Jump to content

ପୃଷ୍ଠା:Arkakshetra konark.pdf/୨୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଅନ୍ୟ କିଛି ହୋଇଯାଇଛି ? କୋଣାର୍କ, ଶିଳ୍ପ, ଭାସ୍କର୍ଯ୍ୟ, ଦର୍ଶନର ମହାକାବ୍ୟ । ଏହାକୁ ନୂତନ ରୂପେ ଉପସ୍ଥାପନ କରିବା ଚେଷ୍ଟାରେ ଭୁଲ୍‍ କେଉଁଠି ରହିଲା ? ଘଟିବାକୁ ଥିବା ଗୋଟିଏ ଅମୋଘ ସତ୍ୟ ଏଠାରେ ଦୁଃଖର ସହିତ କହିବାକୁ ପଡୁଛି । ଏ ସଂସାରରେ ସମସ୍ତ କିଛି ବିଲୟଶୀଳ । କୋଣାର୍କର ଏ ଦେଉଳର ବିଲୟ ଦିନେ ନା ଦିନେ ହେବ । ବିଶ୍ୱବାସୀଙ୍କ ସମସ୍ତ ସଦିଚ୍ଛା ଓ ଚେଷ୍ଟା ସତ୍ତ୍ୱେ ଅମୋଘ କାଳ, ଦିନେ ନା ଦିନେ ଏହାର ବିଲୟ ଡାକି ଆଣିବ । ଏହାର ସଂରକ୍ଷଣ ଯେପରି ହେବା ଉଚିତ୍‍, ତାହା ହେଲେ ଏହାର ଜୀବନ ହୁଏତ ଆହୁରି ତିିନିଚାରି ଶହ ବର୍ଷ ବଢ଼ିଯିବ । କିନ୍ତୁ ଯେପରି ଭାବେ ସଂରକ୍ଷଣ ଚାଲିଛି, ହୁଏତ ଏହାର ଆୟୁ ଆଉ ଶହେ ବର୍ଷ ଟପିବ ନାହିଁ । ତାହା ପୂର୍ବରୁ ଏ ସୃଷ୍ଟି ନୂତନ କରି ଗଢ଼ି ଦେଲେ, ଅନନ୍ତ ଯାତ୍ରାର ଯେଉଁ ଦର୍ଶନ ଏ ସୂର୍ଯ୍ୟ ରଥର ପରିକଳ୍ପାନା ପଛରେ ଥିଲା, ତାହା ନବ କଳେବରରେ ଗତିଶୀଳ ରହିବ ।

ସୁଖର କଥା, ବର୍ଷେ ତଳେ ଏ ଦିଗରେ ଗୋଟିଏ ଉଦ୍ୟମ ଆରମ୍ଭ କରିଥିଲେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା । ଶ୍ରୀଯୁକ୍ତ ବର୍ମା ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ, ହଜାର କୋଟି ଟଙ୍କାର ଗୋଟିଏ ବଜେଟ୍‍ ସରକାରଙ୍କୁ ଦିଆଯାଇଥିବା କଥା । (ସମାଜ-୧୪ ଡିସେମ୍ବର, ୨୦୦୯) । ସେ ପ୍ରକଳ୍ପର ରୂପରେଖ କ'ଣ ହେବ ? ଓଡ଼ିଶା ସଂସ୍କୃତି ମଞ୍ଚରେ ଶ୍ରୀଯୁକ୍ତ ବର୍ମାଙ୍କ ବ୍ୟତୀତ ଅନ୍ୟ କେଉଁମାନେ ଅଛନ୍ତି, ଏସବୁ କିଛି ସେ କହି ନାହାଁନ୍ତି । ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବର ପରିଣତି କ'ଣ ହେଲା ଆଉ ଖବରକାଗଜରେ ପ୍ରକାଶିତ ହୋଇ ନାହିଁ ।

ସରକାର ଯେ ଏପରି ପ୍ରକଳ୍ପ ରୂପାୟିତ କରିବାରେ ସହଯୋଗ କରିବେ ନାହିଁ, ଏପରି ମଧ୍ୟ ନୁହେଁ । ୧୭ ନଭେମ୍ବର ୨୦୧୦, କୋଣାର୍କ ସୁରକ୍ଷା ପରିଷଦର INTACH ସହଯୋଗରେ ଗୋଟିଏ ବୈଠକ ହୋଇଥିଲା କୋଣାର୍କରେ । ଓଡ଼ିଶା ସରକାରଙ୍କର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସଚିବ, ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ ବୈଠକରେ ଯୋଗଦେଇ କଥା ପ୍ରସଙ୍ଗରେ କହିଥିଲେ, ନୂତନ କୋଣାର୍କ ମନ୍ଦିର ଗଢ଼ିବା ଅବାସ୍ତବ ଚିନ୍ତା ନୁହେଁ, ଛୋଟ ମନ୍ଦିର ଗୋଟିଏ ଗଢ଼ା ଯାଇ ପାରେ । 'ଛୋଟ' କି 'ବଡ଼' ପଛ କଥା, ଉଲ୍ଲେଖନୀୟ ହେଉଛି ସରକାର ପ୍ରସ୍ତାବଟିର ବିରୋଧୀ ନୁହଁନ୍ତି । ତେବେ ଏପରି ଗୋଟିଏ ବିରାଟ ପରିକଳ୍ପନା ଦୁଇଧାଡ଼ି କଥାରେ ହୁଏ ନାହିଁ । ଲେଖକ, କେତେଗୁଡ଼ିଏ ପ୍ରସ୍ତାବ ତଳେ ରଖୁଛି ।

