Jump to content

ପୃଷ୍ଠା:Arkakshetra konark.pdf/୨୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଗଳ୍ପଟିର ମୂଳ ବକ୍ତବ୍ୟ: ଅନେକ ସମୟରେ ଗମ୍ଭୀର ସମସ୍ୟାର ସହଜ ସମାଧାନ ଥାଏ ହାତ ପାହାନ୍ତାରେ, ଯାହା ବିଶେଷଜ୍ଞଙ୍କ ବିଶେଷ ଦୃଷ୍ଟିଭଙ୍ଗୀକୁ ଏଡେ଼ଇ ଯାଇଥାଏ ।

କୃପାସିନ୍ଧୁଙ୍କ ବୟାନ ଅନୁଯାୟୀ, ଶିବେଇ ସାଁତରା ତାଙ୍କ ସମସ୍ୟାର ସମାଧାନପାଇଁ ଲିଆଖିଆ ମୁହାଣରେ ରାମଚଣ୍ଡୀଙ୍କ ନିକଟରେ ଅଧିଆ ପଡ଼ିଥିଲେ, ତେଣୁ ଦେବୀ ବୁଢ଼ୀ ବେଶରେ ଆସି ତାଙ୍କ ସମସ୍ୟାର ସମାଧାନ କରିଦେଲେ । (ପୃ.୧୧୬)

କୃପାସିନ୍ଧୁ ପୃଷ୍ଠା ୩୪ରେ ଆଉ ଗୋଟିଏ କିମ୍ବଦନ୍ତୀ ଉଦ୍ଧାର କରି କହିଛନ୍ତି, କଳାପାହାଡ଼ ଯେତେବେଳେ ରାମଚଣ୍ଡୀଙ୍କ ମନ୍ଦିର ଅପବିତ୍ର କରିବାକୁ ବସିଲା (କୃପାସିନ୍ଧୁଙ୍କ ମତରେ ପୁରାତନ ସୂର୍ଯ୍ୟ ମନ୍ଦିରଟି ରାମଚଣ୍ଡୀ ମନ୍ଦିର) ଦେବୀ ସେତେବେଳେ କଳସ ଧରି ସେଠାରୁ ଖସି ଯାଇ ଲିଆଖିଆ ମୁହାଣରେ କଳସ ସହ ଭାସିବାକୁ ଲାଗିଲେ । ଏ କିମ୍ବଦନ୍ତୀ ସତ ହେଲେ, କଳାପାହାଡ଼ ଆସିବା ପରେ ଲିଆଖିଆ ମୁହାଣରେ ରାମଚଣ୍ଡୀ ମନ୍ଦିର ହେଲା । ତେବେ ଏ ଘଟଣାର ବହୁ ପୂର୍ବେ ଶିବେଇ ସାଁତରା କିପରି ଲିଆଖିଆ ମୁହାଣରେ ଦେବୀଙ୍କ ନିକଟରେ 'ଧାରଣା' ଦେଇଥିଲେ ? ପୁଣି କାବ୍ୟ ଚିନ୍ତାରେ ଐତିହାସିକ ବ୍ୟାଘାତ ! ଏ କିମ୍ବଦନ୍ତୀର ଐତିହାସିକ ମୂଲ୍ୟ ଯାହା ଥାଉ, ଜାଉଖିଆ ଗଳ୍ପଟିରେ ଉତ୍କୃଷ୍ଟ କାବ୍ୟ ସମ୍ଭାବନା ଅଛି । ପରିତାପର ବିଷୟ, ସେ ସମୟର ଚାରଣ କବି, ଏ ଦେବୀଙ୍କ ପରବର୍ତ୍ତୀ କାର୍ଯ୍ୟ ପାଇଁ ଢ଼ଗ ଗଢ଼ିଥିଲେ ମଧ୍ୟ ଜାଉଖିଆ ଗଳ୍ପନେଇ କୌଣସି ରସସିକ୍ତ ପଦ ବାନ୍ଧି ନାହାନ୍ତି !! ଚାରଣ କବି କିନ୍ତୁ ପରବର୍ତ୍ତୀ ସମୟରେ ଏ ଅକୃତକାର୍ଯ୍ୟତା, ସୁଧେମୂଳେ ଅସୁଲ କରି ଦେଇଛନ୍ତି ।

