ପୃଷ୍ଠା:Aama Parala Gajapati.pdf/୭୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତିନି କମିଟି ଓ ମହାରାଜା

ଫିଲଫ୍ ଡଫ୍ କମିଟି ସୁପାରିଶ ୧୯୨୪ ଡିସେମ୍ବରରେ ସରକାର ପାଇବା ପରେ ପରେ ତ‌ତ୍ ସଂପର୍କରେ ବିଶଦ ଭାବରେ ତର୍ଜମା ହୋଇଥିଲା ଉଚ୍ଚତମ ମହଲରେ । ତ‌ତ୍‌ପରେ ୧୯୨୬ ମସିହାରେ ତତ୍‌ସହିତ ସଂପୃକ୍ତ ମାନ୍ଦ୍ରାଜ ସରକାରଙ୍କର ମତାମତ ଲୋଡ଼ାଯାଇଥିଲା । ସ୍ୱତନ୍ତ୍ର ପ୍ରଦେଶରେ ତତ୍‌କାଳୀନ ଗଂଜାମ ଜିଲ୍ଲାରେ ଥିବା ପାଞ୍ଚଟି ଡିଭିଜନର ୧୪ଟି ତାଲୁକା ମଧ୍ୟରୁ ଘୁମୁସର ( ଘୁମୁସର, ଆସିକା, ସୋରଡ଼ା ତାଲୁକା) ଏବଂ ଛତ୍ରପୁର (ଛତ୍ରପୁର, କୋଦଳା) ଡିଭିଜନ୍ ସଂପୂର୍ଣ୍ଣ ସାମିଲ୍ ହେବାପାଇଁ ନିର୍ବାରିତ ହୋଇଥିଲା । ଅନ୍ୟ ତିନିଟି ଡିଭିଜନ-ବ୍ରହ୍ମପୁରର(ବ୍ରହ୍ମପୁର, ସୋମ‌ପେଣ୍ଠ, ଇଚ୍ଛାପୁର) ସୋମପେଣ୍ଠ, ଶ୍ରୀକାକୁଲମ୍‌ର (ଶ୍ରୀକାକୁଲ୍‌ମ, ଟିକାଲି, ପାରଳାଖେମୁଣ୍ଡି) ପାରଳାଖେମୁଣ୍ଡି ଓ ଟିକାଲି ଏବଂ ଏଜେନ୍‌ସି ଡିଭିଜନ୍‌ର (ବାଲିଗୁଡ଼ା, ରାମଗିରି, ଉଦୟଗିରି) ରାମଗିରି ତାଲୁକାଗୁଡ଼ିକ ବ୍ୟତୀତ ଅନ୍ୟ ତାଲୁକାଗୁଡ଼ିକର ନୂତନ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ହେବ ବୋଲି ଅପାତତଃ ସ୍ଥିର ହୋଇଥିଲା । ତେଣୁ ମୋଟ ଦଶଟି ତାଲୁକାକୁ ବାଦଦେଇ ଅନ୍ୟ ଚାରୋଟି ତାଲୁକା- ସୋମପେଣ୍ଠ, ପାରଳାଖେମୁଣ୍ଡି, ଟିକାଲି ଏବଂ ରାମଗିରି ଅଞ୍ଚଳରେ ବସବାସକରି ରହୁଥିବା ତେଲୁଗୁଭାଷୀ ଜନଗଣଙ୍କ ମତାମତ ସଂଗ୍ରହକରି ସେମାନେ ବାସ୍ତବରେ ନୂତନ ଓଡ଼ିଶା ସହିତ ମିଶ୍ରଣର ସପକ୍ଷ କିମ୍ବା ବିପକ୍ଷବାଦୀ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିବାପାଇଁ ମାନ୍ଦ୍ରଜ ସରକାରଙ୍କୁ ଜଣାଇ ଦିଆଯାଇଥିଲା । ସେତିକିବେଳେ ମଧ୍ୟ (କେନ୍ଦ୍ର) ପ୍ରଦେଶର ଖଡ଼ିଆଳକୁ ଓଡ଼ିଶା ସହ ଯୁକ୍ତ କରାଯିବାର ପ୍ରସ୍ତାବ ରହିଥିବା ବେଳେ ବିଶାଖାପାଟଣା ଜିଲ୍ଲାକୁ ପୂର୍ବଭଳି ମାନ୍ଦ୍ରାଜ ସହିତ ରହିବା ଲାଗି ଆପାତତଃ ସ୍ଥିର କରାଯାଇଥିଲା ।

ବିଭିନ୍ନ ଅଞ୍ଚଳପାଇଁ ସେଭଳି ମତାମତ ଲୋଡ଼ାଯିବାର ମୂଳ କାରଣ ଥିଲା ପ୍ରଥମରୁ ଗଞ୍ଜାମ ଅଞ୍ଚଳକୁ ବିଛିନ୍ନ କରିବାପାଇଁ ମାନ୍ଦ୍ରାଜ ସରକାରଙ୍କ ନକରାତ୍ମକ ମନୋଭାବ । ମାନ୍ଦ୍ରଜ ସରକାର କେନ୍ଦ୍ରକୁ ସ୍ପଷ୍ଟ ଭାବରେ ଜଣାଇ ଦେଇଥିଲେ ଯେ ସେମାନଙ୍କ ପୂର୍ବମତ ପରିବର୍ତ୍ତନର କୌଣସି କାରଣ ନାହିଁ । ସେହି ସଂପର୍କରେ ମାନ୍ଦ୍ରାଜ ସରକାରଙ୍କ ଯୁକ୍ତି ଥିଲା ଅତ୍ୟନ୍ତ ହାସ୍ୟାସ୍ପଦ ।