୧. ଐତିହ୍ୟପ୍ରେମୀ ମଣିଷ ଯେବେ ଏ ଯୁଗରେ ମଧ୍ୟ ସୋମନାଥ ମନ୍ଦିର ଗଢ଼ିପାରିଲେ, ଦ୍ୱିତୀୟ ଓ ତୃତୀୟ ତାଜମହଲ ଗଢ଼ି ପାରିଲେ, ଦିଲ୍ଲୀ ଅକ୍ଷରଧାମ ଗଢ଼ିପାରିଲେ, ଏପରିକି ଦେଶ ବିଦେଶରେ ବହୁ ଜଗନ୍ନାଥ ମନ୍ଦିର ଗଢ଼ି ପାରିଲେ, ନୂତନ କୋଣାର୍କ ମନ୍ଦିର ନିଶ୍ଚୟ ଗଢ଼ିପାରିବେ ।

୨. ପ୍ରଥମ ପଦକ୍ଷେପ ନିଅନ୍ତୁ, ଦେଶ ବାହାରେ ଥିବା ଓଡ଼ିଆ ଅନୁଷ୍ଠାନଗୁଡ଼ିକ । ଦେଶରୁ ଦୂରରେ ଥିବାରୁ ମନେହୁଏ ପଛରେ ଛାଡ଼ି ଆସିଥିବା ବିରାଟ ଐତିହ୍ୟ ପ୍ରତି ସେମାନଙ୍କ ମନ ଏବେ ମଧ୍ୟ ଆକୁଳ । ଏହା ବ୍ୟତୀତ ଏପରି ଗୋଟିଏ ପରିକଳ୍ପନା ରୂପାୟିତ ହେବା ପଛରେ ଯେଉଁ ଆଧୁନିକ ପ୍ରଯୁକ୍ତିର ପ୍ରୟୋଜନ ଅଛି, ଏହା ଉପଲବ୍ଧ କରିବା ପ୍ରବାସୀ ବନ୍ଧୁମାନଙ୍କ ପାଇଁ ସହଜତର ହୋଇପାରେ । ପାରମ୍ପରିକ ଶିଳ୍ପକଳା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସୁଷମ ସମନ୍ୱୟ ଏମାନେ ହିଁ ଘଟେଇ ପାରିବେ ।

୩. ଦେଶ ଭିତରେ ମଧ୍ୟ ବହୁ ସାଂସ୍କୃତିକ ଅନୁଷ୍ଠାନ ଅଛି । ଏମାନେ ମଧ୍ୟ ଆଗେଇ ଆସନ୍ତୁ । ବର୍ତ୍ତମାନ ଇଲେକ୍ର୍ଟୋନିକ ଗଣମାଧ୍ୟମର ବହୁଳ ପ୍ରସାରଣ ଫଳରେ ମତାମତ ବିିନିମୟ ଗୋଟାଏ ସମସ୍ୟା ନୁହେଁ । ଖୁବ୍‍ ଅଳ୍ପ ଦିନ ତଳେ ଇଜିପ୍ଟରେ ଗୋଟିଏ ରାଷ୍ଟ୍ରବିପ୍ଳବ ଘଟିଗଲା ବ୍ଲଗିଂ ନାମକ ପ୍ରଯୁକ୍ତି ଫଳରେ । ସେଇ ପଥରେ ଗୋଟିଏ ବୌଦ୍ଧିକ ଆନ୍ଦୋଳନ ସୃଷ୍ଟି ହେଉ । ପ୍ରକୃତ ସଂଗଠନ ଗଢ଼ିତୋଳି ପାରିଲେ ଅର୍ଥ ଗୋଟାଏ ସମସ୍ୟା ହେବ ନାହିଁ ।

୪. ପ୍ରସ୍ତାବିତ ଆନ୍ଦୋଳନର ଦୁଇଟି ସୁସ୍ପଷ୍ଟ ଆଭିମୁଖ୍ୟ ଥିବା ପ୍ରୟୋଜନ । (କ) ଭାରତୀୟ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍‍.ଆଇ), ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ଦୃଶ୍ୟତଃ କାର୍ଯ୍ୟକ୍ଷମ କରିବାକୁ ପଡ଼ିବ ଯେପରିକି ନରସିଂହଦେବଙ୍କ କୋଣାର୍କର ଅବଶେଷ ଆହୁରି ବହୁବର୍ଷ ବଞ୍ଚି ରହିବ ।

(ଖ) କୋଣାର୍କର ମହାନ ଆଦର୍ଶରେ ନୂତନ କୋଣାର୍କ ଗଠନ କରିବାକୁ ହେବ ।

୫. ବିଶ୍ୱବ୍ୟାପୀ ଆନ୍ଦୋଳନ ଗୋଟିଏ ଗଢ଼ି ଉଠିଲେ ବାଟ ଆପେ ଖୋଲିଯିବ ।

'କୋଣାର୍କ ନବ ନିର୍ମାଣ' ଅବଶ୍ୟ ଗୋଟିଏ ସ୍ୱପ୍ନ, ଯେଉଁ ସ୍ୱପ୍ନ ଦେଖିଥିଲେ ସାତଶହ ବର୍ଷ ପୂର୍ବେ ମହାରାଜ ଲାଙ୍ଗୁଳା ନରସିଂହ ଦେବ । ସାତଶହ ବର୍ଷ ପରେ ତାଙ୍କର ଦାୟାଦମାନେ କେତେଦୂର ସେ ସ୍ୱପ୍ନର ସହଯୋଗୀ ହୋଇ ସେ ସ୍ୱପ୍ନକୁ କେତେ ଶହ ବର୍ଷ ଆଗେଇ ନେଇ ପାରୁଛନ୍ତି ତାହାରି ପ୍ରମାଣ ହେବ ନୂତନ କୋଣାର୍କ ।

ଓଁ ଭାସ୍କରାୟ ନମଃ