ପୃଷ୍ଠା:Arkakshetra konark.pdf/୨୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ତିରିଶ ଓ ଚାଳିଶ ଦଶକର ଆଉ ଜଣେ ପ୍ରତିଭାଧର କବି ସଚ୍ଚିଦାନନ୍ଦ ରାଉତରାୟ ଯାହାଙ୍କର ଲେଖନୀ ପରବର୍ତ୍ତୀ ପାଞ୍ଚ ଦଶକ ସକ୍ରିୟ ଥିଲା । ସଚ୍ଚିରାଉତରାଙ୍କ "କୋଣାର୍କ' ଦୃଶ୍ୟତଃ ବାମପନ୍ଥୀ ଚିନ୍ତା ଧାରାରେ ରଞ୍ଜିତ, ତେବେ କାବ୍ୟଗୁଣରେ ଅନବଦ୍ୟ । ଆଜିକାର ବହୁ ପ୍ରତିଷ୍ଠିତ କବି, ଲୋକମାନସରୁ ଉଭେଇ ଯିବା ପରେ ମଧ୍ୟ "କୋଣାର୍କ' ରହିଯିବ ଭାସ୍ୱର । ଯେଉଁ, "କୋଟି କଂକାଳ ଭଗ୍ନ ବୁକୁର ସ୍ତୂପ' କବି ଦେଖùଥିଲେ କୋଣାର୍କ ଦେଉଳରେ, ତାହା ଇତିହାସର ସତ୍ୟ ନ ହୋଇପାରେ; ଧର୍ମପଦ ଓ ତାହାର ମନ୍ଦିର ଶୀର୍ଷରୁ ଜଳକୁ ଲମ୍ଫଦେବା ମଧ୍ୟ ଇତିହାସର ସତ୍ୟ ନ ହୋଇପାରେ, କିନ୍ତୁ କାବ୍ୟର ସତ୍ୟ ଏକ ସ୍ୱୟଂସମ୍ପୂର୍ଣ୍ଣ ଜଗତ । ନିମ୍ନରେ ଉଦ୍ଧୃତ ପଦ ଦୁଇଟି ବହୁ ଯୁଗ ରହିଯିବ ଜନ ମାନସରେ ଅମ୍ଳାନ ହୋଇ ଏବଂ ବାରେ ବାରେ ଊଦ୍ଧୃତ ହେଉଥିବ ।

"ତୁମେ ଦେଖିଅଛ ଶିଳାରେ ତାର ତ
ରମ୍ୟ କଳାର ରୂପ,
ମୁଁ ଦେଖିଛି ତହିଁ କୋଟି କଂକାଳ
ଭଗ୍ନ ବୁକୁର ସ୍ତୂପ ।"
× × ×
"ରମ୍ୟ କଳାର ଲୀଳା !
କିଛି ତ କହିି ମଣିଷର କଥା,
କହିବାର ଯାହା ଥିଲା ।"

କବିଙ୍କର, "ଭଙ୍ଗା ମନ୍ଦିର" କିନ୍ତୁ ଭି୍ନ ଆଙ୍ଗିକରେ ଲେଖା । ଏ କବିତା ଯେତେ ନା ଭଙ୍ଗା ମନ୍ଦିର ପାଇଁ ରୋଦନ, ତାହାଠାରୁ ଅଧିକ, ଛାଡି଼ ଆସିଥିବା ଶାନ୍ତ, କୋମଳ ଛାୟାଘନ ଜୀବନ ପ୍ରତି ଆକୂତି ।

"ଏଇ ପଥୁରୀ ପାର୍ବତୀ ଦିନେ ଜୀବନ୍ତ ଥିଲା ।
ଆଉ ଏଇ ନାଗକନ୍ୟାଗଣ
ଦିନେ ଜୀବନର ଲୋମଶ ଊଚ୍ଛ୍ୱାସରେ
ଖେଳି ବୁଲୁଥିଲେ,
କେଉଁ ନିରୋଳା ପୋଖରୀ ତୁଠରେ,
କେଉଁ ନିର୍ଜ ନCକୂଳର ବକୁଳ ତଳେ
ଶିଳ୍ପୀର ତରୁଣ ମନରେ ଡେଣା ମେଲାଇ ||"
× × ×
ମୌସୁମୀର ଚଞ୍ଚଳ ଆଭିଜାତ୍ୟ,
ବଣତୁଳସୀର ଆଦିମ ବନ୍ୟ ନୃତ୍ୟ
ବହିଆଣେ ସେ ସମ୍ବାଦ
ଝରାଫୁଲର ସାମ୍ରାଜ୍ୟରୁ ।
ଝାଉଁବନର ସ୍ନିଗ୍‍ଧ ଶ୍ୟାମଳ ଛତା ତଳେ
ଫୁଟେ କରୁଣ ସେଇ କଥା
କେତେ ଯୁଗର ?"

ରବି ସିଂ, ଏ ଯୁଗର ବିଦ୍ରୋହୀ କବି । "ଲାଲ ପାଗୋଡ଼ାର ପ୍ରେତ', କବିତାଟି ନାମକରଣରୁ ହିଁ ଗାଢ଼ରଙ୍ଗରେ ରଞ୍ଜିତ ପୋଷ୍ଟର ଭଳି ଚିତ୍‍କାର କରି

କହୁଛି, 'ବ୍ଲାକ୍‍ ପାଗୋଡ଼ା' ରକ୍ତେ ରଞ୍ଜିତ 'ଲାଲ ପାଗୋଡ଼ା' । କାହାର ସେ ରକ୍ତ- ଧର୍ମପଦର, ଯାହାର ପ୍ରକୃତ ହତ୍ୟାକାରୀ ବାରଶହ ଈର୍ଷାନ୍ୱିତ ବଢେ଼ଇ ?

ଅର୍କକ୍ଷେତ୍ର କୋଣାର୍କ . ୨୩୭