ପୃଷ୍ଠା:Aama Parala Gajapati.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାରତର ଅନ୍ୟତମ ବିଶିଷ୍ଟ ଇତିହାସବିଦ୍‍ ଭି.ଭି. ମିରାଶୀ ତଥା ବି.ଭି. କେ. ରାଓଙ୍କ ସହିତ ମତ ମିଳାଇ ୪୯୮ ଖ୍ରୀଷ୍ଟାବ୍ଦକୁ ହିଁ ଗ୍ରହଣ କରିଥିବା ବେଳେ ଅନ୍ୟତମ ଉତ୍କଳୀୟ ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାକୁ ୪୯୬ ବୋଲି ଦୃଢ଼ ମତ ପୋଷଣ କରନ୍ତି । ସେ ଯାହାହେଉ, ସେହି ସମୟରେ ହିଁ ହରିସେନାଙ୍କ ସହାୟତାକ୍ରମେ କଳିଙ୍ଗରେ ଗଙ୍ଗବଂଶର ଉତ୍‍ଥାନ ସହିତ ନୂତନ କରି ତ୍ରିକଳିଙ୍ଗ ରାଜ୍ୟ ମଧ୍ୟ ଗଠିତ ହୋଇଥିଲା । ରାଜଧାନୀ ହୋଇଥିଲା 'ଦନ୍ତପୁର' । ତାହା ବର୍ତ୍ତମାନର ଆନ୍ଧ୍ରପ୍ରଦେଶାନ୍ତର୍ଗତ ଚିକାକୋଲ ରେଳଷ୍ଟେସନ୍‍ ନିକଟବର୍ତ୍ତୀ ଏରେଣ୍ଡାପଲ୍ଲୀ ତଥା ଅମୁଦଲବାଲ୍‍ସା ପାଶ୍ୱର୍ସ୍ଥ 'ଦନ୍ତଭରପୁକୋଟା' ।

ଅନେକ ଉତ୍‍ଥାନ ପତନ ଭିତରେ ପଡେ଼ାଶୀ ରାଜ୍ୟଗୁଡ଼ିକର ବାରମ୍ବାର ଆକ୍ରମଣ ତଥା ପ୍ରତି ଆକ୍ରମଣକୁ ପ୍ରତିହତ କରି ଗଙ୍ଗାରାଜାଗଣ ତ୍ରିକଳିଙ୍ଗର ଶାସନ କ୍ଷମତା ନିଜ ଦଖଲରେ ହିଁ ରଖିବାରେ ସମର୍ଥ ହୋଇଥିଲେ । ରାଜଧାନୀ ଦନ୍ତପୁରରୁ କଳିଙ୍ଗନଗରକୁ ସ୍ଥାନାନ୍ତର ହୋଇଥିଲା । ବର୍ତ୍ତମାନର ବଂଶଧାରା ନଦୀ ଉପକୂଳବର୍ତ୍ତୀ ମୁଖଲିଙ୍ଗମ୍‍ ଓ ନଗରୀ କଟକ ମଧ୍ୟବର୍ତ୍ତୀ ଅଞ୍ଚଳ ହିଁ ଥିଲା କଳିଙ୍ଗ ନଗର । ସେଠାରୁ ପ୍ରଥମ ପାଦର ଗଙ୍ଗରାଜାଗଣ ପ୍ରାୟ ତିନିଶହ ବର୍ଷକାଳ (ପ୍ରାୟ ୮୧୦ ମସିହା ପର୍ଯ୍ୟନ୍ତ) ତ୍ରିକଳିଙ୍ଗ ନାମରେ ନାମିତ ସମଗ୍ର କଳିଙ୍ଗ ଅଞ୍ଚଳକୁ ରାଜତ୍ୱ କରିଥିଲେ । ସେଇ ପ୍ରଥମ ପାଦର ଶେଷରାଜା ଚତୁର୍ଥ ଦେବେନ୍ଦ୍ର ବର୍ମା (୮୦୧-୮୧୦)ଙ୍କ ପରେପରେ ତ୍ରିକଳିଙ୍ଗର ରାଜନୈତିକ ପଟ୍ଟଭୂମିରୁ ଗଙ୍ଗରାଜତ୍ୱ କିଛିକାଳପାଇଁ ଅପସାରିତ ହୋଇଯାଇଥିଲା । ତାର ଏକ ମୁଖ୍ୟ କାରଣ ଥିଲା ସେତେବେଳେ ଦକ୍ଷିଣ କୋଶଳରେ ରାଜତ୍ୱ କରୁଥିବା କେଶରୀବଂଶୀୟ ରାଜନ୍ୟବର୍ଗଙ୍କ କ୍ଷମତା ବୃଦ୍ଧି । ଆପାତତଃ ସେହି ବଂଶର ଯଯାତିକେଶରୀ ସହଜରେ ତ୍ରିକଳିଙ୍ଗ ଅଧିକାର କରି 'ତ୍ରିକଳିଙ୍ଗାଧିତି' ଉପାଧିରେ ଭୂଷିତ ହୋଇଥିଲେ ଏବଂ ପରେପରେ ତାହାଙ୍କର ଉତ୍ତରାଧିକାରୀଗଣ ମଧ୍ୟ ।

