ପୃଷ୍ଠା:Anabana.pdf/୧୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆଠଗଡର ପିଲା

ନିଘୋଡ ନିଦରେ ଶୋଇ ରାତି ଆଠଟାରେ
ସ୍ୱପ୍ନରେ ଦେଖିଲା ଯାହା ହେଉଛି ସେଠାରେ

ଆଠଜଣ କାଠୁରିଆ କାଟୁଛନ୍ତି କାଠ
ଆଠ ଗୋଟିପୁଅ ମିଶି କରୁଛନ୍ତି ନାଟ ।

ଅକ୍ଟୋପସ ବସିଛି ଆଠ ହାତ ଖୋଲି
ଆଠଟି ସମୁଦ୍ର ଜୀବ ଧରିନେବ ବୋଲି ।

ସମ୍ମୁଖରେ ଅଷ୍ଟଧାତୁ ଦେବୀ ପ୍ରତିମାର
ଅଷ୍ଟ ଅବଧାନୀ କରେ ସାଷ୍ଟାଙ୍ଗ ଜୁହାର ।

ଏତେବେଳେ ଆଠଜଣ ଚିରଗୁଣୀ ଆସି
ଆଠଟି ଡ଼ାହାଣୀ ଆଠ ଭୂତ ସଙ୍ଗେ ମିଶି
ଡ଼ରାଇଲେ ନାଚିକୁଦି ତା ସ୍ୱପ୍ନ ଭିତରେ
ଚମକି ଉଠିଲା ପିଲା ନିଦ ବାଉଳାରେ ।

ଆଖିଖୋଲି ଦେଖିନେଲା ଚାରିଆଡ଼େ ତାର
ଜଗି ରହିଛନ୍ତି ତାକୁ ଆଠ ଦିକ୍‌ପାଳ ।

ଏଥରକ ଆଉ କିଛି ଭୟ ନାହିଁ ଜାଣି
ନିଦରେ ନିଦକ ହୋଇ ଶୋଇଗଲା ପୁଣି ।

ଅନାବନା ୧୦