଉକ୍ରଳୀୟ ଜନମାନସରେ ପ୍ରତିଷ୍ଠିତ ।

ବାସ୍ତବରେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ଥିଲେ ଗଙ୍ଗବଂଶୀ ସ୍ୱାଭିମାନର ପ୍ରତୀକ । ସେହି ବଂଶର ରାଜାଗଣ ତ୍ରିକଳିଙ୍ଗ ସାମ୍ରାଜ୍ୟ ଗଠନକରି ପୁରାତନ କଳିଙ୍ଗ ରାଜ୍ୟକୁ କେନ୍ଦ୍ର ରୂପେ ନେଇ ଦୁଇଟି ପର୍ଯ୍ୟାୟରେ କଳିଙ୍ଗ ନଗର ରାଜଧାନୀରୁ ରାଜ୍ୟଶାସନ କରିଥିଲେ ଦୀର୍ଘକାଳ । ପ୍ରଥମ ପର୍ଯ୍ୟାୟରେ ସେମାନେ ଯଦିବା ୪୯୮ ମସିହାରୁ କଳିଙ୍ଗ ଶାସନ ଆରମ୍ଭ କରିଥିଲେ ତଥାପି ପ୍ରାୟ ପ୍ରଥମ ୨୦/୨୫ ବର୍ଷ କାଳ ଯୁଦ୍ଧଜନିତ ଅସ୍ଥିରତା ଭିତରେ ରହିବା ପରେ ପ୍ରାୟ ୫୨୦ ମସିହାରୁ ୮୧୦ ମସିହା ପର୍ଯ୍ୟନ୍ତ କଳିଙ୍ଗର ଶାସନକଳକୁ ଅକ୍ତିଆର କରିଥିଲେ । ତତ୍‍‌ପରେ ଦକ୍ଷିଣ କୋଶଳର କେଶରୀ ରାଜାଗଣଙ୍କ ହାତକୁ ଚାଲିଯାଇଥିଲା କଳିଙ୍ଗ/ତ୍ରିକଳିଙ୍ଗର ଶାସନ । କିନ୍ତୁ କିଛି କାଳର ନୀରବତା ପରେ ପୁଣି ୮୯୪ ମସିହାରୁ ସେଇ ଗଙ୍ଗବଂଶୀ ରାଜାଗଣ ପୁଣି ଥରେ କ୍ଷମତା ଅପହରଣ କରି ଆଣିଥିଲେ ସେମାନଙ୍କଠାରୁ । ତତ୍‍‌ପରଠାରୁ ନିରଙ୍କୁଶ ଭାବରେ ସେମାନେ କେବଳ ଶାସନ କରିନଥିଲେ, ତାହାର ଚତୁର୍ଦ୍ଦିଗରୁ ବିସ୍ତୀର୍ଣ୍ଣ ଅଞ୍ଚଳ ଜୟକରି କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ଗଠନ କରିଥିଲେ; ସମଗ୍ର ଭାରତର ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳର ପ୍ରତାପଶାଳୀ ଶାସକ ରୂପେ ପରିଗଣିତ ହୋଇଥିଲେ । ବିଶେଷକରି ସେହି ବଂଶର ସର୍ବାଧିକ ବଳଶାଳୀ ରାଜା ହିସାବରେ ଚୋଡ଼ଗଙ୍ଗଦେବଙ୍କ ନାମ ସହିତ ମହାରାଜାଧିରାଜ/ ତ୍ରିକଳିଙ୍ଗାଧିତି/ ରାଜପରମେଶ୍ୱର ଇତ୍ୟାଦି ଉପାଧିମାନ ଯୁକ୍ତ ହେଉଥିଲା ।

ସେହି ଭାରତ ବିଖ୍ୟାତ ଗଙ୍ଗବଂଶର ଉତ୍ପତ୍ତି କାହିଁ କେଉଁ ସୁଦୂର ଅତୀତରେ ଗଙ୍ଗାନଦୀ କୂଳରୁ ହୋଇଥିଲା । ସମ୍ଭବତଃ ସେଇଥିାଇଁ ହିଁ ସେହି ବଂଶର ସେହିଭଳି ନାମକରଣ ।

୮ ଆମ ପାରଳା ଗଜପତି