Jump to content

ପୃଷ୍ଠା:Arkakshetra konark.pdf/୨୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସଂରକ୍ଷଣ :

ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ମନ୍ଦିରଟି ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୁଏ । କିଛି ପଥର ଓ ଭାସ୍କର୍ଯ୍ୟ ଲୁଣ୍ଠିତ ହେବା ସତ୍ତ୍ୱେ କ୍ରମେ ଜଙ୍ଗଲ ଗ୍ରାସ କରେ ଏ କୀର୍ତ୍ତିିକୁ, ବାଲି ପୋତି ପକାଏ ଛୋଟ ଛୋଟ ମନ୍ଦିରଗୁଡ଼ିକୁ, ଭଗ୍ନ ବିମାନ ଓ ଜଗମୋହନର ବେଶ୍‍ କିଛି ଅଂଶ ଚାଲିଯାଏ ବାଲିତଳେ ।

୧୮୦୬ ଠାରୁ ୨୦୧୦ ପର୍ଯ୍ୟନ୍ତ କ୍ରମିକ ଘଟଣାବଳୀ :

୧୮୦୬- ଅର୍ଥାତ୍‍ ପ୍ରାୟ ଦୁଇ ଶହ ବର୍ଷ ପରେ ପୁରୁଦ୍ଧାରର ପ୍ରସ୍ତାବ ଆସେ ମେରାଇନ୍‍ ବୋଡର଼୍ରୁ । ପ୍ରସ୍ତାବଟି ପଛରେ କୌଣସି ପ୍ରତ୍ନତାତ୍ତ୍ୱିକ ମହତ୍‍ ଇଚ୍ଛା ନ ଥିଲା । ବହୁକାଳରୁ ପୁରୀ ଓ କୋଣାର୍କ ମନ୍ଦିର, White Pagoda ଏବଂ Black Pagoda ନାମରେ ସମୁଦ୍ରଗାମୀ ଜାହାଜମାନଙ୍କୁ ଦିଗ୍‍ଦର୍ଶ ଦେଉଥିଲା ।(୨୯୫) କିନ୍ତୁ ସରକାର ଏ ପ୍ରସ୍ତାବରେ ରାଜି ହେଲେ ନାହିଁ ।(୨୯୬) ପ୍ରପ୍ତାବଟି କାର୍ଯ୍ୟକାରୀ ହୋଇଥିଲେ ବୋଧହୁଏ ବିମାନର ବେଶ୍‍ କିଛି ଅଂଶ ସଂରକ୍ଷିତ ହୋଇପାରିଥା'ନ୍ତା । ଏପରି ଅନୁମାନ କରିବାର କାରଣ, ଏହାର ୩୧ ବର୍ଷ ପରେ ଜେମ୍‍ସ ଫର୍ଗୁସନ ବିମାନ ଗଣ୍ଡିର ୧୪୦ ଫୁଟ୍‍ ଠାରୁ ୧୫୦ ଫୁଟ୍‍ ଖାଡ଼ା ଥିବାର ଦେଖùଥିଲେ ଏବଂ ତାହାର ଗୋଟିଏ ଚିତ୍ର ମଧ୍ୟ କରାଇଥିଲେ ।(୨୯୭) ଚିତ୍ରଟି ଫଟୋ-୧୨ରେ ଉପସ୍ଥାପିତ ହୋଇଛି ।

୧୮୩୮ ଠାରୁ ୧୯୫୩ ଯାଏ କୋଣାର୍କ ମନ୍ଦିର ସଂରକ୍ଷଣର ଗୋଟିଏ ଧାରାବାହିକ ବିବରଣୀ ମିଳୁଛି ଦେବଳା ମିତ୍ରଙ୍କ ଠାରୁ ।(୨୯୮) ଦେବଳା ମିତ୍ର ଷାଠିଏ ଦଶକରେ ଭାରତୀୟ ପୁରାତତ୍ତ୍ୱ ସଂରକ୍ଷଣ (ASI) ସଂସ୍ଥାର ଡାଇରେଚ୍ଛରର୍‍ ଜେନେରାଲ୍‍ ଥିଲେ । ୧୯୦୦ ଠାରୁ ୧୯୧୦ ଯାଏ କାର୍ଯ୍ୟର ବିବରଣୀ ଉକ୍ତ କାର୍ଯ୍ୟରେ ନିଯୁକ୍ତ ବିଶନ୍‍ ସ୍ୱରୂପଙ୍କ ପୁସ୍ତକରୁ ମଧ୍ୟ ମିଳୁଛି । ତେଣୁ ତଥ୍ୟଗୁଡ଼ିକ ନିର୍ଭରଯୋଗ୍ୟ ହେବ ବୋଲି ଆଶା କରାଯାଏ ।

୧୮୩୮- Asiatic Society of Bengalର ଡେପୁଟି ଗଭର୍ଣ୍ଣର ଲେଖାଲେଖି କରିବା ପରେ ଖୋର୍ଦ୍ଧା ରାଜାଙ୍କ ଦ୍ୱାରା କୋଣାର୍କରୁ ମୂର୍ତ୍ତିି ଅପସାରଣ ବନ୍ଦ ହୁଏ କିନ୍ତୁ, ସରକାର ଏସିଆଟିକ୍‍ ସୋସାଇଟି ପ୍ରଦତ୍ତ ସଂରକ୍ଷଣ ପ୍ରସ୍ତାବ କାର୍ଯ୍ୟକାରୀ କଲେ ନାହିଁ ।

