ଏତେବେଳେ ମନେ ହୁଏ ଏ ନକ୍ଷତ୍ରଗଣ,
ମୋ ପ୍ରାଣର ନାନାବିଧ ଅଜସ୍ର ସ୍ପନ୍ଦନ ।
× × ×
ଏତେବେଳେ ମନେହୁଏ ତାହା ସହ ହୋଇ ଏକୀଭୂତ
ଏ ମନ୍ଦିର ଗର୍ଭଗୃହେ ସଂଗୋପନେ ହେବି ଆବିର୍ଭୂତ ।
ମନ୍ଦିରକୁ ଘେରି,
ଉଦ୍ଦାମ ଉତ୍ତାଳ ଏହି ଅସଂଖ୍ୟ ଲହରୀ
ମୃଦୁ ମୃଦୁ ହିଲ୍ଲୋଳରେ କହୁଛନ୍ତି ସେମାନଙ୍କୁ ଜଣା,
ସୂର୍ଯ୍ୟାଲୋକେ ମୋର ଯାହା ନିର୍ଭୁଲ ଠିକଣା ।
ମୋର ପରିଚୟ ନୁହେଁ ଧର୍ମପଦ, ମହାରଣା ସୁତ,
ମୁଁ ଏକ ଓଁକାର ଧ୍ୱନି, ଅଜାତ ଅଶ୍ରୁତ ।"
ବିଶ୍ୱିୟନ୍ତାଙ୍କ ବିଭୂତିରୁ ଜାତ ଗୋଟିଏ ବିଶେଷ ଚରିତ୍ର, ତାହା ଉପରେ ଆରୋପିତ କାର୍ଯ୍ୟ ଶେଷକରି ସେଇ ବିଶ୍ୱିୟନ୍ତାଙ୍କ ଦେହରେ ମିଶିଯାଇ ଅମର ହୋଇ-ଯିବାର କଳ୍ପନାଟି ଅନବଦ୍ୟ ।
"ବୃନ୍ତହୀନ ଫୁଲର ସ୍ଥପତି: ଶିବେଇ ସାନ୍ତରା' କବିତାଟି ଜାଉଖିଆ କିମ୍ବଦନ୍ତୀନିର୍ଭର । କବି ବର୍ଣ୍ଣମୟ ଶବ୍ଦ ଚୟରେ କିମ୍ବଦନ୍ତୀଟି ଜୀବନ୍ତ କରି ତୋଳିଛନ୍ତି ।
"ବୃଦ୍ଧା ! ଅକାତରେ ମତେ କି କଲ, କି କଲ,
ମୋ ଚୈତ୍ୟ-ସାଗରେ ଯାହା ବୃନ୍ତହୀନ ଫୁଲ,
ତାକୁ ତୁମେ ଅଚାନକେ ବୃନ୍ତ-ବନ୍ଦୀ କଲ !
ଜଳିଗଲା ତୁମ ବାକ୍ୟ-ବଜ୍ରର ଆଘାତେ,
ମୋ ଆଶ୍ରୟ-ଇନ୍ଦ୍ରଧନୁ ଗୋଟିଏ ମୁହୂର୍ତ୍ତେ" । ଇତ୍ୟାଦି
'କୋଣାର୍କ-ସଂଧାନେ' କବିଙ୍କର ନିଜସ୍ୱ ଓ ବିଶିଷ୍ଟ ଦୃଷ୍ଟିଭଙ୍ଗୀର ଆଉ ଗୋଟିଏ ଅପୂର୍ବ ଉପସ୍ଥାପନା । ପ୍ରଭାତର ଉପହାର ଦୂର୍ବା ଶୀର୍ଷର ସୂର୍ଯ୍ୟଦୀପ୍ତ ଶିଶିର ବିନ୍ଦୁ, କିନ୍ତୁ ସେଇ ସୂର୍ଯ୍ୟର ସର୍ବାଶୀ ପ୍ରେମ ତାହାକୁ ଅଚିରେ ଶେଷ କରିଦିଏ ଏବଂ ରଖିଯାଏ ମହାକାଳରେ ଗୋଟିଏ ଅଲିଭା ମୁହୂର୍ତ୍ତ । ବିଧ୍ୱସ୍ତ କୋଣାର୍କ ଦେଖି କବିଙ୍କ ମନେ ହୋଇଛି ନରସିଂହଦେବଙ୍କ ସୂର୍ଯ୍ୟପ୍ରେମ ଶିଶିରର ସୂର୍ଯ୍ୟପ୍ରେମ ସମ ଗୋଟିଏ ଦ୍ୟୁତିମାନ ମୁହୂର୍ତ୍ତ ମାତ୍ର ।
"ହେ ରାଜନ୍, ବୁଝିଥିଲି ସୂର୍ଯ୍ୟର ଏ ଧର୍ମ
ନିଃଶେଷିବ ସିଏ ତାକୁ, ଯିଏ ତାକୁ କରିଥିବ ପ୍ରେମ ।
× × ×
କିନ୍ତୁ ରାଜା ! ସୂର୍ଯ୍ୟ ପ୍ରେମେ ମୁଗ୍ଧ, ବିଗଳିତ
ସୂର୍ଯ୍ୟାଲୋକେ ନିମଜ୍ଜିତ କୋଣାର୍କର ସତ୍ତା ପୁଲକିତ ।"
'କଳାପାହାଡ଼ର ତୃଷ୍ଣା : 'ରାମଚଣ୍ଡୀ', ଗଳ୍ପଟି ସମସ୍ତଙ୍କୁ ଜଣା । ହିନ୍ଦୁ ଯୁବକ ମୁସଲମାନ ନରପତିଙ୍କ ସେନାପତି ଥିଲେ, ନବାବ କନ୍ୟାର ପ୍ରେମରେ ପଡ଼ି, ସେ ସ୍ୱଧର୍ମ ଛାଡ଼ି ମୁସଲମାନ ହୋଇଗଲେ । ନବାବ କନ୍ୟାର ଶ୍ଲେଷଭରା ଉକ୍ତି ପୁଣି ଫେରାଇଲା ତାହାକୁ ସ୍ୱଧର୍ମ ପ୍ରତି, କିନ୍ତୁ ସେ ଦ୍ୱାର ଆଉ ଖୋଲିଲା ନାହିଁ । କ୍ଷତାକ୍ତ ହୃଦୟ ନେଇ ଧ୍ୱଂସର ପ୍ରବାହ ବୁହାଇ ଦେଲା କଳାପାହାଡ । କିନ୍ତୁ ଦୁଇ ଦିଗରୁ ପ୍ରତ୍ୟାଖ୍ୟାନଜନିତ ଆତ୍ମଦାହର ତୃଷ୍ଣା ତାହାର ମେଣ୍ଟିଲା ନାହିଁ । ମନୋଜ ଦାସଙ୍କ କଳ୍ପନାରେ ଦୂରନ୍ତ ବାଳକ ସମ କଳାପାହାଡ଼ ମାତୃରୂପିଣୀ ରାମଚଣ୍ଡୀଙ୍କ କରୁଣା ଧାରା ଖୋଜୁଥିଲା ।
"ଏ ତୃଷ୍ଣା ଭୀଷଣ,
ଏ ତୃଷ୍ଣାର ହାହାକାରେ ଅଟ୍ଟହାସ୍ୟ କରେ ପୁଣି
୨୪୦ . ଅର୍କକ୍ଷେତ୍ର କୋଣାର୍କ