ଏ ଗଳ୍ପର ଅନ୍ୟ ଗୋଟିଏ ପାଠାନ୍ତର ଦେଇଛନ୍ତି କରୁଣାସାଗର, ଯେଉଁଥିରେ ବୁଢ଼ୀ ନୁହଁ; ଜଣେ ବୁଢ଼ା, ବୁଦ୍ଧି ଶିଖେଇଥିଲେ ଶିବେଇ ସାଁତରାଙ୍କୁ । (Konark-V-I-P.93) । ଆହୁରି ରସଭଙ୍ଗ କରିଛନ୍ତି ଐତିହାସିକ କରୁଣାସାଗର ୧୧୫ ପୃଷ୍ଠାରେ ଉପସ୍ଥାପିତ Reference-2 ରେ । ଚନ୍ଦ୍ରଗୁପ୍ତ ପ୍ରଥମେ ନନ୍ଦରାଜାଙ୍କ ସହିତ ପାରି ଉଠୁ ନଥିଲେ କାରଣ ସେ ସିଧା ସଳଖ ନନ୍ଦଦୁର୍ଗ ଆକ୍ରମଣ କରୁଥିଲେ । ଦିନେ ବାଟ ଚାଲୁ ଚାଲୁ ଶୁଣିଲେ, ଜଣେ ରମଣୀ ତାହାର ଟିକି ପିଲାକୁ ଶାସନ କରି କହୁଛି, "ତୁ ଚନ୍ଦ୍ରଗୁପ୍ତ ଭଳି ମଝିରୁ ଖାଉଛୁ' । ଚନ୍ଦ୍ରଗୁପ୍ତଙ୍କର ଚେତା ପଶିଲା, ସେ ନନ୍ଦ ସାମ୍ରାଜ୍ୟର ଦୂର ଦୂର ସ୍ଥାନରୁ ଆକ୍ରମଣ କରି ଶେଷରେ ବିଜୟ ହାସଲ କଲେ । (ପରିଶିଷ୍ଟ ପର୍ବଂ-VIII, 290-6)

କଳାପାହାଡ଼ର ତୃଷ୍ଣା :

"ଭଲା ରାମଚଣ୍ଡୀ ଭଲା ରେ !
କଳାପାହାଡ଼କୁ ଦୁଆରେ ବସେଇ
ଭଲା ପାଣି ଆଣି ଗଲାରେ ।"
ନାମହୀନ ଚାରଣ କବି ଆଉ ଗୋଟିଏ ଅନବଦ୍ୟ କବିତା ରଖି ଯାଇଛନ୍ତି ।
"ଅଇଲା କଳାପାହାଡ଼
ଭାଙ୍ଗିଲା ଲୁହାର ବାଡ଼
ପିଇଲା ମହାନଦୀ ପାଣି
ସୁବର୍ଣ୍ଣ ଥାଳିରେ ହେଡ଼ା ପରଷିଲେ
ମୁକୁନ୍ଦ ଦେବଙ୍କ ରାଣୀ ।"

ପରବର୍ତ୍ତୀ ସମୟରେ କେହି ଜଣେ 'ହେଡା' ପରିବର୍ତ୍ତେ 'ହୀରା' ବସେଇ ଦେଇଥିଲେ ।

କବିତା ଦୁଇଟିକୁ 'ଅନବଦ୍ୟ' କହିଥିବାରୁ କିଛି ସୁଧୀ-ପାଠକ ନିଶ୍ଚୟ ନାସିକା କୁଞ୍ଚନ କରିବେ, କିନ୍ତୁ ଗୋଟିଏ ବିଷୟ ମନେ ରଖିବାକୁ ହେବ; କୌଣସି ଲିଖିତ ଦଲିଲ ନାହିଁ, କଥାରେ କାରୁକାର୍ଯ୍ୟ ନାହିଁ, କିନ୍ତୁ ସହଜ ଛନ୍ଦ, ସରଳ ଶବ୍ଦ ଚୟ ଓ ସର୍ବୋପରି ନିଷ୍ଠୁର ସତ୍ୟ କଥନ ଯୋଗୁଁ ଶହ ଶହ ବର୍ଷ ଧରି ଜନମାନସରେ ସ୍ଥାୟୀ ହୋଇ ଯାଇଛି କବିତାର କଥାବସ୍ତୁ, କିନ୍ତୁ ଓଡ଼ିଶା ପାଇଁ ଶ୍ଲାଘାର ବସ୍ତୁ ନୁହେଁ ।

ଯେଉଁ ଚଣ୍ଡୀଦେବୀଙ୍କର ଅକାଳବୋଧନ କରି ପ୍ରଭୁ ରାମଚନ୍ଦ୍ର ରାବଣ ବଧ କରିଥିଲେ, ତାଙ୍କ ପାଖରେ କଳାପାହାଡ଼ ତୁଚ୍ଛ ମଣିଷ, ସେ କାହିଁକି ଲୁଚି ପଳେଇବେ ? ହୁଏତ କଳାପାହାଡ଼ର ବିଭୀଷିକା, ମଣିଷ ମନରେ ଏପରି ଗଭୀର ରେଖାପାତ କରିଥିଲା, ଗୋଟିଏ ପଳାୟପନ୍ଥୀ

ମନୋବୃତ୍ତି ଆସି ଯାଇଥିଲା ସମାଜରେ ।

୨୩୨ . ଅର୍କକ୍ଷେତ୍ର କୋଣାର୍କ