୧୮୬୭- ନବଗ୍ରହ ଶିଳା କଲିକତା ମ୍ୟୁଜିୟମ୍‍କୁ ସ୍ଥାନାନ୍ତରିତ କରିବାର ପ୍ରଥମ ପ୍ରଚେଷ୍ଟା ବିଫଳ ହୁଏ । ପ୍ରଚେଷ୍ଟାଟି ଫଳବତୀ ହୋଇଥିଲେ କିମ୍ବା ଆହୁରି ଭଲ ହୁଅନ୍ତା ପରବର୍ତ୍ତୀ ଯୁଗର ମନ୍ଦିର ସଂରକ୍ଷଣ କାର୍ଯ୍ୟସୂଚୀରେ ଯେବେ ସରକାର ନବଗ୍ରହ ଶିଳାଟି ତାହାର ସ୍ୱସ୍ଥାନରେ ଖଞ୍ଜି ଦେଇଥାଆନ୍ତେ, ତେବେ ଆଉ ଆଜି ଅନବଦ୍ୟ ଶିଳ୍ପଗୁଡ଼ିକ ଚନ୍ଦନ, ସିନ୍ଦୂର ତୈଳ ଚର୍ଚ୍ଚିତ ହୋଇ ନାଲି କଳାକନାର ଘାଗରା ପିନ୍ଧି ଧର୍ମବ୍ୟବସାୟର ସହାୟକ ହୁଅନ୍ତା ନାହିଁ ।

୧୮୮୧- ଲେଫ୍‍ଟନାଣ୍ଟ ଗଭର୍ଣ୍ଣର ସାର୍‍ ଆସ୍‍ଲେ ଇଡେନ୍‍ଙ୍କ ଚେଷ୍ଟାରେ କିଛି ପ୍ରାଥମିକ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୁଏ । ୧୮୮୨- ୮୩ ମଧ୍ୟରେ କିଛି ଜଙ୍ଗଲ ଅପସାରଣ ପରେ ବିଶାଳ ହାତୀ, ଘୋଡ଼ା ଓ ଗଜ ସିଂହଗୁଡ଼ିକ ଉଦ୍ଧାର କରାହୁଏ । ହାତୀ ଓ ଘୋଡ଼ା ଚାରିଟି ପଥର ବେଦୀ ଗଢ଼ି ତାହା ଉପରେ ଭୁଲ୍‍ ଦିଗକୁ ମୁଖ କରି ରଖାଯାଏ ଏବଂ ଗଜସିଂହ ଦ୍ୱୟଙ୍କୁ ରଖାଯାଏ ଗୋଟିଏ ବାଲିକୁଦ ଉପରେ । ପରବର୍ତ୍ତୀ ସମୟରେ (୧୯୦୫-୦୬) ସେ ବାଲିକୁଦ ତଳୁ ନାଟମଣ୍ଡପଟି ବାହାରି ପଡେ଼ ଏବଂ ଗଜ ସିଂହ ଦୁଇଟି ତାହା ସମ୍ମୁଖରେ ସ୍ଥାପନ କରାଯାଏ ।

୧୮୯୨- ଏଗାର ବର୍ଷ ପରେ ପୁଣି ତତ୍‍କାଳୀନ ଲେଫ୍‍ଟନାଣ୍ଟ ଗଭର୍ଣ୍ଣର ସାର୍‍ ଚାର୍ଲସ୍‍ ଇଲିୟଟ୍‍ ବିଷୟଟି ପ୍ରତି ମନଯୋଗ ଦିଅନ୍ତି । ସଂରକ୍ଷଣ ପାଇଁ କ'ଣ କରାଯିବ, ତାହାର ଗୋଟିଏ ବିଶଦ୍‍ ବିବରଣୀ ଦେବା ପାଇଁ ଜଣେ ବିଜ୍ଞ ବ୍ୟକ୍ତିଙ୍କୁ ନିୟୋଗ କରିବା କଥା ଇଲିୟଟ୍‍ ଚାହିଁଥିଲେ । ଏହା ହେଲା କି ନାହିଁ ଜଣା ନାହିଁ, କିନ୍ତୁ ଇଲିୟଟ୍‍ ଚାହିଁଥିଲେ ଖଣ୍ଡିତ ନବଗ୍ରହଶୀଳା ତଥା ବିକ୍ଷିପ୍ତ ଭାସ୍କର୍ଯ୍ୟଗୁଡ଼ିକ ଏକତି୍ରତ କରି ଭାରତୀୟ ମୁ୍ୟଜିୟମ୍‍କୁ ଅପସାରିତ କରିବାକୁ । ସ୍ଥାନୀୟ ଲୋକମାନଙ୍କର ବିରୋଧ ଫଳରେ ନବଗ୍ରହଶୀଳା ଅପସାରଣ କରିବାର ଦ୍ୱିତୀୟ ପ୍ରଚେଷ୍ଟା ୧୮୯୩ ସାଲରେ ପରିତ୍ୟକ୍ତ ହୁଏ । ତେବେ ତେରଟି ବିକ୍ଷିପ୍ତ ଭାସ୍କର୍ଯ୍ୟ ସଂଗ୍ରହ କରି କଲିକତା ମ୍ୟୁଜିୟମ୍‍କୁ ପଠାଯାଏ ।