ପୃଷ୍ଠା:Aama Parala Gajapati.pdf/୯୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିନ୍ତୁ ମହାରାଜା ସେତେବେଳେ ଓଡ଼ିଶାର ବାସିନ୍ଦା ନଥିଲେ । ସେ ଥିଲେ ମାନ୍ଦ୍ରାଜ ଶାସନାନ୍ତର୍ଗତ ପାରଳାଖେମଣ୍ଡି (ଗଞ୍ଜାମ ଜିଲ୍ଲା)ର ବାସିନ୍ଦା । ତେବେ ମହାରାଜାଙ୍କ ଅଧୀନରେ ଥିବା ଗୋଟିଏ ଛୋଟିଆ ଜମିଦାରୀ ଅଞ୍ଚଳ ପୁରୀ ଜିଲ୍ଲାର ଡେଲାଙ୍ଗ- ଥିଲା ଓଡ଼ିଶା ଡିଭିଜନ୍ ଅନ୍ତର୍ଗତ । ତେଣୁ ତାହାର ଜମିଦାର ହିସାବରେ ସେ ଓଡ଼ିଶାବାସୀ ରୂପେ ଗୃହୀତ ହୋଇଥିଲେ । ସେ ମଧ୍ୟ ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର କେନ୍ଦ୍ରବିନ୍ଦୁରେ ଥାଇ ସରକାରୀ ସ୍ତରରେ ବିଶେଷ ଭାବେ ଜଣାଶୁଣା ହୋଇସାରିଥିଲେ । ପୁଣି ଜଣେ ସାଧାରଣ ରାଜଭକ୍ତ ଜମିଦାର ହିସାବରେ ମଧ୍ୟ ଇଂରେଜ ସରକାରଙ୍କ ସୁଦୃଷ୍ଟି ଆକର୍ଷଣ କରିପାରିଥିଲେ ସେ । ତାହାଙ୍କୁ ମନୋନୟନ କରାଯିବା ପଶ୍ଚାତରେ ସର୍ବାପେକ୍ଷା ଅଧିକ ଆକର୍ଷଣୀୟ ଯୁକ୍ତି ଥିଲା ତାଙ୍କରି ନେତୃତ୍ୱରେ ରାଜକୀୟ କମିଶନ- ସାଇମନ୍ କମିଶନଙ୍କୁ ସ୍ୱାଗତ ଜଣାଇବା । ସମଗ୍ର ଦେଶରେ ସର୍ବତ୍ର ସେହି କମିଶନ ପ୍ରତ୍ୟାଖ୍ୟାତ ହୋଇଥିବା ବେଳେ କେବଳ ଓଡ଼ିଶା ଓ ଓଡ଼ିଆଙ୍କ ତରଫରୁ ସେଭଳି ସ୍ୱାଗତ କରାଯାଇଥିଲା ଏବଂ ତାହାର ନେତୃତ୍ୱ ନେଇଥିଲେ ଖୋଦ୍ ମହାରାଜା ।

ସେଭଳି ମନୋନୟନରେ ଓଡ଼ିଶା ଆନ୍ଦୋଳନକାରୀ ନେତୃବୃନ୍ଦ ବିଶେଷ ଉତଫୁଲ୍ଲିତ ହୋଇଥିଲେ । ୧୯୩୦ ଅକ୍ଟୋବର ୧୮ ତାରିଖ ଦିନ ସେଥିପାଇଁ କଟକର ଶ୍ରୀରାମଚନ୍ଦ୍ର ଭବନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ଅନ୍ୟପକ୍ଷରେ ଗୋଲଟେବୁଲ୍ ବୈଠକ ସହ ଅସହଯୋଗ କରୁଥିବା କଂଗ୍ରେସ କର୍ମୀମାନେ ମହାରାଜାଙ୍କୁ କଳାପତାକା ପ୍ରଦର୍ଶନ କରି ‘ପାରଳା ଫେରିଯାଅ' ଧ୍ୱନିମାନ ଦେଇଥିଲେ ।

ହେଲେ ସେଥିରେ ଅବିଚଳିତ ମହାରାଜା ବୀର ବିକ୍ରମରେ ବାସ୍ତବ ସମସ୍ୟାର ସମସ୍ତ ଦିଗକୁ ଗଭୀର ଅନୁଶୀଳନପୂର୍ବକ ବଳିଷ୍ଠ ତଥ୍ୟଯୁକ୍ତ ସ୍ମାରକପତ୍ରଟିଏ ପ୍ରସ୍ତୁତ କରିଥିଲେ ବୈଠକପାଇଁ ।

ପି.ଏଣ୍ଡ କୋ. କଂପାନୀର ଏକ ଜଳଜାହାଜରେ ମହାରାଜା ଭାରତରୁ ଯାଇ ଲଣ୍ଡନରେ ପହଞ୍ଚିଲା ବେଳକୁ ବୈଠକର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇସାରିଥିଲା । ଓଡ଼ିଆଙ୍କ ସମସ୍ୟା ସେଠାରେ ଉପସ୍ଥାପନପାଇଁ କୌଣସି କାର୍ଯ୍ୟକ୍ରମ ସେଥିରେ ସ୍ଥାନିତ ହୋଇ ନ ଥିଲା । ତେଣୁ ସେ ଅନୁଭବ କରିଥିଲେ ଯେ ଯଦି ଏକକୋଟି ଓଡ଼ିଆଙ୍କ ଦୁର୍ଦ୍ଦଶା ସେଠାରେ ଉପସ୍ଥାପିତ କରିବାପାଇଁ ସୁଯୋଗ ପାଇ ପାରିବେ ନାହିଁ ତାହେଲେ ସେହି ବୈଠକରେ ଯୋଗଦାନର କୌଣସି ମୂଲ୍ୟ ରହିବ ନାହିଁ । ସେହି କାରଣରୁ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା ଭାରତ ବିଭାଗ ସଚିବ ଏବଂ ବୈଠକ ସହିତ ସଂପୃକ୍ତ ବିଭିନ୍ନ ଅଧିକାରୀଗଣଙ୍କ ନିକଟରେ ପହଞ୍ଚିଥିଲେ । ସେ ଚେଷ୍ଟା କରିଥିଲେ ଆପଣା ଉଦ୍ଦେଶ୍ୟର ସଫଳ ରୂପାୟନ ପାଇଁ । ସବୁ ପଦାଧିକାରୀଙ୍କ ହୃଦ୍‌ବୋଧ କରାଇ ଦେଇଥିଲେ ଯେ ବ୍ରିଟିଶ୍ ଶାସନରେ ଥାଇ ଅତି ଦୁଃଖରେ କାଳାତିପାତ କରୁଥିବା ଗୋଟିଏ ନିର୍ଦ୍ଦିଷ୍ଟ ଭାଷାଭାଷୀ