ହେଲେ ସେହି ଶତାବ୍ଦୀର ଶେଷ ପାଦରେ ଗଙ୍ଗରାଜା ବଜ୍ରହସ୍ତା- ପ୍ରଥମ (୮୯୪-୯୩୮) ପୁଣି ଥରେ କେଶରୀ ରାଜାଙ୍କଠାରୁ କଳିଙ୍ଗ ଅଞ୍ଚଳ ଦଖଲ କରିନେଇଥିଲେ । ଏବଂ ସେଇ ପୁରାତନ କଳିଙ୍ଗନଗରରୁ ହିଁ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ସେତିକି ବେଳକୁ, ପ୍ରଥମ ପାଦର ଗଙ୍ଗ ରାଜାମାନଙ୍କ ଅପସାରଣ ପରେ ପରେ, କଳିଙ୍ଗ ଅଞ୍ଚଳଟି ପାଞ୍ଚ ଭାଗରେ ବିଭକ୍ତ ହୋଇଯାଇଥିଲା ଏବଂ ଗଙ୍ଗରାଜାଗଣ ମଧ୍ୟ ପାଞ୍ଚ ଭାଗରେ ବିଭାଜିତ ହୋଇ ସେଇ ବିଭିନ୍ନ ଅଞ୍ଚଳରେ ଶାସନ କରିଥିଲେ ଏବଂ ସମ୍ଭବତଃ କେଶରୀ ରାଜାଗଣଙ୍କ ଅଧୀନତା ସ୍ୱୀକାର କରିଥିଲେ ସେମାନେ । ଗଙ୍ଗରାଜା ବଜ୍ରହସ୍ତା କଳିଙ୍ଗ ଅଧିକାର କରିବା ପରେ ପରେ ସେଇ ବିଭାଜିତ ଅଞ୍ଚଳଗୁଡ଼ିକର ଏକୀକରଣ ପାଇଁ ପୁଣି ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କରି ଶାସନକାଳ ପରେ ମଧ୍ୟ ସେଇ ଉଦ୍ୟମ ଜାରି ରହିଥିଲା ଏବଂ ଇତିହାସ ସୃଷ୍ଟିକାରୀ ମହାପରାକ୍ରମୀ ଅନନ୍ତ ବର୍ମା ଚୋଳ ଗଙ୍ଗଦେବ (୧୦୭୮-୧୧୪୭)ଙ୍କ ଅମଳରେ ବିଶାଳ କଳିଙ୍ଗ ସାମ୍ରାଜ୍ୟ ଗଠିତ

୧୦ ଆମ ପାରଳା ଗଜପତି